Ranji trophy: ବୋଲର ସୁଯୋଗ ଦେଲେ, ବ୍ୟାଟର୍ ହାତ ଟେକିଦେଲେ; ବିଦର୍ଭ ୨୮୬,‌ ଓଡ଼ିଶା ୧୨୨/୬

ଓଡ଼ିଶା ବୋଲର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବ୍ୟାଟର୍‌ମାନେ ହାତ ଟେକି ଦେଇଛନ୍ତି। ଫଳରେ ଆଉ ଏକ ପରାଜୟ ଆସନ୍ନ ହୋଇଛି। ନାଗପୁର ଜାମ୍‌ଥାର ଭିସିଏ ଷ୍ଟାଡିୟମ୍‌ରେ ଚାଲିଥିବା ବିଦର୍ଭ....

dgdadggddg

ଭୁବନେଶ୍ବର: ଓଡ଼ିଶା ବୋଲର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବ୍ୟାଟର୍‌ମାନେ ହାତ ଟେକି ଦେଇଛନ୍ତି। ଫଳରେ ଆଉ ଏକ ପରାଜୟ ଆସନ୍ନ ହୋଇଛି। ନାଗପୁର ଜାମ୍‌ଥାର ଭିସିଏ ଷ୍ଟାଡିୟମ୍‌ରେ ଚାଲିଥିବା ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ପ୍ରଥମ ପାଳି ଅଗ୍ରଣୀର ସୁବର୍ଣ୍ଣ ସୁଯୋଗକୁ ଓଡ଼ିଶା ଖେଳାଳି ହାତଛଡ଼ା କରିଛନ୍ତି। ବିଦର୍ଭର ପ୍ରଥମ ପାଳିକୁ ଓଡ଼ିଶା ବୋଲର ୨୮୬ ରନ୍‌ରେ ରୋକି ଦେଇଥିଲେ ମଧ୍ୟ ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ୧୨୨ ରନ୍‌ରେ ୬ ୱିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଛି।

ରବିବାର ସକାଳେ ବିଦର୍ଭ ୨୩୪/୫ରୁ ଖେଳିବା ପରେ ପ୍ରଥମ ଘଣ୍ଟାଏରେ କୌଣସି ୱିକେଟ୍ ନ ହରାଇବାରୁ ବଡ଼ ସ୍କୋର୍‌ କରିନେବ ବୋଲି ଆଶା କରାଯାଉଥିଲା। ବିଶେଷ କରି ଅଭିଜ୍ଞ ଧ୍ରୁବ ସୋରି ଓ ଅଧିନାୟକ ଅକ୍ଷୟ ୱାଡକର ଜମି ସାରିଥିବାରୁ ଏଭଳି ବିଶ୍ବାସ ବି ଥିଲା। କିନ୍ତୁ ଯୁବ ସ୍ପିନର୍‌ ବାଦଲ ବିଶ୍ବାଳ ଶତକ ହାସଲକାରୀ ଦିଲ୍ଲୀ ବ୍ୟାଟର୍‌ ଧ୍ରୁବ ସୋରିଙ୍କୁ ଆଉଟ୍ କରି ପଏଣ୍ଟ୍ ଅଞ୍ଚଳରେ ଥିବା ସ୍ବସ୍ତିକ ସାମଲଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ସୋରି (୧୪୪ ରନ୍) ପୂର୍ବ ଦିନର ସ୍କୋର୍‌ରେ କେବଳ ୧୬ ରନ୍ ଯୋଡ଼ିପାରିଥିଲେ। ଏହା ପରେ ଚାପରେ ପଡ଼ି ଅଧିନାୟକ ଅକ୍ଷର ୱାଡକର୍ (୨୧) ବି ପ୍ୟାଭିଲିଅନ୍ ଫେରିଯାଇଥିଲେ। ନିଜର ୪ ଓଭର ଭିତରେ ଯୁବ ଦ୍ରୁତ ବୋଲର ସମ୍ବିତ ବରାଳ ୩ ୱିକେଟ୍‌ ଦଖଲ କରି ଘରୋଇ ଦଳର ଆଶା‌ରେ ପାଣି ଭରି ଦେଇଥିଲେ। ୱାଡ୍‌କରଙ୍କୁ ଏଲବିଡବ୍‌ଲ୍ୟୁ କରିଦେବା ପରେ ୟାଶ କଦମ ଓ ଗୌରବ ଫର୍ଦେଙ୍କୁ ବୋଲ୍ଡ କରି ଦେଇଥିଲେ ସମ୍ବିତ। ପ୍ରଫୁଲ୍ଲ ହିଙ୍ଗେଙ୍କୁ ରାଜେଶ ଧୂପରଙ୍କ ଜରିଆରେ ଷ୍ଟମ୍ପିଂ କରାଇ ବାଦଲ ବିଶ୍ବାଳ ନିଜ ଦ୍ବିତୀୟ ୱିକେଟ୍‌ ସହ ବିଦର୍ଭ ପାଳିକୁ ମଧ୍ୟାହ୍ନ ଭୋଜନ ବିରତିର ଠିକ୍ ପୂର୍ବରୁ ଶେଷ କରି ଦେଇଥିଲେ। ପ୍ରଥମ ଦିନ ସଫଳ ହୋଇଥିବା ତାପସ ଦାସ ଓ ରାଜେଶ ମହାନ୍ତି ଭଲ ବୋଲିଂ କରିଥିଲେ ମଧ୍ୟ ରବିବାର ୱିକେଟ୍‌ ପାଇନଥିଲେ। ବିଦର୍ଭର ଶେଷ ୫ ୱିକେଟ୍ ମାତ୍ର ୨୪ ରନ୍‌ରେ ଦଖଲ କରି ନେଇଥିଲେ ବରାଳ ଓ ବିଶ୍ବାଳ।

ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ୩ ଓଭର ଖେଳି ବିନା କ୍ଷତିରେ ୩ ରନ୍‌ କରିଥିବା ଓଡ଼ିଶା କିନ୍ତୁ ପରବର୍ତ୍ତୀ ଦୁଇ ଅଧିବେଶନରେ ୩-୩ ୱିକେଟ୍ ହରାଇ ସୁଯୋଗ ହାତଛଡ଼ା କରିଛି। ବିଦର୍ଭ ସ୍ପିନ୍ ଆକ୍ରମଣରୁ ବୋଲିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଗୌରବ ଚୌଧୁରୀ (୨୪) ଓ ସ୍ବସ୍ତିକ ସାମଲ (୯) ପ୍ରଥମ ୱିକେଟ୍‌ ପାଇଁ ୩୩ ରନ୍ କରିଥିଲେ ମଧ୍ୟ ୪ ବଲ୍‌ ଭିତରେ ଉଭୟ ଆଉଟ୍ ହୋଇଯିବାରୁ ସମାନ ସ୍କୋର୍‌ରେ ଓଡ଼ିଶା ୩୩/୨ରେ ପହଞ୍ଚି ସଂଘର୍ଷ କରିଥିଲା। ଆଉ ଏକ ପରିସ୍ଥିତିରୁ ଦଳ ବାହାରିପାରିନଥିଲା। ଗତ ଦୁଇ ପାଳିରେ ଅର୍ଦ୍ଧଶତକ ହାସଲ କରିଥିବା ସନ୍ଦୀପ ପଟ୍ଟନାୟକ (୧୬) ବି ନିରାଶ କରିଥିଲେ। ରାଜେଶ ଧୂପର (୮) ବି ସଅଳ ଫେରିଯାଇଥିଲେ। ଅଧିନାୟକ ଶୁଭ୍ରାଂଶୁ ସେନାପତି (୪୧, ୧୧୨ ବଲ୍) ଏବଂ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର (୧୭, ୬୬ ବଲ୍‌) ଢ଼େର ସଂଘ‌ର୍ଷ କରିଥିଲେ ମଧ୍ୟ ଶେଷକୁ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ପ୍ରଥମ ପଦାର୍ପଣକାରୀ ୨୧ ବର୍ଷୀୟ ବାମହାତୀ ସ୍ପିନର୍‌ ଗୌରବ ଫର୍ଦେଙ୍କ ଅଫ୍‌ ଷ୍ଟମ୍ପ୍ ବାହାର ବଲ୍‌କୁ ଅଯଥାରେ ଖେଳି ଶୁଭ୍ରାଂଶୁ ପ୍ଲେଡ୍‌ ଅନ୍ ‌ହୋଇଯାଇଥିଲେ। ଗୋବିନ୍ଦ ପୂର୍ବ ଓଭରରେ ସ୍ଲିପ୍‌ କ୍ୟାଚ୍‌ ହାତଛଡ଼ାରୁ ଜୀବନଦାନ ପାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରିନଥିଲେ। ତାଙ୍କୁ ଦିନର ଶେଷ ବଲ୍‌ରେ କଟ୍‌ ବିହାଇଣ୍ଡ୍ କରାଇ ନେଇଥିଲେ ଫର୍ଦେ। ଓଡ଼ିଶା ଏବେ ବି ୧୬୪ ରନ୍ ପଛରେ ଥିବାରୁ ଫଲୋଅନ୍ ସୀମା (୧୩୭)ଠାରୁ ୧୫ ରନ୍ ଦୂରରେ ରହିଛି।

ସଂକ୍ଷିପ୍ତ ସ୍କୋର: ବିଦର୍ଭ ପ୍ରଥମ ପାଳି: ୧୧୮.୪ ଓଭରରେ ୨୮୬/୧୦ (ଧ୍ରୁବ ସୋରେ-୧୪୪, ରବିଶଙ୍କର ସମର୍ଥ-୪୯, ଅକ୍ଷୟ ୱାଡକର-୨୧, ସମ୍ବିତ ବରାଳ-୨୬-୭-୬୯-୩, ବାଦଲ ବିଶ୍ବାଳ-୧୭.୪-୬-୨୭-୨ ରାଜେଶ ମହାନ୍ତି-୨୮-୬-୫୭-୨, ତାପସ ଦାସ-୨୩-୧୦-୩୩-୨, ଜାମଲା ଭଞ୍ଜନ ମହାପାତ୍ର-୧୦-୨-୪୪-୧)। ଓଡ଼ିଶା ପ୍ରଥମ ପାଳି: ୫୮.୨ ଓଭରରେ ୧୨୨/୬ (ଶୁଭ୍ରାଂଶୁ ସେନାପତି-୪୧, ଗୌରବ‌ ଚୌଧୁରୀ-୨୪, ଗୌରବ ଫର୍ଦେ-୨/୨୦, ୟାଶ କଦମ-୧/୧୫, ପ୍ରଫୁଲ୍ଲ ହିଙ୍ଗେ-୧/୨୫, ନଚିକେତ ଭୂତେ-୧/୨୮, ପାର୍ଥ ରିଖେଡ୍‌-୧/୨୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe