Image Courtesy of India Today
ମୁମ୍ବାଇ: ୨୦୨୩ରୁ ୨୦୨୭ମସିହା ପର୍ଯ୍ୟନ୍ତର ୫ ବର୍ଷୀୟା ଚକ୍ର ଲାଗି ଆଇପିଏଲ୍ ଟେଲିଭିଜନ୍ ଏବଂ ଡିଜିଟାଲ୍ ପ୍ରସାରଣ ଅଧିକାର ଅବିଶ୍ବସନୀୟ ଭାବେ ୪୪,୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ବିକ୍ରି ହୋଇଛି। ଏହି ସମୟ ମଧ୍ୟରେ ଖେଳାଯିବାକୁ ଥିବା ୪୧୦ ମ୍ୟାଚ୍ର ଟିଭି ପ୍ରସାରଣ ଅଧିକାର ୨୩୫୭୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା ବେଳେ ଡିଜିଟାଲ ଅଧିକାର ୨୦,୫୦୦ କୋଟି ଟଙ୍କାର ମୋଟା ଅଙ୍କରେ ବିକ୍ରି ହୋଇଥିବା ଜଣାପଡ଼ିଛି। ଦୁଇଟି ପ୍ରସାରଣକାରୀ ସଂସ୍ଥା ପୃଥକ ପୃଥକ ଭାବେ ଏହି ଦୁଇ ପ୍ରସାରଣ ଅଧିକାର କିଣିଛନ୍ତି। ଫଳରେ ପ୍ରତ୍ୟେକ ଆଇପିଏଲ୍ ମ୍ୟାଚ୍ର ମୂଲ୍ୟ ୧୦୭ କୋଟିରୁ ଅଧିକ ଟଙ୍କା ଛୁଇଁଛି। ଯାହା ଭାରତୀୟ କ୍ରୀଡ଼ା ପାଇଁ ପୂର୍ବରୁ ଅଜଣା ଅଶୁଣା ଥିଲା।
ବିସିସିଆଇ ଏଥରର ପ୍ରସାରଣ ଅଧିକାରକୁ ତିନିଟି ବର୍ଗରେ ବିଭକ୍ତ କରି ଇ-ନିଲାମ କରିଥିଲା। ପ୍ୟାକେଜ୍ ଏ’ରେ ଟିଭି ପ୍ରସାରଣ ଅଧିକାର ଥିଲା ବେଳେ ପ୍ୟାକେଜ୍ ବି’ରେ ଜିଡିଟାଲ ପ୍ରସାରଣ ଅଧିକାର ସାମିଲ ଥିଲା। ଅନ୍ୟପକ୍ଷରେ ପ୍ୟାକେଜ୍ ସି’ରେ ପ୍ରତି ଆଇପିଏଲ୍ର ଉଦଘାଟନୀ ମ୍ୟାଚ୍, ଫାଇନାଲ୍, ତିନିଟି ପ୍ଲେ ଅଫ୍ ଏବଂ କିଛି ସପ୍ତାହାନ୍ତ ଯୁଗଳ ଲଢ଼େଇ ସାମିଲ ଥିଲା। ପ୍ୟାକେଜ୍ ସି’ର ନିଲାମ ମଧ୍ୟ ୧୭୦୦ କୋଟି ଟଙ୍କା ଟପିସାରିଛି। ତେବେ କେଉଁ ଦୁଇ କଂପାନି ପ୍ୟାକେଜ୍ ଏ’ ଏବଂ ବି’ କିଣିଛନ୍ତି ସେ ବିଷୟରେ ବିସିସିଆଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହିଁ। ତେବେ ଟେଲିଭିଜନ୍ ପ୍ରସାରଣ ଅଧିକାର ଡିସ୍ନି ଷ୍ଟାରସ୍ପୋର୍ଟସ ଏବଂ ଡିଜିଟାଲ୍ ପ୍ରସାରଣ ଅଧିକାର ଭାୟାକମ୍ ଏଇଟିନ୍ କିଣିଥିବାର ସୂଚନା ମିଳିଛି। ଇ-ନିଲାମରେ ସାମିଲ ହେବା ଲାଗି ୧୨ ସଂସ୍ଥା ଟେଣ୍ଡର ପେପର କିଣିଥିଲେ। ସେଥିମଧ୍ୟରୁ ୭ ସଂସ୍ଥା ବିଡ୍ ଦାଖଲ କରିଥିଲେ। ଶେଷ ମୁହୂର୍ତ୍ତରେ ବହୂରାଷ୍ଟ୍ରୀୟ ଇ-ବାଣିଜ୍ୟ କଂପାନି ନିଲାମ ପ୍ରକ୍ରିୟାରୁ ଓହରି ଯାଇଥିଲା।
ଏହା ପୂର୍ବରୁ ୨୦୧୭ରୁ ୨୦୨୨ ମସିହା ପର୍ଯ୍ୟନ୍ତର ପ୍ରସାରଣ ଅଧିକାରକୁ ଷ୍ଟାର ଇଣ୍ଡିଆ ୧୬୩୪୭.୫୦ କୋଟି ଟଙ୍କାରେ କିଣିଥିଲା। କଂପାନି ମ୍ୟାଚ୍ ପିଛା ୫୫ କୋଟି ଟଙ୍କା ଦେଉଥିଲା। ସେହିଭଳି ୨୦୦୮ରୁ ୨୦୧୬ର ୧୦ ବର୍ଷୀୟା କାଳ ପାଇଁ ସୋନି ପିକ୍ଚର୍ସ ୮୨୦୦ କୋଟି ଟଙ୍କା ଦେଇଥିଲା। ୨୦୧୫ ମସିହାଠାରୁ ଡିଜିଟାଲ୍ ପ୍ରସାରଣ ଅଧିକାର ବିକ୍ରି ଆରମ୍ଭ ହେବା ପରେ ୩ ବର୍ଷ ଲାଗି ନୋଭି ଡିଜିଟାଲ ନାମକ କଂପାନି ୩୦୨.୨ କୋଟି ଟଙ୍କା ଦେଇଥିଲା। ଚଳିତବର୍ଷଠାରୁ ଆଇପିଏଲ୍ ୮ ଦଳ ପରିବର୍ତ୍ତେ ୧୦ ଦଳକୁ ସଂପ୍ରସାରିତ ହୋଇଥିବାରୁ ଏଥିରୁ ମଧ୍ୟ ବିସିସିଆଇ ଲାଭବାନ ହୋଇଛି।
  
 Follow Us