ବଟ୍‌ଲର ବିସ୍ଫୋରଣ, ସନ୍‌ରାଇଜର୍ସର ଷଷ୍ଠ ପରାଜୟ

Advertisment
ବଟ୍‌ଲର ବିସ୍ଫୋରଣ, ସନ୍‌ରାଇଜର୍ସର ଷଷ୍ଠ ପରାଜୟ

ନୂଆଦିଲ୍ଲୀ: ଷ୍ଟାଡିୟମ୍‌ ବଦଳିଲା। ଅଧିନାୟକ ବି ପରିବର୍ତ୍ତନ ହେଲେ। ହେଲେ ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଭାଗ୍ୟ ବଦଳିଲା ନାହିଁ। ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ କୁଶଳୀ କ୍ରିକେଟର କେନ୍ ୱିଲିୟମସନ୍ ଏହି ଦଳର ନେତୃତ୍ବ ଭାର ନେବା ପରେ ମଧ୍ୟ ପରାଜିତ ହେଲେ। ରବିବାର ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସଠାରୁ ୫୫ ରନ୍‌ରେ ହାରି ସନ୍‌ରାଇଜର୍ସ ହାଇଦ୍ରାବାଦ ସପ୍ତମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କଲା। ଲିଗ୍ ପର୍ଯ୍ୟାୟର ମଧ୍ୟଭାଗ ସୁଦ୍ଧା ଅଧଡଜନ ପରାଜୟ ବରଣ କରିବା ପରେ ଏହି ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିବାର ସମ୍ଭାବନା ବି ବହୁଗୁଣ ବଢ଼ିଯାଇଛି। ଗାଣିତିକ ଗଣନା ଅନୁସାରେ ସନ୍‌ରାଇଜର୍ସ କିନ୍ତୁ ପ୍ଲେ ‌ଅଫ୍ ଦୌଡ଼ରୁ ପୂରା ବାଦ୍ ପଡ଼ିନି। ତଥାପି ସାଂପ୍ରତିକ ପଏଣ୍ଟ ସ୍ଥିତିକୁ ତର୍ଜମା କଲେ ସ୍ପଷ୍ଟ ହୁଏ ଯେ କେବଳ ଦୈବୀ କରିସ୍ମା ହିଁ ଏହି ଦଳକୁ ପ୍ଲେ ଅଫ୍ ନେଇପାରିବ। ଅନ୍ୟପକ୍ଷରେ ସେହି ସପ୍ତମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରି ରାଜସ୍ଥାନ ରୟାଲ୍ସ ତା’ର ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି।

ନୂଆଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ଅଧିନାୟକ ୱିଲିୟମସନ୍‌ଙ୍କ ନିଷ୍ପତ୍ତିର ସମ୍ମାନ ରଖିବାରେ ବୋଲର ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଯଶସ୍ବୀ ଜୟସ୍ବାଲ ୧୨ ରନ୍‌ରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ‌ହେଲେ ଏହାର କୌଣସି ଫାଇଦା ସନ୍‌ରାଇଜର୍ସ ହାଇଦ୍ରାବାଦ ଆଦୌ ଉଠାଇ ପାରିନଥିଲା। ଜୋସ୍ ବଟ୍‌ଲର (୧୨୪ ରନ୍, ୬୪ ବଲ୍, ୧୧ ଚୌକା, ୮ ‌ଛକା) ଓ ପ୍ରତିପକ୍ଷ ଅଧିନାୟକ ସଞ୍ଜୁ ସାମ୍‌ସନ (୪୮ ରନ୍, ୩୩ ବଲ୍, ୪ ଚୌକା, ୨ ଛକା)ଙ୍କ ଯୋଡ଼ି ଭାଙ୍ଗିବା ପୂର୍ବରୁ ଏହି ଦଳର ବୋଲିଂ ବାହିନୀ ୧୫୦ ରନ୍ ବ୍ୟୟ କରିସାରିଥିଲା। ବଟ୍‌ଲର ଧମାକାଦାର ବ୍ୟାଟିଂ କରି ପ୍ରଥମେ ୩୯ ବଲ୍‌ରୁ ଅର୍ଦ୍ଧଶତକ ଓ ୫୬ ବଲ୍‌ରୁ ଚଳିତ ସଂସ୍କରଣରେ ବ୍ୟକ୍ତିଗତ ଭାବେ ପ୍ରଥମ ଏବଂ ନିଜ ଦଳ ପକ୍ଷରୁ ଦ୍ବିତୀୟ ଶତକ ଅର୍ଜନ କରିନେଇଥିଲେ। ବଟ୍‌ଲର ଓ ସାମସନଙ୍କ ମଧ୍ୟରେ ହୋଇଥିବା ୧୫୦ ରନ୍‌ର ଭାଗୀଦାରି ସହ ପାଳିର ଶେଷ ଭାଗରେ ରିୟାନ ପରାଗଙ୍କ ୮ ବଲ୍ ୧୫* ରନ୍ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୨୨୦ ରନ୍‌ର ବିଶାଳ ସ୍କୋର କରି ନେଇଥିଲା।

୨୨୧ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ସତ୍ତ୍ବେ ସନ୍‌ରାଇଜର୍ସ ହାଇଦ୍ରାବାଦ ପୂର୍ବତନ ଅଧିନାୟକ ୱାର୍ଣ୍ଣରଙ୍କୁ ବାଦ୍ ଦେଇଥିବାରୁ ମନୀଷ ପାଣ୍ଡେ ଓ ଜନି ବେୟାରଷ୍ଟୋଙ୍କ ଦ୍ବାରା ପାଳି ଆରମ୍ଭ କରିଥିଲା। ହେଲେ ଉଭୟ ଭଲ ଆରମ୍ଭ କରିବା ସତ୍ତ୍ବେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରିପାରିନଥିଲେ। ଅନ୍ୟପକ୍ଷରେ ମୁସ୍ତାଫିଜୁର ରେହମାନ ଓ କ୍ରିସ୍ ମୋରିସ ୩ ୱିକେଟ୍ ଲେଖାଏଁ ନେବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ରାଜସ୍ଥାନ ରୟାଲ୍ସ ୧୬୫/୮ରେ ଅଟକାଇ ଦେଇଥିଲା। ମନୀଷଙ୍କ ୩୧ ରନ୍ ହିଁ ସନ୍‌ରାଇଜର୍ସ ହାଇଦ୍ରାବାଦର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ବଟ୍‌ଲରଙ୍କୁ ତାଙ୍କ ମ୍ୟାଚ୍ ବିଜୟୀ ଓ ବିସ୍ଫୋରକ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe