କ୍ରୀଡ଼ା ପ୍ରଶାସନରେ ବଢ଼ୁଛି ପୂର୍ବତନ ଖେଳାଳିଙ୍କ ପ୍ରବେଶ: ଦାଦାଙ୍କ ପଥରେ ଦିଲୀପ

Advertisment
କ୍ରୀଡ଼ା ପ୍ରଶାସନରେ ବଢ଼ୁଛି ପୂର୍ବତନ ଖେଳାଳିଙ୍କ ପ୍ରବେଶ: ଦାଦାଙ୍କ ପଥରେ ଦିଲୀପ

ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ବର : ପଦ୍ମଶ୍ରୀ ତଥା ଅର୍ଜୁନ ପୁରସ୍କାର ବିଜେତା ଅଲିମ୍ପିଆନ୍ ଦିଲୀପ ତିର୍କି ନିର୍ଦ୍ବନ୍ଦ୍ବରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେବା ପରେ କେବଳ ଓଡ଼ିଶା ନୁହେଁ, ଭାରତୀୟ କ୍ରୀଡ଼ା‌ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହୋ‌ଇଛି। ଭାରତୀୟ ହକିର ସର୍ବୋଚ୍ଚ ପରିଚାଳନା ସଂସ୍ଥାର ସଭାପତି ହେବାରେ ଦିଲୀପ ହୋଇଛନ୍ତି ପ୍ରଥମ ପୂର୍ବତନ ଖେଳାଳି। ଅତୀତରେ ପ୍ରଥମ ଭାରତୀୟ ଭାବେ ୪୦୦ରୁ ଅଧିକ ହକି ମ୍ୟାଚ୍ ଖେଳିବାର ଅନନ୍ୟ କୀର୍ତ୍ତିମାନ ରଚିଥିବା ଦିଲୀପଙ୍କ ତତ୍ତ୍ବାବଧାନ ଏବଂ ମାର୍ଗଦର୍ଶନରେ ଭାରତୀୟ ହକି ଶୀର୍ଷ ଛୁଇଁବ ବୋଲି ଆଶା କରାଯାଉଛି। ଦିଲୀପ ମଧ୍ୟ ନିଜ ପ୍ରତିକ୍ରିୟାରେ ଭାରତୀୟ ହକିକୁ ଶିଖରରେ ପହଞ୍ଚାଇବାର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛନ୍ତି।

ସବୁଠାରୁ ବଡ଼ ସଂଯୋଗ ହେଲା ଭାରତୀୟ କ୍ରିକେଟ୍‌ ଭଳି ଭାରତୀୟ ହକି ପରିଚାଳନାର ସର୍ବୋଚ୍ଚ ପଦରେ ଜଣେ ପୂର୍ବତନ ଖେଳାଳିଙ୍କ ପ୍ରବେଶ। ଭାରତୀୟ କ୍ରିକେଟ୍‌ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ବିସିସିଆଇ’ ଏବେ ସୌରଭ ଗାଙ୍ଗୁଲିଙ୍କ ସଭାପତିତ୍ବରେ ଚାଲୁଛି। ସେହିଭଳି ଦେଶର ଅନ୍ୟତମ ଲୋକପ୍ରିୟ ଖେଳ ହକି ମଧ୍ୟ ଦିଲୀପଙ୍କ ଭଳି ଜଣେ ମହାନ ପୂର୍ବତନ ଖେଳାଳିଙ୍କ ହାତକୁ ଯାଇଛି। ଏ କ୍ଷେତ୍ରରେ କ୍ରିକେଟ୍ ଜଗତର ‘ମହାରାଜା’ ଗାଙ୍ଗୁଲି କିଂବଦନ୍ତି ଦିଲୀପଙ୍କ ପାଇଁ ପ୍ରେରଣା ହୋଇପାରନ୍ତି। ଏକଥା ମଧ୍ୟ ଦିଲୀପ କହିସାରିଛନ୍ତି। ସଂଯୋଗବଶତଃ ଉଭୟ ଦିଲୀପ ଓ ଗାଙ୍ଗୁଲି କ୍ରୀଡ଼ା ପରିଚାଳନାରେ ପୂର୍ବତନ ଖେଳାଳିଙ୍କ ବର୍ଦ୍ଧିତ ଭାଗୀଦାରିକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ସମ୍ପ୍ରତି ଦେଶର ତି‌ନିଟି ଲୋକପ୍ରିୟ ଖେଳ ଯଥା କ୍ରିକେଟ୍‌, ଫୁଟ୍‌ବଲ୍‌ ଓ ହକିର ପରିଚାଳନା ଦାୟିତ୍ବ ପୂର୍ବତନ ଖେଳାଳିମାନେ ହିଁ ହାତକୁ ନେଇଛନ୍ତି। ଫଳରେ ଭାରତୀୟ କ୍ରୀଡ଼ା ଐତିହାସିକ ମୋଡ଼ ନେବବୋଲି ଆଶା କରାଯାଉଛି।

publive-image କଳିଙ୍ଗ ଷ୍ଟାଡିୟମ୍‌ରେ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣାଙ୍କ ସହ ଦିଲୀପ ତିର୍କି

ଗାଙ୍ଗୁଲି ଓ ଦିଲୀପଙ୍କ ମଧ୍ୟରେ ଥିବା ଆଉ ଏକ ସଂଯୋଗ ‌ହେଲା ଉଭୟ ୪୦୦ରୁ ଅଧିକ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ଗାଙ୍ଗୁଲି ଭାରତ ପାଇଁ ୪୨୪ (୧୧୩ ଟେଷ୍ଟ୍, ୩୧୧ ଦିନିକିଆ) ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା ବେଳେ ଦିଲୀପ ୪୧୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତେବେ ଗାଙ୍ଗୁଲିଙ୍କଠାରୁ ବୟସରେ ପାଖାପାଖି ୫ ବର୍ଷ ସାନ ହୋଇଥିବାରୁ ଦିଲୀପଙ୍କ ପାଖରେ ଭାରତୀୟ କ୍ରୀଡ଼ାରେ ଆହୁରି ଆଗକୁ ଯିବାକୁ ସୁଯୋଗ ରହିଛି। ଦିଲୀପ ଓ ଗାଙ୍ଗୁଲିଙ୍କ ଭଳି ନିକଟରେ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘର ସଭାପତି କଲ୍ୟାଣ ଚୌବେ ମଧ୍ୟ ହେଉଛନ୍ତି ଜଣେ ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ ଖେଳାଳି। ୪୫ ବର୍ଷୀୟ ଚୌବେ ୧୯୯୯ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରତିନିଧିତ୍ବ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଫୁଟ୍‌ବଲ୍‌ର ଅନ୍ୟତମ ମହାନ ତାରକା ବାଇଚୁଙ୍ଗ ଭୂତିଆ ବି ଏଆଇଏଫ୍‌ଏଫ୍‌ ନିର୍ବାଚନ ଲଢ଼ିଥିଲେ। ହେଲେ ଚୌବେଙ୍କ ଠାରୁ ହାରିଯାଇଥିଲେ।

କେବଳ ଗାଙ୍ଗୁଲି କିମ୍ବା ଦିଲୀପ ନୁହନ୍ତି, ଖେଳାଳିରୁ କ୍ରୀଡ଼ା ପ୍ରଶାସକ ଭାବେ ଆଦିଲ ସୁମେରିୱାଲା (ଭାରତୀୟ ଦୌଡ଼କୁଦ ସଂଘର ସଭାପତି), ଅଞ୍ଜୁ ବବି ଜର୍ଜ (କେରଳ ରାଜ୍ୟ କ୍ରୀଡ଼ା ପରିଷଦର ମୁଖ୍ୟ, ଭାରତୀୟ ଦୌଡ଼କୁଦ ସଂଘର ବରିଷ୍ଠ ଉପସଭାପତି), ପ୍ରକାଶ ପାଦୁକୋନ (ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ), ସଲଭ ସରାଫ (ଏସୀୟ ସେଲିଂ ମହାସଂଘର ସଭାପତି) ଏବଂ ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଗ୍ରଭାଗ ଖେଳାଳି ଅଭି‌ଷେକ ଯାଦବ (ଏଆଇଏଫ୍‌ଏଫ୍‌ର ପୂର୍ବତନ ଉପ ସଂପାଦକ) ମଧ୍ୟ କ୍ରୀଡ଼ାବିତ୍‌ରୁ କ୍ରୀଡ଼ା ପ୍ରଶାସକ ଭାବେ ଜାତୀୟ ଓ ରାଜ୍ୟ ସ୍ତରରେ ନିଜ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

ପୁଣି ଥରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍
ଗାଙ୍ଗୁଲି ଯେଭଳି କନିଷ୍ଠ ସ୍ତରୀୟ କ୍ରିକେଟ୍ ଏବଂ କ୍ରିକେଟର୍‌ଙ୍କ ବିକାଶ ଉପରେ ଜୋର ଦେଇଆସୁଛନ୍ତି ଦିଲୀପ ମଧ୍ୟ ସେହିଭଳି କନିଷ୍ଠ ସ୍ତରୀୟ ହକି ଉପରେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କହିଛନ୍ତି। ସଭାପତି ନିର୍ବାଚିତ ହେବା ପରେ ପରେ ନିଜ ପ୍ରାଥମିକତାକୁ ସ୍ଥିର କରିସାରିଛନ୍ତି ସେ। ନିଜ ଚାରି ସୂତ୍ରୀ ଭବିଷ୍ୟତ ଯୋଜନା ବିଷୟରେ ସୂଚନା ଦେବାକୁ ଯାଇ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆଗାମୀ ସମୟରେ କନିଷ୍ଠସ୍ତରୀୟ ହକିର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ। ଏହି ଯୋଜନା ଅନ୍ତର୍ଗତ କନିଷ୍ଠ ସ୍ତରୀୟ ଖେଳାଳିଙ୍କୁ ସ୍ବତନ୍ତ୍ର ଯୋଜନା ମିଳିବ। ସେହିଭଳି ଆଗାମୀ ପିଢ଼ିର ଗୋଲ୍‌ରକ୍ଷକ ତଥା ଡ୍ରାଗ୍ ଫ୍ଲିକର ସୃଷ୍ଟି କରିବା ଉପରେ ମଧ୍ୟ ଜୋର ଦିଆଯିବ। ହକି ଇଣ୍ଡିଆ ଭଲ କାମ କରୁଥିଲେ ମଧ୍ୟ ଯାହା କିଛି ବି ଦୋଷ ଦୁର୍ବଳତା ରହିଛି ତାକୁ ଦୂର କରିବାକୁ ଚେଷ୍ଟା କରିବି। ତୃତୀୟ କଥା ହେଲା, ଆଗାମୀ ବର୍ଷ ରାଉରକେଲାରେ ଆୟୋଜିତ ହେବାକୁ ଥିବା‌ ବିଶ୍ବକପ୍ ପ୍ରସ୍ତୁତି ଉପରେ ମଧ୍ୟ ମୋର ସ୍ବତନ୍ତ୍ର ଧ୍ୟାନ ରହିବ। ସେହିଭଳି ହକି ଇଣ୍ଡିଆ ଲିଗ୍‌କୁ ପୁଣି ଥରେ ଆରମ୍ଭ କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ। କାର୍ଯ୍ୟକାରୀ ବୋର୍ଡ ସହ ଏଥିନେଇ ଚର୍ଚ୍ଚା କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe