ଏଣିକି ଚାଲାଣ କାଟିବେ କନଷ୍ଟେବଳ, ଟ୍ରାଫିକ୍‌ ଥାନାରେ ଟ୍ରେନିଂ ନେଲେ ୧୩୦ଜଣ

ଏଣିକି ଚାଲାଣ କାଟିବେ କନଷ୍ଟେବଳ, ଟ୍ରାଫିକ୍‌ ଥାନାରେ ଟ୍ରେନିଂ ନେଲେ ୧୩୦ଜଣ

ଭୁବନେଶ୍ବର: ଏଣିକି ଚାଲାଣ କାଟିବେ କନଷ୍ଟେବଳ। ପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ଆରମ୍ଭ ହୋଇଛି ତାଲିମ। ଏଜି ଛକସ୍ଥିତ ଟ୍ରାଫିକ ଥାନା ପରିସରରେ ଥିବା ଅଡିଟୋରିଅମରେରେ ଗତକାଲି ଠାରୁ ଟ୍ରେନିଂ ଆରମ୍ଭ ହୋଇଛି। ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ଓ ଅନ୍ୟ ଅଧିକାରୀମାନେ ତାଲିମ ପ୍ରଦାନ କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରରେ ଟ୍ରାଫିକରେ କାର୍ଯ୍ୟରତ ୧୩୦ ଜଣ କନଷ୍ଟେବଳ (ସ୍ନାତକ ପାସ)ଙ୍କୁ ତାଲିମ ପ୍ରଦାନ କରାଯିବ। ଥରକରେ ୧୦ରୁ ୧୫ ଜଣ ସାମିଲ ହେବେ। କେମିତି ଚାଲାଣ କଟା ଯାଉଥିବା ମେସିନ୍ ବ୍ୟବହାର କରିବେ? କେମିତି ଚାଲାଣ କାଟିବେ? ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ସହ କେମିତି ବ୍ୟବହାର କରାଯିବ? ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଉଛି। ଏହା ଶେଷ ହେବା ପରେ କିଛିଦିନ ସେମାନଙ୍କୁ ଏନଫୋର୍ସମେଣ୍ଟ ଟିମ୍ ସହ ଛଡ଼ାଯିବ। ସେଠାରୁ ସେମାନେ ଜ୍ଞାନ ହାସଲ କରିବେ। ଏହା ପରେ କମିସନରେଟ ପୁଲିସ ପକ୍ଷରୁ ପରିବହନ କମିସନରଙ୍କୁ ଅବଗତ କରାଯିବ। ସେଠାରୁ ଅନୁମତି ମିଳିବା ସହ ଚାଲାଣ ମେସିନ୍ ଆସିବା ପରେ କନଷ୍ଟେବଳ ଚାଲାଣ କାଟିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଟ୍ରାଫିକରେ ଏଏସ୍ଆଇ ଓ ପୁଲିସରେ ସବଇନ୍ସପେକ୍ଟର ପାହ୍ୟାରୁ ତଦୁର୍ଦ୍ଧ ଅଫିସରମାନେ ଚାଲାଣ କାଟୁଥିଲେ। ସୂଚନାଯୋଗ୍ୟ, କନଷ୍ଟେବଳ (ସ୍ନାତକ) ଚାଲାଣ କାଟିବା ପାଇଁ ୨୦୧୯ ସେପ୍ଟେମ୍ବର ୧୩ ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe