ଘର ଘର ବୁଲି ବହି ବାଣ୍ଟୁଛନ୍ତି ଏଭେରେଷ୍ଟ ବିଜେତା

Advertisment
ଘର ଘର ବୁଲି ବହି ବାଣ୍ଟୁଛନ୍ତି ଏଭେରେଷ୍ଟ ବିଜେତା

ଭୁବନେଶ୍ବର: କରୋନା ଭୟାବହତାର କଠିନ ସମୟରେ ମହତ କାମରେ ମାତିଛନ୍ତି ଏଭେରେଷ୍ଟ ବିଜୟୀ ଯୋଗବ୍ୟାସ ଭୋଇ। ଘର ଘର ବୁଲି କୁନି କୁନି ପିଲାଙ୍କୁ ପଢ଼ା ବହି ବଣ୍ଟନ କରୁଛନ୍ତି ସେ। କରୋନା ପାଇଁ ପିଲାଙ୍କ ପାଠ ପଢ଼ା ଯେମିତି ବ୍ୟାଘାତ ନହୁଏ ସେଥିପ୍ରତି ଯୋଗବ୍ୟାସଙ୍କର ସ୍ବତନ୍ତ୍ର ନଜର ରହିଛି। ଏଥିରେ ତାଙ୍କୁ ସାଥୀ ଶିକ୍ଷକମାନେ ମଧ୍ୟ ସହଯୋଗ ଓ ସମର୍ଥନ କରୁଛନ୍ତି।

ଯୋଗବ୍ୟାସ ପେସାରେ ଜଣେ ଶିକ୍ଷକ ହୋଇଥିଲା ବେଳେ ତାଙ୍କ ନିଶା ହେଉଛି ପାହାଡ଼ ଚଢ଼ିବା। ତେବେ ତାଲାବନ୍ଦ ଭଳି ଅଭାବନୀୟ ସ୍ଥିତିରେ ପାହାଡ଼ଚଢ଼ା ଆପାତତଃ ବନ୍ଦ ରହିଛି। ସେଥିପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ରୁପ୍ରା ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଯୋଗବ୍ୟାସ ନିଜ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପଢ଼ା ବହି ପ୍ରଦାନ କରୁଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶରେ ବହିଗୁଡ଼ିକ ଯୋଗାଇ ଦିଆଯାଉଥିଲା ବେଳେ କରୋନା କଟକଣା ପାଇଁ ପିଲାମାନେ କିମ୍ବା ସେମାନଙ୍କ ପରିବାରବର୍ଗ ସ୍କୁଲ ଆସି ସେଗୁଡ଼ିକ ସଂଗ୍ରହ କରିବା ସମ୍ଭବ ହେଉନାହିଁ। ସେଥିପାଇଁ ଯୋଗବ୍ୟାସ ଓ ତାଙ୍କ ପଞ୍ଚାୟତର ଅନ୍ୟ ଶିକ୍ଷକମାନେ ନିଜେ ଘର ଘର ବୁଲି ପିଲାମାନଙ୍କ ନିକଟରେ ବହି ପହଞ୍ଚାଇ ଦେଉଛନ୍ତି। ଏହା ଦ୍ବାରା ପିଲାମାନେ ଘରେ ରହି ବହି ପଢ଼ିପାରିବେ। ସଂପ୍ରତି ଅନ୍ୟ କୌଣସି କାମ ନଥିବାରୁ ଆସନ୍ତା ଶିକ୍ଷାବର୍ଷ ପାଇଁ ମଧ୍ୟ ପ୍ରସ୍ତୁତି କରି ପାରିବେ। ଏହା ପୂର୍ବରୁ ଯୋଗବ୍ୟାସ ଓ ତାଙ୍କ ସାଥୀ ଶିକ୍ଷକ ଗୋଷ୍ଠୀ ଗାଁ ଗାଁ ବୁଲି ତାମିଲନାଡୁ, କେରଳ, ଗୁଜରାଟ ଭଳି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲାର ଶ୍ରମିକ ଏବଂ ରାଜ୍ୟ ବାହାରେ ରହୁଥିବା ଜିଲ୍ଲାର ଲୋକଙ୍କର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତା ସହ ଗାଁ ଗାଁ ବୁଲି ଥଣ୍ଡା, କାସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟାଗତ ସମସ୍ୟା ଥିବା ଲୋକଙ୍କ ତାଲିକା ପ୍ରସ୍ତୁତି କରୁଥିଲେ। ସେମାନେ ସର୍ଭେ କରି ସରକାରଙ୍କୁ କରୋନା ମୁକାବିଲା ଲାଗି ବହୁମୂଲ ପରାମର୍ଶ ପ୍ରଦାନ କରୁଥିଲେ। ସେହିଭଳି କରୋନା ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲାର ଶିକ୍ଷକମାନେ ଗୋଟିଏ ଦିନର ଦରମା ଦାନ କରି ସାରିଛନ୍ତି। ସେଥିମଧ୍ୟରେ ଯୋଗବ୍ୟାସ ବି ଅଛନ୍ତି। ଏସବୁ ବ୍ୟତୀତ ଯୋଗବ୍ୟାସ ଅନଲାଇନରେ ରାଜ୍ୟର ଆଗ୍ରହୀ ପର୍ବତାରୋହୀଙ୍କୁ ପାହାଡ଼ ଚଢ଼ାର ଥିଓରି ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି। କରୋନା ଆତଙ୍କ ପାଇଁ ପ୍ରାକ୍ଟିକାଲ ସମ୍ଭବ ହେଉ ନଥିବାରୁ ପର୍ବତାରୋହଣର ଅନ୍ୟ ଦିଗ ଉପରେ ଲିଖିତ ପରାମର୍ଶ ଦେଉଛନ୍ତି। ସେହିଭଳି ପର୍ବତରୋହଣକୁ ବିପଦମୁକ୍ତ ଓ ସୁଗମ କରିବା ଲାଗି ଏକ ନୂଆ ପ୍ରକାର ଯନ୍ତ୍ର ନିର୍ମାଣରେ ଅନ୍ତର୍ଜାତୀୟ ପର୍ବତାରୋହଣ ବିଶେଷଜ୍ଞମାନେ ପ୍ରୟାସ କରୁଥିଲା ବେଳେ ଏଥିଲାଗି ଯୋଗବ୍ୟାସଙ୍କ ପରାମର୍ଶ ମଧ୍ୟ ସେମାନେ ନେଇଛନ୍ତି। କରୋନା ଅଦିନିଆ ଓ ଅପ୍ରତ୍ୟାଶିତ ଆହ୍ବାନ ନେଇ ଆସିଥିବାରୁ ସତର୍କ ଓ ସୁରକ୍ଷିତ ରହିବା ସହ ନିୟମିତ କିଛିକିଛି ବ୍ୟାୟାମ କରିବା ସହ ଗରିବ, ବାସହରା ଓ ଦିନ ମଜୁରିଆଙ୍କୁ ଏଭଳି ଏକ କଠିନ ସମୟରେ ସହାୟତାର ହାତ ବଢ଼ାଇବାକୁ ଯୋଗବ୍ୟାସ ଅନୁରୋଧ କରିଛନ୍ତି। ମୋହନ ଓ ସ୍ବର୍ଗତ ପୁଷ୍ପାଞ୍ଜଳି ଭୋଇଙ୍କ ପୁଅ ଯୋଗବ୍ୟାସ ୨୦୦୫ ମସିହାରୁ ଶିକ୍ଷକତା କରୁଛନ୍ତି। ଯୋଗବ୍ୟାସ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏ‌େଭରେଷ୍ଟ ସହ, ମାଉଣ୍ଟ ଏଲବ୍ରୁଜ୍, ମାଉଣ୍ଟ ଆକନକାଗୁଆ, ମାଉଣ୍ଟ କିଲିମାଞ୍ଜେରୋ, ମାଉଣ୍ଟ ଷ୍ଟିକ୍ କାଙ୍ଗ୍ରି, ମାଉଣ୍ଟ କାର୍ଷ୍ଟେନେଜ୍ ପିରାମିଡ୍ ଭଳି ପର୍ବତର ଶିଖରରେ ପହଞ୍ଚି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe