ଟେନିସ୍‌ ଯୋଡ଼ି ଅଜୟ-ସୋନାଲିକା

Advertisment
ଟେନିସ୍‌ ଯୋଡ଼ି ଅଜୟ-ସୋନାଲିକା

ଭୁବନେଶ୍ୱର: ଚାରିଆଡେ ପ୍ରେମ ଦିବସ (ଭାଲେଣ୍ଟାଇନ୍‌ସ ଡେ’)ର ଚର୍ଚା ଚାଲିଥିବାବେଳେ ଓଡ଼ିଶା କ୍ରୀଡ଼ା ବି ପଛରେ ପଡ଼ିନାହିଁ। ରାଜ୍ୟ କ୍ରୀଡ଼ା ଦୁନିଆରେ ଏଭଳି ଅନେକ କ୍ରୀଡ଼ା ଦମ୍ପତି ରହିଛନ୍ତି ଯେଉଁମାନଙ୍କ ସମ୍ପର୍କ ପ୍ରେମରୁ ହିଁ ଆରମ୍ଭ ହୋଇଛି। ଖେଳ ପଡ଼ିଆର ସଫଳତାକୁ ସେମାନେ ସାଂସାରିକ ଜୀବନରେ ବି ରୂପାନ୍ତର କରିଛନ୍ତି। ଜଣେ ଖେଳାଳି ଅନ୍ୟ ଜଣେ ଖେଳାଳିଙ୍କୁ ଭଲ ଭାବରେ ବୁଝି ପାରୁଥିବାରୁ ସାଂସାରିକ ଜୀବନ ବି ସହଜ ହୋଇଛି। ସେଭଳି ଏକ କ୍ରୀଡ଼ା ଦମ୍ପତି ହେଲେ ଟେନିସ୍‌ ଯୋଡ଼ି ଅଜୟ ନିଶଙ୍କ ଏବଂ ସୋନାଲିକା ମିଶ୍ର। ପ୍ରେମ ଦିବସ ବି ଏମାନଙ୍କ ପାଇଁ ଅନେକ ମଧୁର ଅନୁଭବ ଦେଇଥାଏ। ସଂଯୋଗ ବଶତଃ ସେମାନଙ୍କ ବିବାହ ଗତ ମାସରେ (ଜାନୁଆରି ୨୮) ଦଶମ ବର୍ଷ ଅତିକ୍ରମ କରିଛି। ସେହି ଦୃଷ୍ଟିରୁ ଏଥରର ପ୍ରେମ ଦିିବସ ଆମପାଇଁ ସ୍ୱତନ୍ତ୍ର ବୋଲି କହିଛନ୍ତି ଅଜୟ। ୨୦୦୧ ମସିହାରେ ଇମ୍ଫା ପାର୍କ ଟେନିସ୍‌ କୋର୍ଟରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯୋଡ଼ି ହୋଇଥିବାବେଳେ ୨୦୦୮ ମସିହାରେ ବିବାହ କରିଥିଲେ। ଆହାନା ନାମରେ ଏକ ୫ ବର୍ଷିୟା ଝିଅ ଏବେ ସେମାନଙ୍କ ପର ପିଢ଼ି।
ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ୭/୮ ବର୍ଷ ଧରି ରାଜ୍ୟର ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଥିବା ଅଜୟ ନିଜ ଖେଳ ଜୀବନରେ ୫୦ରୁ ଊର୍ଧ୍ୱ ଏକକ ଓ ଯୁଗଳ ମୁକୁଟ ଜିତି ସାରିଛନ୍ତି। ଏବେ ପ୍ରଶିକ୍ଷଣକୁ ପେସା କରି ଏକାଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଗଢ଼ିବାରେ ସଫଳ ହୋଇଛନ୍ତି। ମାନବ ସମ୍ବଳରେ ଏମ୍‌ବିଏ କରିଥିବା ସୋନାଲିକା ବି ଥିଲେ ଟେନିସ୍‌ ଖେଳାଳି। କିନ୍ତୁ ବିଶେଷ ଆଗକୁ ବଢ଼ି ପାରିନଥିଲେ। ଜାତୀୟ ମହିଳା କ୍ରୀଡ଼ାରେ ଓଡ଼ିଶାର ପ୍ରତିନିଧିତ୍ୱ ଏବଂ ଥରେ ରାଜ୍ୟର ସର୍ବୋଚ୍ଚ ଟେନିସ୍‌ ପ୍ରତିଯୋଗିତା ନାଲ୍‌କୋ ଓପନ୍‌ରେ ଉପ ବିଜୟିନୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe