ଧୋନିଙ୍କ ଅବସର ନେଇ ପ୍ରବନ୍ଧକଙ୍କ ବଡ଼ ଘୋଷଣା ‘ମାହି ଅବସର କଥା ଚିନ୍ତା କରୁନାହାନ୍ତି’

Advertisment
ଛୋଟ ସହରର ବଡ଼ ତାରକା, ମହେନ୍ଦ୍ର ସିଂହ ଧୋନି

The Hindu

ରାଞ୍ଚି: କରୋନା କାଳରେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଚର୍ଚ୍ଚା ଥମୁନି। ଧୋନି ତାଙ୍କ ଶେଷ ମ୍ୟାଚ୍ ଖେଳିସାରିଥିବା କେହି କେହି ମତ ରଖୁଥିଲା ବେଳେ ଆଉ କେହି ଧୋନିଙ୍କ ପାଖରେ ଏବେ ବି ଆଉ କିଛି ବର୍ଷର କ୍ରିକେଟ୍ ବାକି ଅଛି ବୋଲି କହୁଛନ୍ତି। ନିଜେ ଧୋନି କିନ୍ତୁ ଚୁପ୍ ଅଛନ୍ତି। ପାଟି ବି ଫିଟାଉ ନାହାନ୍ତି। ତେବେ ଏସବୁ ଚର୍ଚାରେ ବିରାମ ଲଗାଇବାକୁ ଆଗେଇ ଆସିଛନ୍ତି ତାଙ୍କ ପ୍ରବନ୍ଧକ ମିହିର ଦିବାକର। ମଙ୍ଗଳବାର ୩୯ତମ ଜନ୍ମ ଦିବସ ପାଳନ କରିଥିବା ଧୋନି ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ଦିବାକର ଗୁରୁବାର ସ୍ପଷ୍ଟ କରି ଦେଇଛନ୍ତି। ‘‘ଆମେ ଦୁଇ ଜଣ ଭଲ ବନ୍ଧୁ, ହେଲେ କ୍ରିକେଟ୍ କଥା କ୍ବଚିତ ଚର୍ଚ୍ଚା କରୁ।

ତାଙ୍କୁ (ଧୋନିଙ୍କୁ) ଦେଖିଲା ପରେ ମୁଁ ଏହା ଆତ୍ମବିଶ୍ବାସର ସହ କହିପାରିବି ଯେ ସେ ଏବେ ଅବସର କଥା ଚିନ୍ତା କରୁନାହାନ୍ତି। ଆଇପିଏଲ୍ ଖେଳିବାକୁ ଧୋନି ଅତ୍ୟନ୍ତ ବ୍ୟଗ୍ର ଓ ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି। କରୋନା ପାଇଁ ସବୁକିଛି ବନ୍ଦ ହୋଇଯିବାର ମାସକ ପୂର୍ବରୁ ହିଁ ଧୋନି ଚେନ୍ନାଇରେ ଅଭ୍ୟାସ ଆରମ୍ଭ କରି ଦେଇଥିଲେ’’ ବୋଲି ଦିବାକର ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଚଳିତବର୍ଷର ଅଇପିଏଲ୍‌କୁ ଆୟୋଜନ କରିବାକୁ ବିସିସିଆଇ ଏବେ ଚେଷ୍ଟିତ ଥିଲା ବେଳେ ଧୋନି ଏଥିରେ ନିଜ ପୁରୁଣା ଚମକ ଦେଖାଇବା ଲକ୍ଷ୍ୟରେ ଅଛନ୍ତି। ସଂପ୍ରତି ସେ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସରେ ପରିବାର ସହ ସମୟ କଟାଉଛନ୍ତି। ଶରୀରକୁ ସୁସ୍ଥ ରଖିବାକୁ ଚେଷ୍ଟା ଚଳାଇଛନ୍ତି। ଧୋନିଙ୍କ ବ୍ୟାୟାମ ସାରଣୀ ବିଷୟରେ ସୂଚନା ‌ଦେବାକୁ ଯାଇ ଦିବାକର କହିଛନ୍ତି ଯେ ଧୋନି ନିଜ ଫାର୍ମ ହାଉସରେ ନିୟମିତ ବ୍ୟାୟାମ କରୁଛନ୍ତି। ତାଲାବନ୍ଦ ଉଠିବା ପରେ ସେ ଅଭ୍ୟାସ ଆରମ୍ଭ କରିବେ। ସବୁକିଛି ପରିସ୍ଥିତି କେତେ ଶୀଘ୍ର ସ୍ବାଭାବିକ ହେବ, ତା ଉପରେ ନିର୍ଭରଶୀଳ। ସୂଚନାଯୋଗ୍ୟ ଯେ ଭାରତର ବିଶ୍ବକପ୍ ସେମିଫାଇନାଲ୍ ବିଦାୟ ପରଠାରୁ ଧୋନି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ମେ’ରେ ଖେଳାଯିବାକୁ ଥିବା ଆଇପିଏଲରେ ସେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍‌କୁ ଫେରିବାକୁ ଲକ୍ଷ୍ୟ ରଖିଥିଲେ। କରୋନା କିନ୍ତୁ ସବୁକିଛି ବିଗାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe