ହକି ଓଡ଼ିଶା ସହଯୋଗୀ ସଦସ୍ୟକୁ ଖସିବା ପ୍ରସଙ୍ଗ ‘ମାନଦଣ୍ଡ ପୂରଣ ନକରିବା ମୁଖ୍ୟ କାରଣ’

Advertisment
ହକି ଇଣ୍ଡିଆର ସ୍ଥା‌ୟୀ ସଦସ୍ୟତା ଫେରିପାଇଲା ଓଡ଼ିଶା

image source-fairgaze

ଭୁବନେଶ୍ବର: ଭାରତୀୟ ହକି ଇତିହାସରେ ଓଡ଼ିଶା ସବୁବେଳେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି। ପଦ୍ମଶ୍ରୀ ଦିଲୀପ ତିର୍କି, ଇଗ୍ନେସ ତିର୍କି, ପ୍ରବୋଧ ତିର୍କି, ସୁନିତା ଲାକ୍ରାଙ୍କ ଭଳି ଜାତୀୟ ଅଧିନାୟକ, ଅଧିନାୟିକା ଏବଂ ପାଖାପାଖି ଦେଢ଼ ଶହ ଅନ୍ତର୍ଜାତୀୟ ହକି ତାରକା ଭାରତକୁ ଦେଇଛି ଓଡ଼ିଶା। ଓଡ଼ିଶା ମଧ୍ୟ ଢେର କିଛି ବର୍ଷ ହେବ ଭାରତୀୟ ହକିର ମୁଖ୍ୟ ପୃଷ୍ଠପୋଷକ ସାଜିଛି। ଜାତୀୟ ଦଳର ମୁଖ୍ୟ ପ୍ରାୟୋଜକ ପଦରେ ରହିଛି। ଭାରତୀୟ ଦଳର ପ୍ରଶିକ୍ଷଣ ଶିବିରଠାରୁ ଆରମ୍ଭ କରି ବହୁ ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଛି। ହକି ଇଣ୍ଡିଆ ଲିଗ୍‌ରେ ଏକ ଦଳ କିଣିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା। ସେହିଭଳି ଦୁଇଟି ବିଶ୍ବକପ୍ ଆୟୋଜନ ଅଧିକାର ପାଇଥିବା ହାତଗଣତି ଭାରତୀୟ ପ୍ରଦେଶ ଭିତରେ ଓଡ଼ିଶା ଅନ୍ୟତମ। ୨୦୧୮ରେ ଅନ୍ତର୍ଜାତୀୟ ହକି ଇତିହାସର ସଫଳତମ ବିଶ୍ବକପ୍ ଆୟୋଜନ କରିଥିଲା ଓଡ଼ିଶା।

୨୦୨୩ରେ ମଧ୍ୟ ଭୁବନେଶ୍ବର ଏବଂ ରାଉରକେଲାରେ ହକି ବିଶ୍ବକପ୍‌ର ପରବର୍ତ୍ତୀ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଭାରତୀୟ ହକି ପ୍ରତି ଅତୁଳନୀୟ ଅବଦାନର ଲମ୍ବା ତାଲିକା ଥିଲେ ମଧ୍ୟ ରାଜ୍ୟ ହକି ସଂଘ ( ହକି ଓଡ଼ିଶା) ଏବେ ଜାତୀୟ ସଂଘ (ହକି ଇଣ୍ଡିଆର)ର ସ୍ଥାୟୀ ସଦସ୍ୟ ନୁହେଁ। ସ୍ଥାୟୀ ସଦସ୍ୟ ଥିବା ୨୨ ସଂଘ ମଧ୍ୟରେ ମହନୀୟ ହକି ଇତିହାସ ଥିବା‌ ଓଡ଼ିଶା ନାହିଁ। ବରଂ ବିଡ଼ମ୍ବନା ଓ ଦୁଃଖର ବିଷୟ ଯେ ହକି ଓଡ଼ିଶା କେତେକ ଅନାମଧେୟ ଏବଂ ଛୋଟ ଛୋ‌ଟ ହକି କ୍ଷେତ୍ର ସହ ହକି ଇଣ୍ଡିଆ‌ର ସହଯୋଗୀ ସଦସ୍ୟ ତାଲିକାରେ ସ୍ଥାନ ପାଇଛି। ହକି ଇଣ୍ଡିଆର ସହଯୋଗୀ ସଦସ୍ୟ ଥିବା ହକି ଗାଙ୍ଗପୁର ଓଡ଼ିଶାର ସଦସ୍ୟତା ବି ବାତିଲ କରିଦିଆଯାଇଛି। ଯାହା ରାଜ୍ୟର ହକି ତାରକା ଏବଂ ଲକ୍ଷ ଲକ୍ଷ ହକିପ୍ରେମୀଙ୍କୁ ବ୍ୟଥିତ କରିଛି। ପୂର୍ବରୁ ଏଥିନେଇ ରାଜ୍ୟ ଗଣମାଧ୍ୟମରେ ଢେର ଚର୍ଚା ହୋଇଥିଲା ବେଳେ ଓଡ଼ିଶା ଯଦି ସ୍ଥାୟୀ ସଦସ୍ୟତା ପାଉନି, ତାହାଲେ ଭାରତୀୟ ହକି ପାଇଁ ରାଜ୍ୟ କାହିଁକି ଏତେ ଟଙ୍କା ବ୍ୟୟ କରୁଛି ବୋଲି ପ୍ରଶ୍ନ ଉଠୁଛି। ଶନିବାର ଏହି ମାମଲାରେ କ୍ରୀଡ଼ା‌ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ମୁହଁ ଖୋଲିଛନ୍ତି। ଓଡିଶା ଓମେନ୍ସ ଲିଗ୍ ଫୁଟବଲ୍ ପ୍ରତିଯୋଗିତା ନେଇ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ସମ୍ବାଦ’ ପକ୍ଷରୁ ପଚାରା ଯାଇଥିବା ଏହି ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦେବ କହିଥି‌ଲେ ଯେ ସ୍ଥାୟୀ ସଦସ୍ୟତା ପାଇଁ କିଛି ମାନଦଣ୍ଡ ପୂରଣ କରିବାକୁ ହୋଇଥାଏ। ରାଜ୍ୟ ସଂଘ (ହକି ଓଡ଼ିଶା) ଏହି କ୍ଷେତ୍ରରେ ପଛୁଆ ରହିଛି। ଆବଶ୍ୟକ ମାନଦଣ୍ଡ ପୂରଣ କରିନି। ସେଥିପାଇଁ ସମ୍ଭବତଃ ସହଯୋଗୀ ସଦସ୍ୟକୁ ଖସିଛି। ଏହା ହକି ଇଣ୍ଡିଆ ଏବଂ ହକି ଓଡ଼ିଶା ଭିତିର କଥା। ଆମର ଏଥିରେ କୌଣସି ଭୂମିକା ନାର୍ହି। ତଥାପି ଆମେ ଉପଯୁକ୍ତ ମଞ୍ଚରେ ଏହି ମାମଲା ଉଠାଇବାକୁ ଚେଷ୍ଟା କରିବୁ। ଶ୍ରୀ ଦେବଙ୍କ ଏହି ମନ୍ତବ୍ୟ ପରେ କିନ୍ତୁ ଓଡ଼ିଶା ପୁଣି ଥରେ ସ୍ଥାୟୀ ସଦସ୍ୟତା ଫେରି ପାଇବାର ଆଶା ଜାଗ୍ରତ ହୋଇଛି।

ସୂଚନାଯୋଗ୍ୟ ଯେ ଅତୀତରେ ସେହି କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ତର୍ଜାତୀୟ ହକି ମହାସଂଘର ବର୍ତ୍ତମାନର ସଭାପତି ତଥା ହକି ଇଣ୍ଡିଆର ପୂର୍ବତନ ସଭାପତି ନ‌ରିନ୍ଦର ବାତ୍ରା ମଧ୍ୟ ହକି ଓଡ଼ିଶାର କାର୍ଯ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋ‌ଷ ଜାହିର କରିଥିଲେ। ଅଧିକ ପେସାଦାର ହେବାକୁ ଆହ୍ବାନ କରିଥିଲେ। ଏବେ କ୍ରୀଡ଼ା ସଚିବ ମଧ୍ୟ ଓଡ଼ିଶା ସହଯୋଗୀ ସଦସ୍ୟ ପଦକୁ ଖସିବା ନେଇ ପରୋକ୍ଷରେ ରାଜ୍ୟ ହକି ସଂଘକୁ ଦାୟୀ କରିଛନ୍ତି। ତେବେ କେତେକ ନିର୍ଦ୍ଦିଷ୍ଟ ସଂଘ ମାନଦଣ୍ଡ ପୂରଣ ନ କରି ମଧ୍ୟ ସ୍ଥାୟୀ ସଦସ୍ୟତା ତାଲିକାରେ ଅଛନ୍ତି। ହକି ଓଡ଼ିଶାକୁ କାହିଁକି ଏଥିରୁ ବାଦ୍‌ ଦିଆଗଲା ବୋଲି ହକି ଓଡ଼ିଶା ସଂପାଦକ ପ୍ରତାପ ଶତପଥୀ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ। ତେବେ ଏହି ମାମଲା ସହ ରାଜ୍ୟ ହକିର ମାନସମ୍ମାନ ଜଡ଼ିତ ଥିବାରୁ ରାଜ୍ୟ ସରକାର ନିଜ ଆଡ଼ୁ ଏକଥା ହକି ଇଣ୍ଡିଆ ପାଖରେ ଉଠାଇ ଏବଂ ହକି ଓଡ଼ିଶାକୁ ତୁରନ୍ତ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ନିର୍ଦ୍ଦେଶ ଦେବାକୁ ସାଧାରଣ ହକିପ୍ରେମୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe