Sky Sports
ଗ୍ରେନାଡ଼ା: ତୃତୀୟ ତଥା ଶେଷ ଟେଷ୍ଟ୍ରେ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରି ଘରୋଇ ୱେଷ୍ଟଇଣ୍ଡିଜ୍ ରିଚାର୍ଡସ-ବୋଥାମ ଶୃଙ୍ଖଳାର ପ୍ରଥମ ଟ୍ରଫିକୁ ଜିତି ନେଇଛି। ଦୁଇ ଦେଶ ମଧ୍ୟରେ ପ୍ରଥମ ଦୁଇ ଟେଷ୍ଟ୍ ଅମୀମାଂସିତ ରହିଥିବା ବେଳେ ତୃତୀୟଟି ମାତ୍ର ୩ ଦିନ ଓ କିଛି ଓଭର ଖେଳରେ ଫଳାଫଳ ଦେଇଛି। ଜୋସୁଆ ଡ’ ସିଲଭାଙ୍କ ଶତକ (୧୦୦*) ଏବଂ କାଇଲ୍ ମାୟର୍ସ (୧୭-୯-୧୮-୫)ଙ୍କ ଘାତକ ବୋଲିଂ କାରଣରୁ ଏହି ଅପ୍ରତ୍ୟାଶିତ ଫଳ ମିଳିଛି। ଇଂଲଣ୍ଡର ୨୦୪ ରନ୍ ଜବାବରେ ଜୋସୂଆଙ୍କ ଶତକ କାରଣରୁ ଘରୋଇ ଦଳ ୨୯୭ ରନ୍ କରି ନେଇଥିଲା। ତେବେ ମାୟର୍ସଙ୍କୁ ମୁକାବିଲା କରିନପାରି ଇଂଲଣ୍ଡ ଦ୍ବିତୀୟ ପାଳିରେ ୧୨୦ ରନ୍ କରିବାରୁ ମ୍ୟାଚ୍ ଏକତରଫା ହୋଇଯାଇଥିଲା। ୨୮ ରନ୍ର ବିଜୟ ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ କୌଣସି ୱିକେଟ୍ ନ ହରାଇ ୪.୫ ଓଭରରେ ହାସଲ କରିନେଇଥିଲା। ଅଧିନାୟକ କ୍ରେଗ୍ ବ୍ରାଥୱେଟ୍ ୨୧ ବଲରୁ ୨୦* ରନ୍ କରିଥିଲେ। ଅପରାଜିତ ଶତକ ସହିତ ୫ କ୍ୟାଚ୍ ନେଇଥିବାରୁ ଜୋସୁଆ ଡ ସିଲଭାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ୍ ଏବଂ କ୍ରେଗ୍ ବ୍ରାଥ୍ୱେଟ୍ (ମୋଟ ୩୪୧ ରନ୍ ଓ ୧ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Follow Us