ଦ୍ରୁତ ବୋଲରଙ୍କ ମତ ବିଭାଜିତ, ବଦଳିପାରେ ଝାଳ ଓ ଲାଳ ଘଷିବା ନିୟମ

ଦ୍ରୁତ ବୋଲରଙ୍କ ମତ ବିଭାଜିତ, ବଦଳିପାରେ ଝାଳ ଓ ଲାଳ ଘଷିବା ନିୟମ

MI Lasith Malinga in bowling action at Wankhade stadium on Saturday. Express photo by Kevin DSouza, Mumbai 25-04-2015.

ଦୁବାଇ: କରୋନା ଆତଙ୍କ ପାଇଁ ଆଇସିସି ଆସନ୍ତା ସମୟରେ ବଲ୍ ବିକୃତ ନିୟମକୁ ସଂଶୋଧନ କରିପାରେ। ବଲ୍ ଚିକ୍କଣ କରିବାକୁ ଝାଳ ଓ ଲାଳ ପରିବର୍ତ୍ତେ କୌଣସି ବାହ୍ୟ ପଦାର୍ଥ ବ୍ୟବହାର କରିବା ଲାଗି ‌ଅନୁମତି ଦେଇପାରେ। ଯାହା ପୂର୍ବରୁ ବେଆଇନ ଥିଲା। ହେଲେ ମଣିଷ ଲାଳ ଓ ଝାଳ କରୋନା ଭୂତାଣୁ ମହାମାରୀ ସଂକ୍ରମଣର ପ୍ରମୁଖ ବାହକ ବୋଲି ପ୍ରମାଣିତ ହୋଇ ସାରିଥିବାରୁ ଆଇସିସି ଏଭଳି ଏକ ପଦକ୍ଷେପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ବଲ୍‌ରେ ଝାଳ ଓ ଲାଳ ବ୍ୟବହାର କରିବା ଖେଳାଳିଙ୍କ ସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ହୋଇପାରେ ବୋଲି ମଧ୍ୟ ଆଇସିସି ସ୍ବାସ୍ଥ୍ୟ ସମିତି ହୃଦୟଙ୍ଗମ କରିଛି। ହେଲେ ଏହି ପ୍ରସ୍ତାବିତ ନିୟମ ପରିବର୍ତ୍ତନକୁ ନେଇ ଏବେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସାଧାରଣତଃ ଟେଷ୍ଟ୍ କ୍ରିକେଟ୍‌ରେ ବଲ୍‌କୁ ଚମକାଇବାର ଢେର ମହତ୍ବ ରହିଛି। ବୋଲରମାନେ ଲାଲ୍ ବଲ୍‌ର ଗୋଟିଏ ପଟକୁ ଚିକ୍କଣ କରିବା ସହ ଅନ୍ୟପଟକୁ ଏହାର ସ୍ବାଭାବିକ ସ୍ଥିତିରେ ଛାଡ଼ି ଦିଅନ୍ତି। ଏହା ଦ୍ବାରା ସେମାନେ ପାଲଟା ସୁଇଂ ପାଇବାକୁ ସକ୍ଷମ ହୁଅନ୍ତି। ସେଥିପାଇଁ ଏହି ନିୟମକୁ ନେଇ ସମଗ୍ର ବିଶ୍ବର ଦ୍ରୁତ ବୋଲର ଦୁଇ ଫାଳ ହୋଇଛନ୍ତି। ଥୋକାଏ ଏହି ପ୍ରସ୍ତାବିତ ନିୟମକୁ ନାପସନ୍ଦ କରିଥିଲା ବେଳେ ଅନ୍ୟମାନେ ଏହା ଏକ ସମୟ ଉପଯୋଗୀ ପଦକ୍ଷେପ ବୋଲି ମତ ରଖିଛନ୍ତି। ବାହ୍ୟ ପଦାର୍ଥ ଉପଯୋଗ କରିବାକୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ମନୋଜ ପ୍ରଭାକର ସମର୍ଥନ କରିଛନ୍ତି। ନିଜ ସୁଇଂ ବୋଲିଂ ପାଇଁ ପରିଚିତ ଥିବା ପ୍ରଭାକର ବୋଲରଙ୍କ ଅସ୍ତିତ୍ବ ବଜାୟ ରଖିବାର ଏହା ଏକମାତ୍ର ଉପାୟ ବୋଲି ମତ ଦେଇଛନ୍ତି। '' ଯଦି ଜଣକୁ ବଲ୍‌କୁ ଚିକ୍କଣ କରିବାକୁ ସୁଯୋଗ ଦିଆ ନଯାଏ, ତାହାଲେ ‌ମୋ ଭଳିଆ ବୋଲର କ'ଣ କରିବେ? ଯଦି ଝାଳ କିମ୍ବା ଲାଳ ବ୍ୟବହାର କରିବା ବିପଜ୍ଜନକ କୁହାଯାଉଛି, ତାହାଲେ ଏହାର ବିକଳ୍ପ ମଧ୍ୟ ଦିଆଯାଉ। ଅନ୍ୟଥା ବୋଲରଙ୍କ ପାଇଁ ଆତ୍ମସମର୍ପଣ କରିବା ହିଁ ସାର ହେବ। ବୋଲରଙ୍କୁ ସାହାଯ୍ୟ କରିବା ଲାଗି କିଛି ନା କିଛି ବାଟ ବାହାରିବା ଦରକାର। ଆଇସିସି ଏକଥ‌ା ଚିନ୍ତା କରିବା ଉଚିତ।'' ବୋଲି ପ୍ରଭାକର କହିଛନ୍ତି। ଭାସେଲିନ୍ ଓ ପିପରମେଣ୍ଟ ଭଳି ଜିନିଷ ଅତୀ‌ତରେ ଉପଯୋଗୀ ସାବ୍ୟସ୍ତ ହୋଇ ନଥିବାରୁ କୌଣସି ତୈଳଯୁକ୍ତ ଦ୍ରବ୍ୟ ବ୍ୟବହାର ଅନୁମତି ଦେବାକୁ ଆଇସିସିକୁ ସେ ଆହ୍ବାନ କରିଛନ୍ତି। ହେଲେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ପ୍ରତିଷ୍ଠିତ ପ୍ରଶିକ୍ଷକ ଟିଏ ଶେଖର ଭିନ୍ନ ମତ ପୋଷଣ କରିଛନ୍ତି। କରୋନା ବିପଦ ସଂପୂର୍ଣ୍ଣ ନଟଳିବା ପର୍ଯ୍ୟନ୍ତ କ୍ରିକେଟ୍ ଆରମ୍ଭ କରିବା ସପକ୍ଷରେ ଶେଖର ନଥିଲା ବେଳେ ଖେଳାଳିଙ୍କୁ ଝାଳ ଓ ଲାଳ ବ୍ୟବହାର କରିବାରୁ ଅଟକାଇବା କଷ୍ଟକର ହେବ ବୋଲି ମତ ଦେଇଛନ୍ତି। '' କ୍ରିକେଟ୍ ନିକଟ ଭବିଷ୍ୟତରେ ଅରମ୍ଭ ହୋଇ ପାରିବ ବୋଲି ମୁଁ ଭାବୁନାହିଁ। ଝାଳ ଓ ଲାଳ କଥା ଯଦି କୁହାଯାଏ, ଏହାର ବ୍ୟବହାରକୁ ତଦାରଖ କରିବା ସହଜ ହେବନି। କ୍ରିକେଟର ସ୍ବାଭାବିକ ଭାବେ ଏହା କରନ୍ତି। ଯଦି କେହି ଭୁଲ ବଶତଃ ଲାଳ ଉପଯୋଗ କରେ, ତାହାଲେ କ'ଣ ହେବ? ପ୍ରତିଥର କ'ଣ ଆପଣ ବଲ୍ ବଦଳାଇବେ। ଏହା ଖେଳାଳିମାନେ ଏବେ ଯେଉଁ ପରିସ୍ଥିତିରେ ଅଛନ୍ତି, ତା'ଠାରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ।'' ବୋଲି ସେ କହିଛନ୍ତି। ଏହି କ୍ରମରେ ସେ କେପଟାଉନ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ବଲ୍ ବିକୃତ ବିବାଦର ଉଦାହରଣ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe