ବର୍ମିଂହାମ : ବୃହତ୍ ବିଜୟରୁ ଭାରତୀୟ ପୁରୁଷ ହକି ଦଳ ତା’ର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ରବିବାର ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଦୁର୍ବଳ ଘାନାକୁ ୧୧-୦ ଗୋଲ୍ରେ ଏକତରଫା ଭାବେ ପରାସ୍ତ କରିଛି। ଆରମ୍ଭରୁ ଆକ୍ରମଣ କରି ଭାରତୀୟ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୫-୦ରେ ଆଗୁଆ ରହିଥିଲା। ସେହିଭଳି ଦ୍ବିତୀୟାର୍ଦ୍ଧରେ ଆଉ ୬ ଗୋଲ୍ ଦେଇ ଏକପାଖିଆ ବିଜୟ ହାସଲ କରିଥିଲା। ଯୁବ ତାରକା ହର୍ମନପ୍ରୀତ ସିଂହ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ମଧ୍ୟ ଏହା ସର୍ବବୃହତ୍ ବିଜୟ। ସେହିଭଳି ରବିବାର ବିଜୟ ଭିତରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦୦ ଗୋଲ୍ ଦେବାର ମାଇଲଖୁଣ୍ଟ ଅତିକ୍ରମ କରିଥିଲା। ଅନ୍ୟପକ୍ଷରେ ଅଧିନାୟକ ମନପ୍ରୀତ ସିଂହ ଆଜି ତାଙ୍କ ଖେଳ ଜୀବନର ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ (୨୦୧୦, ନୂଆଦିଲ୍ଲୀ) ଭାରତୀୟ ପୁରୁଷ ହକି ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ବେଳେ ଏଥର ସେହି ପ୍ରତୀକ୍ଷିତ ସ୍ବର୍ଣ୍ଣ ସନ୍ଧାନରେ ରହିଛି ଭାରତ। ତେବେ ଏକ୍ଷେତ୍ରରେ ଭାରତକୁ ଅଷ୍ଟ୍ରେଲିଆଠାରୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବ।
ଏହା ପୂର୍ବରୁ ଶନିବାର ଭାରତୀୟ ମହିଳା ହକି ଦଳ ୱେଲ୍ସକୁ ୩-୧ ଗୋଲ୍ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଥିଲା। ପ୍ରଥମ ମ୍ୟାଚ୍ରେ ମହିଳା ଦଳ ଘାନାକୁ ୫-୦ ଗୋଲ୍ରେ ପରାସ୍ତ କରିଥିଲା।
Follow Us