ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଚଳିତ ମାସ ୮ ଓ ୯ ତରିଖ ଦୁଇ ଦିନ ଧରି ଖେଳାଯିବାକୁ ଥିବା ଭାରତ ବିପକ୍ଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଲାଗି ବୁଧବାର ନେଦରଲାଣ୍ଡ୍ସ ମହିଳା ହକି ଦଳ ଭୁବନେଶ୍ବର ପହଞ୍ଚିଛି। ୟିବି ଜାନସେନଙ୍କ ନେତୃତ୍ବାଧୀନ ନେଦରଲାଣ୍ଡ୍ସ ଦଳ କଳିଙ୍ଗ ଷ୍ଟାଡିୟମର ନୀଳ ଟର୍ଫରେ ଖେଳିବା ନେଇ ବେଶ୍ ଉତ୍ସାହିତ ଅଛି। ଏକଥା ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଜାନସେନ କହିଛନ୍ତି। ‘‘ଭାରତ ଆସି ଆମେ ଉଲ୍ଲସିତ। ପ୍ରୋ ଲିଗ୍ ଅଭିଜ୍ଞତା ପାଇଁ ପୂରା ପ୍ରସ୍ତୁତ। ଏଠାରେ ମିଳିଥିବା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ବି ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବ।’’ ବୋଲି ମତ ରଖିଛନ୍ତି ସେ। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ନେଦରଲାଣ୍ଡ୍ସ ସଂପ୍ରତି ୬ ମ୍ୟାଚ୍ ଖେଳି ୧୭ ପଏଣ୍ଟ୍ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛି। ନିଜ ଅଭିଯାନରେ ନେଦରଲାଣ୍ଡ୍ସ ୫ ସିଧାସଳଖ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ୍କୁ ସୁଟ୍ଆଉଟ୍ରେ ଜିତିଛି। ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ୬ ମ୍ୟାଚ୍ ଖେଳି ୩ ବିଜୟ ସହ ୧୨ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।
ଭୁବନେଶ୍ବର ପହଞ୍ଚିଲା ନେଦରଲାଣ୍ଡ୍ସ ମହିଳା ହକି ଦଳ: କଳିଙ୍ଗ ଷ୍ଟାଡିୟମ୍ରେ ଭାରତକୁ ୮, ୯ରେ ଭେଟିବ
Advertisment
Follow Us