ରାଉରକେଲା: ଆଗାମୀ ୨୦୨୩ ମସିହାରେ ହକି ବିଶ୍ବକପ୍ ଭୁବନେଶ୍ବର ସମେତ ରାଉରକେଲାରେ ମଧ୍ୟ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ନିୟମିତ ବ୍ୟବଧାନରେ ରାଜ୍ୟ କ୍ରୀଡ଼ା ବିଭାଗ ଅଧିକାରୀ ରାଉରକେଲା ଗସ୍ତ କରି ସ୍ଥିତି ପରଖୁଛନ୍ତି। ଏହି କ୍ରମରେ ଆଜି ଅନ୍ତର୍ଜାତୀୟ ହକି ମହାସଂଘ(ଏଫ୍ଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା ରାଉରକେଲାରେ ପହଞ୍ଚି ଷ୍ଟାଡିୟମର ଭିତ୍ତିଭୂମି, ଆବଶ୍ୟକ ସୁବିଧାସୁଯୋଗ, ଷ୍ଟାଡିୟମ ପରିବର୍ଦ୍ଧିତ ଯୋଜନାର ସମୀକ୍ଷା କରିଛନ୍ତି। ଏହାସହ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।
ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ସିଟ୍ ବ୍ୟବସ୍ଥା, ଶୌଚାଳୟ ନିର୍ମାଣ, ଡ୍ରେସିଂ ରୁମ୍, ଖେଳ ପଡ଼ିଆ ଉନ୍ନତୀକରଣ, ବ୍ୟାୟାମଶାଳା ନିର୍ମାଣ ବ୍ଲୁ ପ୍ରିଣ୍ଟ୍ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୂର୍ବାହ୍ନରେ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା ଓ ଶୈଳେନ୍ଦ୍ର ଜେନା, ଏଫ୍ଆଇଏଚ୍ର ବିକ୍ରମ ପାଲ ସିଂହ ପ୍ରମୁଖ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ। ବୈଠକରେ ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବ, ଜିଲ୍ଲାପାଳ ନିଖୀଳ ପୱନ କଲ୍ୟାଣ, ଆର୍ଏମ୍ସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ଆର୍ଏସ୍ପି ଇଡି ରାଜ ବୀର ସିଂହ, ଆର୍ଏସ୍ପି ସିଜିଏମ୍ ଅଜୟ ନାୟକ, ଜିଏମ୍ ବି.କେ. ରାଉତ, ଆର୍ଏସ୍ପି କ୍ରୀଡ଼ା ଅଧିକାରୀ ରଘୁ ପାଢ଼ୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ୍ ପ୍ରମୁଖ ଉପସ୍ଥିତ ଥିଲେ।
Follow Us