hockey india
ନୂଆଦିଲ୍ଲୀ: କମ୍ ସମୟ ବ୍ୟବଧାନରେ ଗୁଆଙ୍ଗ୍ଝୁ ଏସୀୟ କ୍ରୀଡ଼ା ସୂଚୀ ରହିଥିବାରୁ ଏହାକୁ ଗୁରୁତ୍ବ ଦେଇ ୨୦୨୨ ବର୍ମିଙ୍ଗ୍ହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯିବାକୁ ଭାରତୀୟ ହକି ଦଳ ଯେଉଁ ନିଷ୍ପତ୍ତି ନେଇଥିଲା ସେଥିରୁ ଓହରିଯାଇଛି। ଭାରତ ମତ ବଦଳାଇବାରୁ ଏହାର ହକି ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବ ବୋଲି ବର୍ମିଙ୍ଗ୍ହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ (ସିଜିଏଫ୍) ଶନିବାର ଆନୁଷ୍ଠାନିକ ଭାବେ ସୂଚନା ଦେଇଛି। ପୂର୍ବରୁ କୋଭିଡ୍ ସଂପର୍କିତ ପ୍ରସଙ୍ଗ ସାଙ୍ଗକୁ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତାପର୍ଯ୍ୟାୟର ଅଂଶବିଶେଷ ଏସୀୟ କ୍ରୀଡ଼ା ମଧ୍ୟରେ ଅଧିକ ବ୍ୟବଧାନ ରହିନଥିବାରୁ ଭାରତ ତା’ର ହକି ଦଳକୁ ବର୍ମିଙ୍ଗହାମ୍ ନପଠାଇବାକୁ ନିଷ୍ପତ୍ତି ନେଇଥିଲା।
ତେବେ ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ନରିନ୍ଦର ବାତ୍ରା ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ହସ୍ତକ୍ଷେପ ପରେ ହକି ଇଣ୍ଡିଆ ନିଷ୍ପତ୍ତି ବଦଳାଇଛି। ଫଳରେ ଭାରତୀୟ ହକି ଦଳ ଯଦି ଯୋଗ୍ୟତା ଅର୍ଜନ କରେ ତାହାଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଶ୍ଚିତ ଅଂଶଗ୍ରହଣ କରିବ ବୋଲି ଉଭୟ ବାତ୍ରା ଓ ଠାକୁର ମିଳିତ ଭାବେ ସୂଚନା ଦେଇଛନ୍ତି। କେଉଁ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିବେ ସେ ତାଲିକା ଏବେ ବି ଆୟୋଜକ ଘୋଷଣା କରିନାହାନ୍ତି। ସମ୍ଭବତଃ ଆସନ୍ତାବର୍ଷ ଫେବ୍ରୁଆରିରେ ଏହି ତାଲିକା ପ୍ରକାଶ ପାଇବ।
ଏଠାରେ ସୂଚନଯୋଗ୍ୟ, ବର୍ମିଙ୍ଗ୍ହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସନ୍ତାବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିଲା ବେଳେ ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ସୂଚୀ ପ୍ରସ୍ତୁତ ରହିଛି। ଏଥିପାଇଁ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯିବା ପାଇଁ ହକି ଇଣ୍ଡିଆରର ନିଷ୍ପତ୍ତିକୁ କ୍ରୀଡ଼ା ମନ୍ତ୍ରୀ ସମାଲୋଚନା କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ସହ କୌଣସି ପରାମର୍ଶ ନକରି ଏଭଳି ନିଷ୍ପତ୍ତି ନେବାକୁ ସେ ପସନ୍ଦ କରିନଥିଲେ।
Follow Us