ରୋମ୍: ଇଟାଲିର ୧୯୮୨ ବିଶ୍ବକପ୍ ବିଜୟର ନାୟକ ତଥା ମହାନ ଫୁଟ୍ବଲର୍ ପାଓଲୋ ରୋସିଙ୍କର ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏଠାକାର ଲୋକପ୍ରିୟ କ୍ରୀଡ଼ା ଚ୍ୟାନେଲ ‘ଆର୍ଏଆଇ’ ଗୁରୁବାର ଏହି ଦୁଃଖଦ ଖବର ଦେଇଛି। ରୋସି ଏହି ଚ୍ୟାନେଲ୍ରେ ଗତ କିଛି ବର୍ଷ ହେବ ଫୁଟ୍ବଲ୍ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ। ଚ୍ୟାନେଲ ପକ୍ଷରୁ ଏହି ହୃଦୟବିଦାରକ ଖବର ପ୍ରସାରଣ କରାଯିବାର ମାତ୍ର କିଛି କ୍ଷଣ ପରେ ରୋସିଙ୍କ ପତ୍ନୀ ଫେଡେରିକା କ୍ୟାପେଲେଟି ଉୟୟଙ୍କର ଏକ ଫଟୋ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଇଟାଲି ଫୁଟ୍ବଲ୍ ଇତିହାସର ଅନ୍ୟତମ କିଂବଦନ୍ତି ପୁରୁଷ ଭାବେ ପରିଚିତ ରୋସି ଜୁଭେଣ୍ଟସ୍ ପକ୍ଷରୁ ଖେଳୁଥିଲା ବେଳେ ଦୁଇଟି ଇଟାଲିଆନ୍ ସିରିଜ୍ ଏ’ ଟ୍ରଫି ଏବଂ ଗୋଟିଏ ଲେଖାଏଁ ୟୁରୋପିଆନ୍ କପ୍ ଓ କୋପାଇଟାଲିଆ କପ୍ ଜିତିଥିଲେ। ୧୯୮୨ ବିଶ୍ବକପ୍ରେ ଏକାକୀ ୬ଟି ଗୋଲ୍ ଦେଇ ସେ ଇଟାଲିକୁ ବିଶ୍ବବିଜେତା କରାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଶକ୍ତିଶାଳୀ ବ୍ରାଜିଲ ବିପକ୍ଷରେ ହ୍ୟାଟ୍ରିକ୍ ଗୋଲ୍ ଦେବା ପରେ ପୋଲାଣ୍ଡ ବିପକ୍ଷ ସେମିଫାଇନାଲ୍ର ଦୁଇଟି ଯାକ ଗୋଲ୍ ଦେଇଥିଲେ। ସେହିଭଳି ପଶ୍ଚିମ ଜର୍ମାନି ବିପକ୍ଷରେ ଆଉ ଏକ ଗୋଲ୍ ଦେଇ ଇଟାଲିକୁ ତୃତୀୟ ଥର ପାଇଁ ବିଶ୍ବକପ୍ ବିଜେତା କରାଇଥିଲେ। ରୋସିଙ୍କ ପରଲୋକ ପରେ କିନ୍ତୁ ଇଟାଲି ସହ ସମଗ୍ର ଫୁଟ୍ବଲ୍ ଦୁନିଆରେ ଶୋକର ଛାୟା ଖେଳି ଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us