ହକିଗଡ଼ରେ ଫୁଟିବ ହସ: ଯୁବ କ୍ରୀଡ଼ାବିତ୍‌ଙ୍କ ହକି ପ୍ରେମ ପ୍ରଶଂସନୀୟ, କ୍ରୀଡ଼ାମନ୍ତ୍ରୀ

Advertisment
ହକିଗଡ଼ରେ ଫୁଟିବ ହସ: ଯୁବ କ୍ରୀଡ଼ାବିତ୍‌ଙ୍କ ହକି ପ୍ରେମ ପ୍ରଶଂସନୀୟ, କ୍ରୀଡ଼ାମନ୍ତ୍ରୀ

ରାଉରକେଲା: ରାଜ୍ୟ କ୍ରୀଡ଼ା ଓ ଯୁବସେବା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ଗୁରୁବାର ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ହେଲିକପ୍ଟରରେ କୋଇଡ଼ାରେ ପହଞ୍ଚିଥିଲେ। ସେଠାରୁ ସିନ୍ଥେଟିକ୍‌ ଟର୍ଫ‌୍ ନିର୍ମାଣ ପାଇଁ ଚିହ୍ନିତ ସ୍ଥାନ କୋଇଡ଼ା ପଞ୍ଚାୟତ ଧୁବୁଲାବେଡ଼ା ଯାଇଥିଲେ। ପଡ଼ିଆର ସ୍ଥିତାବସ୍ଥା ପରଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ବଣାଇଁ, ଗୁରୁଣ୍ଡିଆ, ଲାଠିକଟା ବ୍ଲକ୍‌ରେ ଥିବା ହକି ପଡ଼ିଆ ବୁଲି ଦେଖିଥିଲେ। ଗସ୍ତ ଅବସରରେ ମନ୍ତ୍ରୀ କହିଲେ, ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏକାଧିକ ପଦକ୍ଷେପ ନେଇଛନ୍ତି। କ୍ରୀଡ଼ାକୁ ଶୀର୍ଷରେ ପହଞ୍ଚାଇବାକୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି କ୍ରମରେ ପ୍ରାୟ ଶହେ କୋଟି ଟଙ୍କା ବ୍ୟୟ ଅଟକଳରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ୍‌ରେ ସିନ୍ଥେଟିକ୍‌ ଟର୍ଫ ନିର୍ମାଣ କରାଯିବ। କ୍ରୀଡ଼ା ଓ ହକିକୁ ନେଇ ସ୍ଥାନୀୟ ଯୁବ କ୍ରୀଡ଼ାବିତ୍‌ଙ୍କ ଉତ୍ସାହ ଦେଖିବାକୁ ମିଳିଛି; ଯାହାକି ବେଶ୍‌ ପ୍ରଶଂସନୀୟ।

ଏହି ଉତ୍ସାହ ଭବିଷ୍ୟତରେ ଇତିହାସ ରଚିବାକୁ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ପ୍ରକାଶଥାଉକି, ଆସନ୍ତାକାଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ପାନପୋଷ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିବେ। ଏହାସହ ବିପିୟୁଟି ପରିସରରେ ନିର୍ମାଣ ହେବାକୁ ଥିବା ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍‌ ସଂପର୍କରେ ସମୀକ୍ଷା କରିବେ। ଏତଦ୍‌ବ୍ୟତୀତ ସୁନ୍ଦରଗଡ଼ ସଦର ବ୍ଲକ୍‌ରେ ଆବଶ୍ୟକୀୟ ବ୍ୟବସ୍ଥା ସହ ଫ୍ଲଡ୍‌ ଲାଇଟ୍‌, ୧୫୦ ଜଣ ବସିବା ଭଳି ବ୍ୟବସ୍ଥା ଥିବା ଅନ୍ୟ ଏକ ନିର୍ମାଣାଧୀନ ସିନ୍ଥେଟିକ୍‌ ଟର୍ଫ‌୍ ବିଷୟରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। କ୍ରୀଡ଼ା ମନ୍ତ୍ରୀଙ୍କ ଗସ୍ତ ବେଳେ ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe