ଆଇସିସି ଚିଠା ଏଫ୍‌ଟିପିରେ ଆଇପିଏଲ୍‌କୁ ଅଢ଼େଇ ମାସ

Advertisment
ଆଇସିସି ଚିଠା ଏଫ୍‌ଟିପିରେ ଆଇପିଏଲ୍‌କୁ ଅଢ଼େଇ ମାସ

ଦୁବାଇ: ୨୦୨୩ରୁ ୨୦୨୭ ଋତୁଚକ୍ର ପାଇଁ ଆଇସିସି ପ୍ରସ୍ତୁତ କରିଥିବା ଭବିଷ୍ୟତ ଗସ୍ତ ଏବଂ କାର୍ଯ୍ୟକ୍ରମ (ଏଫ୍‌ଟିପି)ରେ ଆଇପିଏଲ୍‌କୁ ଅଢ଼େଇ ମାସର ଉତ୍ସର୍ଗୀକୃତ ଝରକା ମିଳିଛି। ଏହି ସମୟରେ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ରଖାଯିବନି। ଫଳରେ ଏଥିରେ ଅଧିକରୁ ଅଧିକ ବିଦେଶୀ ଖେଳାଳି ଅଂଶଗ୍ରହଣ କରିପାରିବେ। ଯାହା ବିଶ୍ବ କ୍ରିକେଟ୍‌ରେ ଆଇପିଏଲ୍‌ର ବଢ଼ି ବଢ଼ି ଚାଲିଥିବା ଗୁରୁତ୍ବ ତଥା ଲୋକପ୍ରିୟତାର ଆଉ ଏକ ପ୍ରମାଣ ହୋଇଛି। ଆଇପିଏଲ୍ ଲାଗି ଆଇସିସି ପୂର୍ବରୁ ମାର୍ଚ୍ଚ ଶେଷ ସପ୍ତାହରୁ ମେ’ ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ କରିଥିଲା। ଏବେ ଏହା ଜୁନ୍ ପର୍ଯ୍ୟନ୍ତ ଲମ୍ବିବାର ବାଟ ଫିଟିଛି। ସେଥପାଇଁ ଆସନ୍ତାବର୍ଷଠାରୁ ଆଇପିଏଲ୍ ମଧ୍ୟ ୭୪ ମ୍ୟାଚ୍ ପରିବର୍ତ୍ତେ ୯୪ ମ୍ୟାଚ୍ ବିଶିଷ୍ଟ ହେବ। ଆଇପିଏଲ୍‌କୁ ଆଇସିସିର ଆସନ୍ତା ଏଫ୍‌ଟିପିରେ ଅଢ଼େଇ ମାସ ସମୟ ମିଳିବ ବୋଲି ବିସିସିଆଇ ସଂପାଦକ ଜୟ ଶାହ କିଛି ଦିନ ତଳେ ଦେଇଥିବା ସା‌କ୍ଷାତକାର ଅବସରରେ କହିଥିଲେ।

ଏଥିଲାଗି ସେ ବିଭିନ୍ନ ଦେଶର କ୍ରିକେଟ୍ ବୋର୍ଡ ସହ ଆଲୋଚନା ପର୍ଯ୍ୟାଲୋଚନା କରୁଥିବା ମଧ୍ୟ ସଙ୍କେତ ଦେଇଥିଲେ। ତାଙ୍କ ପ୍ରୟାସ ପରେ ଆଇପିଏଲ୍ ଅବଧି ଏବେ ବଢ଼ିବାକୁ ଯାଉଛି। ତେବେ ଏହି ଚିଠା ପ୍ରସ୍ତାବରେ ଚଳିତମାସ ୨୫ ଓ ୨୬ ଦୁଇ ଦିନ ଧରି ବର୍ମିଂହାମରେ ଆୟୋଜିତ ହେବାକୁ ଥିବା ଆଇସିସି ବାର୍ଷିକ ବୈଠକରେ ଆନୁଷ୍ଠାନିକ ମୋହର ଲାଗିବ। ଅନ୍ୟପକ୍ଷରେ ଇଂଲଣ୍ଡ ତାର ନିଜସ୍ବ ଟ୍ବେଣ୍ଟି-୨୦ ଲିଗ୍ ହଣ୍ଡ୍ରେଜ୍ ପାଇଁ ଜୁଲାଇ-ଅଗଷ୍ଟ ଏବଂ ଅଷ୍ଟ୍ରେଲିଆ ତା’ର ଘରୋଇ ଟ୍ବେଣ୍ଟି-୨୦ ଲିଗ୍ ‘ବିଗ୍ ବାସ୍’ ଲାଗି ଜାନୁଆରି ଏବଂ ୱେଷ୍ଟଇଣ୍ଡିଜ୍ ଅଗଷ୍ଟ-ସେପ୍ଟେମ୍ବରରେ କାରବିୟାନ୍ ଲିଗ୍ ଆୟୋଜନ କରିବାର ସଙ୍କେତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe