ହକି ଇଣ୍ଡିଆ ଆଡ୍‌ ହକ୍‌ କମିଟିକୁ ନେଇ ଚାଲିବ ଆଇନ୍‌ ଯୁଦ୍ଧ, ରଜ ଛୁଟି ପରେ ହାଇକୋର୍ଟ ଯିବ ହକି`ଓଡ଼ିଶା

Advertisment

ପୂର୍ବରୁ ବି ହକି ଇଣ୍ଡିଆ ବିରୋଧରେ ହାଇକୋର୍ଟରେ ବିଜୟୀ ହୋଇଥିଲା ହକି ଓଡ଼ିଶା

ପୂର୍ବରୁ ବି ହକି ଇଣ୍ଡିଆ ବିରୋଧରେ ହାଇକୋର୍ଟରେ ବିଜୟୀ ହୋଇଥିଲା ହକି ଓଡ଼ିଶା

ହକି ଇଣ୍ଡିଆର ସ୍ଥା‌ୟୀ ସଦସ୍ୟତା ଫେରିପାଇଲା ଓଡ଼ିଶା

image source-fairgaze

କଟକ: ହକି ଇଣ୍ଡିଆର ମନମୁଖୀ କାମ ବିରୋଧରେ ଆଇନଗତ ଆଶ୍ରୟ ନେବାକୁ ଏକପ୍ରକାର ନିଷ୍ପତ୍ତି ନେଇସାରିଛି ହକି ଓଡ଼ିଶା। ରଜ ଛୁଟି ପରେ କୋର୍ଟ ଖୋଲିଲେ ହକି ଇଣ୍ଡିଆ ବିପକ୍ଷରେ ଏକ ପିଟିସିନ୍‌ ଦାଖଲ କରାଯିବ ବୋଲି ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଓଡ଼ିଶା ହକି ଦଳକୁ ଜାତୀୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯିବା ଘଟଣାକୁ ନେଇ ହକି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବେଳେ ଜିତାପଟ୍‌ ପାଇଥିଲା। ହକି ଇଣ୍ଡିଆ ବାରମ୍ବାର ଓଡ଼ିଶା ଉପରେ ‌କଠୋର ହେଉଥିବାରୁ ଭବିଷ୍ୟତରେ ଓଡ଼ିଶା ସଂଘ ଉପରେ ବଡ଼ ପଦକ୍ଷେପ ନିଆଯାଇପାରେ ବୋଲି ଅନୁମାନ କରାଯାଉଥିଲା। ଶେଷରେ ତାହା ହିଁ ହେଲା। ଓଡ଼ିଶା‌େର ହକି ପରିଚାଳନା ପାଇଁ ହକି ଇଣ୍ଡିଆ ଆଡ୍‌ ହକ୍‌ କମିଟି ଗଠନ କରି ହକି ଓଡ଼ିଶା ସହିତ ଏକ ଯୁଦ୍ଧର ଡାକରା ଦେଇସାରିଥିବା କୁହାଯାଉଛି।

ପୂର୍ବରୁ ଗତ ଜାନୁଆରିରେ ଖେଳାଯାଇଥିବା ଜାତୀୟ ପୁରୁଷ ହକି ପ୍ରତିଯୋଗିତାରୁ ଓଡ଼ିଶାକୁ ବାଦ୍‌ ଦିଆଯାଇଥିଲା। ଅନ୍‌ଲାଇନ୍‌ ପୋର୍ଟାଲରେ ନିର୍ଧାରିତ ସମୟ ସୁଦ୍ଧା ଖେଳାଳିଙ୍କ ନାମ ପଞ୍ଜିକରଣ କରାଯାଇପାରିନଥିବାରୁ ମହାସଂଘ ପକ୍ଷରୁ ଓଡ଼ିଶାର ଅଂଶଗ୍ରହଣକୁ ଗ୍ରହଣ କରିନଥିଲା। ତେବେ ଆଇନଗତ ଲଢେଇ ଆରମ୍ଭ ହେବାରୁ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ଓଡ଼ିଶା ପରି ସିଏଜି ମଧ୍ୟ ନିର୍ଧାରିତ ସମୟ ମଧ୍ୟରେ ଖେଳାଳିଙ୍କ ନାମ ପଞ୍ଜୀକରଣ କରିପାରିନଥିଲେ ସୁଦ୍ଧା ଏହି ଦଳକୁ ଖେଳିବାକୁ ଅନୁମତି ମିଳିଥିଲା। ଏହାକୁ ଆଧାର କରି ହକି ଓଡ଼ିଶା ପକ୍ଷରୁ କୋର୍ଟରେ ପକ୍ଷ ରଖାଯାଇ ଖେଳିବାକୁ ଅନୁମତି ଦିଆଯାଉ ବୋଲି ପ୍ରାର୍ଥନା କରାଯାଇଥିଲା। କୋର୍ଟ ମଧ୍ୟ ଆବେଦନକୁ ବିଚାରକୁ ନେଇ ହକି ଓଡ଼ିଶାକୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେବା ପାଇଁ ହକି ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ।

ଏବେ ପୁଣି ଥରେ ଆଇନଗତ ଲଢେଇ ପାଇଁ ହକି ଇଣ୍ଡିଆ ପରୋକ୍ଷରେ ଆହ୍ବାନ ଦେଇସାରିଥିବାରୁ ହକି ଓଡ଼ିଶା ମଧ୍ୟ ଏଥିପାଇଁ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରହିଛି। ଠିକ୍‌ ସମୟରେ ହକି ଇଣ୍ଡିଆକୁ ଉଚିତ ଜବାବ ମିଳିଯିବ ବୋଲି ପ୍ରତାପ ଶତପଥୀ ପ୍ରତିକ୍ରିୟା ଦେଇଛନ୍ତି। ହକି ଓଡ଼ିଶା ଏକ ସ୍ବୟଂଶାସିତ ସଂଘ ହୋଇଥିବାରୁ ଏହାର ସ୍ବୀକୃତି ପ୍ରତ୍ୟାହାର ନକରାଯିବା ପର୍ଯ୍ୟନ୍ତ ଆଡ୍‌ ହକ୍‌ କମିଟି ଗଠନ କରାଯିବା ବେଆଇନ। ଯଦି ହକି ଇଣ୍ଡିଆ ସମ୍ବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇଥିବା କହୁଥାଏ, ତାହେଲେ ସବୁ ରାଜ୍ୟ ସଂଘଙ୍କ ପ୍ରତି ସମାନ ଆଚରଣ ପ୍ରଦର୍ଶନ କାହିଁକି କରୁନାହିଁ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି। ବରଂ ଓଡ଼ିଶା ସରକାରଙ୍କଠୁ ପୂର୍ଣ୍ଣ ସହଯୋଗ ପାଇବା ସତ୍ତ୍ବେ ରାଜ୍ୟ ସଂଘକୁ ଅଣଦେଖା କରିବା ନୀତି ବିରୋଧୀ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe