ଡେଡ୍‌ ବଲ୍‌ ନିୟମ ସଂଶୋଧନ ହେବ! ଆଇସିସି କମିଟି ପ୍ରସ୍ତାବ ଦେଇପାରେ

Advertisment

ଏମ୍‌ସିସି କମିଟି ଉପରେ ନିର୍ଭର କରୁଛି

ଏମ୍‌ସିସି କମିଟି ଉପରେ ନିର୍ଭର କରୁଛି

ଡେଡ୍‌ ବଲ୍‌ ନିୟମ ସଂଶୋଧନ ହେବ! ଆଇସିସି କମିଟି ପ୍ରସ୍ତାବ ଦେଇପାରେ

ନୂଆଦିଲ୍ଲୀ: ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ରେ ସବୁବେ‌ଳେ କିଛି ନୂଆ ନିୟମ ଅନୁସାରେ ମ୍ୟାଚ୍‌ ଖେଳାଯାଉଛି। ଇମ୍ପାକ୍ଟ ପ୍ଲେୟର ହେଉ କିମ୍ବା ଡିଆର୍‌ଏସ୍‌ ନିୟମରେ ଏବେ ବୈପ୍ଳବିକ ପରିବର୍ତ୍ତନ ଆସିଛି। କିନ୍ତୁ ଆନ୍ତର୍ଜାତିକ କ୍ରିକେଟ୍‌ରେ ଆଇସିସି ସବୁଗୁଡ଼ିକୁ ଲାଗୁ କରିପାରୁନାହିଁ। ଏବେ ଡେଡ୍‌ ବଲ୍‌ ନିୟମକୁ ନେଇ ବିତର୍କ ଆରମ୍ଭ ହେଲାଣି। ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ରେ ଶେଷ ବଲ୍‌ ରୋମାଞ୍ଚରୁ ଏଭଳି ବିତର୍କ ଯୁକ୍ତିସଂଗତ ହୋଇଛି। କାରଣ ମ୍ୟାଚ୍‌ ଜିତିବାକୁ ରାଜସ୍ଥାନ ରୟାଲ୍ସକୁ ଶେଷ ବଲ୍‌ରେ ୨ ରନ୍‌ ଆବଶ୍ୟକ ହେଉଥିଲା। ‌ଭୁବନେଶ୍ବର କୁମାର ମ୍ୟାଚ୍‌ର ଅନ୍ତିମ ବଲ୍‌ରେ ରୋଭମାନ୍‌ ପାୱେଲ୍‌ଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରିଥିଲେ। ପଡ଼ିଆ ଅମ୍ପାୟାର ଆଉଟ୍‌ ଦେଇଥିବାରୁ ନିୟମ ଅନୁସାରେ ଏହାପରେ ବଲ୍‌ ଡେଡ୍‌ ହୋଇଯାଇଥିଲା। କିନ୍ତୁ ତୁରନ୍ତ ପାୱେଲ୍‌ ରିଭ୍ୟୁ ନେଇଥିଲେ ଏବଂ ସମାନ ସମୟରେ ବଲ୍‌ ସୀମାରେଖା ଅତିକ୍ରମ କରିଯାଇଥିଲା। ରିଭ୍ୟୁରେ ପାୱେଲ୍‌ ଆଉଟ୍‌ ଥିବା ସ୍ପଷ୍ଟ ହୋଇଥିଲା। ତଥାପି ତୃତୀୟ ଅମ୍ପାୟାରଙ୍କ ଦ୍ବାରା ନଟ୍‌ଆଉଟ୍‌ ଘୋଷଣା ହୋଇଥିଲେ ଦଳ ୪ରନ୍‌ ପାଇପାରି ନଥାନ୍ତା। କାରଣ ପଡ଼ିଆ ଅମ୍ପାୟାର ନିଷ୍ପତ୍ତି ନେବା ବେଳଠୁ ତାହା ଡେଡ୍‌ ହୋଇସାରିଛି।

ସମାନ ସ୍ଥିତିର ଆଉ ଏକ ଦିଗ ଉପରେ ଯଦି ନଜର ପକାଇବା: ଅମ୍ପାୟାର ନଟ୍‌ଆଉଟ୍‌ ଦେବା ପରେ ବୋଲିଂ ଦଳ ଯଦି ରିଭ୍ୟୁ ନିଅନ୍ତି, ସେଠାରେ ପ୍ରଥମେ ସଂଗୃହୀତ ରନ୍‌କୁ ଗଣତିରେ ରଖାଯିବ। ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ସଂଗୃହୀତ ରନ୍‌ର ଭାଗ୍ୟ ନିର୍ଦ୍ଧାରଣ ହେବ। ଯଦି ତୃତୀୟ ଅମ୍ପାୟାର ଆଉଟ୍‌ ଦିଅନ୍ତି, ତାହେଲେ କୌଣସି ରନ୍‌ ଗଣାଯିବ ନାହିଁ। ଯଦି ତୃତୀୟ ଅମ୍ପାୟାର ନଟ୍‌ଆଉଟ୍‌ ଘୋଷଣା କରନ୍ତି, ତାହେଲେ ସଂଗୃହୀତ ରନ୍‌ ସ୍କୋର‌ ବୋର୍ଡରେ ଯୋଡ଼ାହେବ। ତେଣୁ ରିଭ୍ୟୁ ପରେ ବଲ୍‌ ଡେଡ୍‌ ‌ରହିବ କି ନାହିଁ, ଏହି ନିୟମ ଉପରେ ସଂଶୋଧନ ଆଣିବାକୁ ଅନେକ ପୂର୍ବତନ କ୍ରିକେଟର୍‌ ଦାବି କରୁଛନ୍ତି।
କ୍ରିକେଟ୍‌ ନିୟମ ଭିତରେ ଏମିତି କିଛି ଶୂନ୍ୟସ୍ଥାନ ପାଇଁ ବିଭିନ୍ନ ସମୟରେ ଦଳଗୁଡ଼ିକ ସମସ୍ୟାରେ ପଡୁଛନ୍ତି। ତଥାପି ଆଗକୁ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏଭଳି ନିୟମରେ ଆଇସିସି କୌଣସି ସଂଶୋଧନ ଆଣିବା ସମ୍ଭାବନା ନାହିଁ। କିନ୍ତୁ ବିଶ୍ବକପ୍‌ ସମୟରେ ଆଇସିସି କ୍ରିକେଟ୍‌ କମିଟିରେ ଏହି ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି।

ସଂଶୋଧନ ପ୍ରସ୍ତାବକୁ ପ୍ରଥମେ ଏମ୍‌ସିସିକୁ‌ ବି‌ଶ୍ଲେଷଣ ପାଇଁ ପଠାଯିବ। ନିୟମର ବି‌ଶ୍ଳେଷଣ ପାଇଁ ସମାନ ପରିସ୍ଥିତିରେ ଆନ୍ତର୍ଜାତିକ ଅଭିଜ୍ଞତା ରଖୁଥିବା ବ୍ୟକ୍ତିଙ୍କ ମତାମତ, ତ୍ରୁଟିଶୂନ୍ୟ ନିଷ୍ପତ୍ତି ନେବାରେ ସହାୟକ ହେବ। କିନ୍ତୁ ‌୯ଜଣିଆ ଏମ୍‌ସିସି ନିୟମାବଳୀ କମିଟିରେ ଆନ୍ତର୍ଜାତିକ କ୍ରିକେଟ୍‌ ଅଭିଜ୍ଞତା ରଖୁଥିବା ବ୍ୟକ୍ତି ମାତ୍ର ଦୁଇ ଜଣ, ଭାରତରୁ ପୂର୍ବତନ ଅମ୍ପାୟାର ସୁନ୍ଦରମ ରବି ଓ ଅଷ୍ଟ୍ରେଲିଆର ସାଇମନ ଟଫେଲ୍‌ ଥିବାରୁ ନିୟମରେ ସଂଶୋଧନ ଆସିବା ସମ୍ଭାବନା କମ୍‌ ରହୁଛି। ଏମାନଙ୍କ ବ୍ୟତୀତ କମିଟି ଅଧ୍ୟକ୍ଷ ଆଲାନ୍‌ ଫର୍ଡାମ୍‌, ଦେବୋରା ବର୍ଣ୍ସ, ବବ୍‌ ହାମ୍ପସାୟର, ଡେଭିଡ୍‌ ଜୁକ୍ସ, ପଲ୍‌ ମ୍ୟାକ୍‌ମୋହନ, କ୍ଲାଏର ପୋଲୋସକ, ସୁନ୍ଦେରିଆନ୍‌ ସନମୁଗମ୍‌ଙ୍କ ପାଖରେ ଆନ୍ତର୍ଜାତିକ ଅଭିଜ୍ଞତା ନଥିବାରୁ ସଂଶୋଧନ ପ୍ରସ୍ତାବକୁ କେତେଦୂର ଗ୍ରହଣ କରାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe