Times of India
ନୂଆଦିଲ୍ଲୀ: ଥାଇଲାଣ୍ଡ ଓ ମାଲେସିଆର ଭାରୋତ୍ତୋଳକମାନେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେନି। ଏହି ଦୁଇ ଦେଶର ଖେଳାଳିମାନେ ଏକାଧିକଥର ନିଷିଦ୍ଧ ଔଷଧ ସେବନ ମାମଲାରେ ଧରାପଡ଼ିବା ପରେ ସେମାନଙ୍କୁ ବାସନ୍ଦ କରାଯାଇଥିବା ଆନ୍ତର୍ଜାତିକ ଭାରୋତ୍ତୋଳକ ମହାସଂଘ (ଆଇଡବ୍ଲୁଏଫ୍) ଏକ ବିଜ୍ଞପ୍ତିରେ ଜଣାଇଛି। ଯଦିଓ ଅଲିମ୍ପିକ୍ସ ତାରିଖରେ ପରିବର୍ତ୍ତନ ହୋଇଛି, ତଥାପି ଉକ୍ତ କ୍ରୀଡ଼ାବିତ୍ମାନେ ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିପାରିବେନି ବୋଲି ଆଇଡବ୍ଲୁଏଫ୍ ସ୍ପଷ୍ଟ କରିଛି। କରୋନା ମହାମାରୀ ପ୍ରଭାବ ଯୋଗୁଁ ଅଲିମ୍ପିକ୍ସ ବର୍ଷେ ଘୁଞ୍ଚିଯାଇଛି ଏବଂ ଆସନ୍ତାବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ମଧ୍ୟରେ ଏହାର ଆୟୋଜନ ହେବ ବୋଲି ପୂର୍ବରୁ ସୂଚନା ଦିଆଯାଇଛି। ତେବେ ଏହି ବାସନ୍ଦ ବିରୋଧରେ ଉଭୟ ଥାଇଲାଣ୍ଡ ଓ ମାଲେସିଆର କ୍ରୀଡ଼ା ମହାସଂଘ ଆଇଡବ୍ଲୁଏଫ୍ର କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ୍ସ (କ୍ୟାସ)ରେ ୨୧ ଦିନ ମଧ୍ୟରେ ଆବେଦନ କରିପାରିବେ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ଥାଇଲାଣ୍ଡ ମହାସଂଘ ଉପରେ ଆଇଡବ୍ଲୁଏଫ୍ ୨ ଲକ୍ଷ ଡଲାର ଜରିମାନା ଲଗାଇଛି। ଗତବର୍ଷ ନଭେମ୍ବରରେ ଜର୍ମାନୀରେ ଆୟୋଜିତ ବଶ୍ବ ପ୍ରତିଯୋଗିତା ବେଳେ ଥାଇଲାଣ୍ଡର ୮ ଜଣ ଭାରୋତ୍ତୋଳକଙ୍କ ନମୁନା ପଜିଟିଭ୍ ବାହାରିଥିଲା। ସେମାନଙ୍କ ମଧ୍ୟରେ ଦୁଇଜଣ ଅଲିମ୍ପିକ୍ସ ବିଜେତା ମଧ୍ୟ ଅନ୍ତର୍ଭୁକ୍ତ। ଏହି ଦେଶ ମଧ୍ୟ ୨୦୧୧ ଡୋପିଂ ସ୍କାଣ୍ଡାଲରେ ସଂପୃକ୍ତ ଥିଲା। ଯେଉଁଥିରେ ୭ ଜଣ ବାଳିକାଙ୍କ ନମୁନା ପଜିଟିଭ୍ ବାହାରିଥିଲା ବେଳେ ଏମାନଙ୍କ ମଧ୍ୟରୁ ପୁଣି ୬ ଜଣ ବର୍ତ୍ତମାନ ହୋଇଥିବା ପରୀକ୍ଷାରେ ଧରାପଡ଼ିଛନ୍ତି। ଏଥିପାଇଁ ଆଇଡବ୍ଲୁଏଫ୍ ଥାଇଲାଣ୍ଡ ମହାସଂଘର ସଦସ୍ୟତାକୁ ୩ ବର୍ଷ ପାଇଁ ବାତିଲ କରିଛି। ଯଦି ଥାଇଲାଣ୍ଡ ସଂଘ ସମସ୍ତ ମାର୍ଗଦର୍ଶିକାକୁ ମାନିବାକୁ ପ୍ରସ୍ତୁତ ହୁଏ ତାହେଲେ ୨୦୨୨, ମାର୍ଚ୍ଚ ୭ ତାରିଖ ପରେ ସଦସ୍ୟତା ଉପରେ ପୁନଃ ବିଚାର କରାଯାଇପାରିବ ବୋଲି କୁହାଯାଇଛି। ସେହିପରି ଜଣେ କନିଷ୍ଠ ଭାରୋତ୍ତୋଳକ ନିଷିଦ୍ଧ ଔଷଧ ସେବନ ମାମଲାରେ ଜଡ଼ିତ ଥିବା ଜର୍ମାନିର ଏକ ଟେଲିଭିଜନ୍ରେ ଖବର ପ୍ରଚାରିତ ହେବା ପରେ ଗତ ଜାନୁଆରିରେ ଥାଇଲାଣ୍ଡ ମହାସଂଘର ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ। ସେହିପରି ମାଲେସିଆର ଭାରୋତ୍ତୋଳନ ମହାସଂଘକୁ ମଧ୍ୟ ବର୍ଷେ ପାଇଁ ବାସନ୍ଦ କରାଯାଇଛି। ୨୦୨୦, ଅକ୍ଟୋବର ୧ ତାରିଖ ପରେ ଏହା ଉପରେ ପୁନଃବିଚାର କରାଯାଇପାରିବ ବୋଲି ଆଇଡବ୍ଲୁଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।
Follow Us