ସାଂଘାଇ: ଦୀର୍ଘ ୩ ମାସର ବ୍ୟବଧାନ ପରେ ଉହାନ୍ ଫୁଟ୍ବଲ୍ ଦଳ ଘରକୁ ଫେରିଛି। ନିଜ ସହର ଓ ପରିବାରଙ୍କ ନିକଟକୁ ଭାବପୂର୍ଣ୍ଣ ପ୍ରତ୍ୟାବର୍ତନ କରିଛନ୍ତି ଦଳର ଖେଳାଳିମାନେ। ପ୍ରଶଂସକମାନେ ମଧ୍ୟ ଭଲ ଭାବରେ ସ୍ବାଗତ ଜଣାଇଛନ୍ତି। କରୋନା ଭୂତାଣୁର ମହାକେନ୍ଦ୍ର ଉହାନ୍କୁ ଠିକ୍ ୧୦୪ ଦିନ ପରେ ଦଳ ଫେରିଛି। ବାଟ ଘାଟ ଏବଂ ଏ ସହରରୁ ସେ ସହର ହୋଇଥିଲା ଏହି ଦଳ। ଜାନୁଆରି ମାସରେ ଉହାନ୍ ସିଲ୍ ହେବା ବେଳକୁ ସ୍ପେନ୍ ଗସ୍ତରେ ଥିଲା ଉହାନ୍ ୱାଲ୍ ଦଳ। ସେଠାରେ କିଛି ଦିନ ଫସିବା ପରେ ଦଳ ଜର୍ମାନି ବାଟ ହୋଇ ମାର୍ଚ ୧୬ରେ ଚୀନ୍ର ସେଝେନ ପହଞ୍ଚିଥିଲେ। ଲକ୍ ଡାଉନ୍ ଥିବାରୁ କିନ୍ତୁ ନିଜ ସହର ଉହାନ୍କୁ ଫେରି ପାରିନଥିଲେ। ଶନିବାର ଖେଳାଳିମାନେ ମୁହଁରେ ତୁଣ୍ଡି, ହାତରେ ଫୁଲତୋଡ଼ା ଧରି ଫେରିଥିବା ବେଳେ ପ୍ରଶଂସକମାନେ ବ୍ୟାନର୍ ସହ ସ୍ବାଗତ କରିଛନ୍ତି। ବିଗତ ୩ ମାସ ଆମ ପାଇଁ ଭୟ ଓ ବିପଦର ବାତାବରଣ ଭିତରେ ବିତିଛି ବୋଲି ଦଳର ଟ୍ବିଟର୍ ପୃଷ୍ଠାରେ କୁହାଯାଇଛି। ‘ସେମାନେ ଭୂତାଣୁ ନୁହଁନ୍ତି ଖେଳାଳି’ ବୋଲି କହିଥିଲେ ଦଳର ସ୍ପେନୀୟ ପ୍ରଶିକ୍ଷକ ଜୋସ୍ ଗଞ୍ଜାଲେଜ୍।
ଖେଳାଳିମାନେ ପରିବାରଠାରୁ ଦୂରେଇ ରହିଥିବା ବେଳେ ଏଣେ ୧୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଉହାନ୍ରେ କରୋନାର କରାଳ ରୂପ ଦେଖିବାକୁ ମିଳିଥିଲା। ସଂଶୋଧିତ ତାଲିକା ଅନୁସାରେ କେବଳ ୟୁହାନରେ ମୋଟ ୩୮୬୯ ଜଣଙ୍କର ମୃତ୍ୟୁ ଘଟିଛି। ୟୁହାନ୍ ୱାଲ୍ ଦଳର ସିଏସ୍ଏଲ୍ ଅଭିଯାନ ଫେବ୍ରୁଆରି ୨୨ରୁ ଆରମ୍ଭ ହେବାର ଥିଲେ ମଧ୍ୟ ଏହା ଜୁନ୍ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରହିଛି।
Follow Us