ପଦକ ଆଶା ଦେଲେ ପୂଜା, ଦୀପିକା, ସିନ୍ଧୁ

Advertisment

ପଦାର୍ପଣରେ ପୂଜାଙ୍କ ଚମକ: ପଦକଠୁ ଗୋଟିଏ ପାଦ ଦୂରରେ

ପଦାର୍ପଣରେ ପୂଜାଙ୍କ ଚମକ: ପଦକଠୁ ଗୋଟିଏ ପାଦ ଦୂରରେ

ପଦକ ଆଶା ଦେଲେ ପୂଜା, ଦୀପିକା, ସିନ୍ଧୁ

ଟୋକିଓ: ଭାରତର ୩ ମହିଳା କ୍ରୀଡ଼ାବିତ୍‌ ପୂଜା ରାଣୀ, ଦୀପିକା କୁମାରୀ ଏବଂ ପିଭି ସିନ୍ଧୁ ବୁଧବାର ଚମତ୍କାର ପ୍ରଦର୍ଶନ ଜାରିଆରେ ପଦକ ଆଶ‌ା ଉଜ୍ଜୀବିତ ରଖିଛନ୍ତି। ମୁଷ୍ଟିଯୋଦ୍ଧା ପୂଜା କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ପଦକଠୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ତୀରନ୍ଦାଜ ଦୀପିକା ବ୍ୟକ୍ତିଗତ ବର୍ଗରେ ବୁଧବାରର ଦୁଇଟି ଯାକ ମ୍ୟାଚ୍‌ ଜିତି ପ୍ରିକ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ବ୍ୟାଡ୍‌ମିଣ୍ଟନ୍‌ ତାରକା ସିନ୍ଧୁ ଗ୍ରୁପ୍‌-ଏ ବିଜେତା ହୋଇ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ତେବେ ଗ୍ରେଟ୍‌ ବ୍ରିଟେନ୍‌ଠୁ ଭାରତୀୟ ମହିଳା ହକି ଦଳର ପରଜାୟ ଏବଂ ତୀରନ୍ଦାଜ ତରୁଣଦୀପ ରୟ ଓ ପ୍ରବୀଣ ଯାଦବ ଦ୍ବିତୀୟ ରାଉଣ୍ଡରୁ ବିଦା ନେବା ଦେଶ ପାଇଁ ନିରାଶାଜନକ ଖବର ଥିଲା। ଅନ୍ୟପକ୍ଷରେ ଭାରତ ଗୋଟିଏ (ଭାରୋତ୍ତୋଳକ ମୀରାବାଇ ଚାନୁଙ୍କ ରୌପ୍ୟ) ପଦକ ସହ ଟେବୁଲ ୪୨ତମ ସ୍ଥାନକୁ ଖସିଛି। ଆୟୋଜକ ଜାପାନ ନିଜର ଦବ୍‌ଦବା ଜାରିରଖି ୨୨ (୧୩ ସ୍ବର୍ଣ୍ଣ, ୪ ରୌପ୍ୟ, ୫ କାଂସ୍ୟ) ପଦକ ସହ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଚୀନ (୨୭ ପଦକ, ୧୨ ସ୍ବର୍ଣ୍ଣ, ୬ ରୌପ୍ୟ, ୯ କାଂସ୍ୟ) ଏବଂ ଆମେରିକା (୩୧ ପଦକ, ୧୧ ସ୍ବର୍ଣ୍ଣ, ୧୧ ରୌପ୍ୟ, ୯ କାଂସ୍ୟ) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ପଦାର୍ପଣରେ ପୂଜାଙ୍କ ଚମକ: ପଦକଠୁ ଗୋଟିଏ ପାଦ ଦୂରରେ
ଭ‌ାରତୀୟ ମୁଷ୍ଟିଯୋଦ୍ଧା ପୂଜା ରାଣୀ (୭୫ କେଜି) ଅଲିମ୍ପିକ୍ସ ପଦାର୍ପଣରେ ନିଜ ଚମକ ଦେଖାଇଛନ୍ତି। ବୁଧବାର ପ୍ରଥମ ରାଉଣ୍ଡରେ ୩୦ ବର୍ଷୀୟା ହରିଆଣା ମୁଷ୍ଟିଯୋଦ୍ଧା ଆଉଟ୍‌ ପଞ୍ଚ୍‌ରେ ନିଜଠୁ ୧୦ ବର୍ଷ ସାନ ଆଲ୍‌ଜେରିଆର ଇଚରାକ ଚୈବଙ୍କୁ ଧରାଶାୟୀ କରିଥିଲେ। ୫-୦ରେ ବିଜୟ ସହ ଦୁଇଥରର ଏହି ଏସୀୟ ବିଜୟିନୀ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଏଥିସହିତ ପଦକଠୁ ଗୋଟଏ ପାଦ ‌ଦୂରରେ ରହିଛନ୍ତି। ୩୧ ତାରିଖରେ ସେ ଅଲିମ୍ପିକ୍ସ କାଂସ୍ୟ ଏବଂ ପୂର୍ବତନ ବିଶ୍ବ ସ୍ବର୍ଣ୍ଣ ବିଜୟିନୀ ଚୀନ୍‌ର ଲି କ୍ବାନ୍‌ଙ୍କୁ ଭେଟିବେ। ଏହି ମ୍ୟାଚ୍‌ ଜିତିନେଲେ ପୂଜାଙ୍କୁ ଅତିକମ୍‌ରେ କାଂସ୍ୟ ପଦକ ନିଶ୍ଚିତ ହୋଇଯିବ।

ବ୍ୟାଡ୍‌ମିଣ୍ଟନ; ପ୍ରିକ୍ବାର୍ଟରରେ ସିନ୍ଧୁ, ପ୍ରଣୀତ ବିଦା
ବିଶ୍ବ ବିଜୟିନୀ ପିଭି ସିନ୍ଧୁ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତେବେ ପୁରୁଷ ଏକକ ଗ୍ରୁପ୍‌ ପର୍ଯ୍ୟାୟରୁ ବି ସାଇ ପ୍ରଣୀତ ବିଦାୟ ନେଇଛନ୍ତି। ରିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ୨୬ ବର୍ଷୀୟା ସିନ୍ଧୁ ଗ୍ରୁପ୍‌-ଜେ’ର ଦୁଇଟି ଯାକ ମ୍ୟାଚ୍‌ ଜିତି ନକ୍‌ଆଉଟ୍‌ରେ ସ୍ଥାନ ପକ୍କା କରିଥିଲେ। ବୁଧବାର ଦ୍ବିତୀୟ ମ୍ୟାଚ୍‌ରେ ସେ ୨୧-୯, ୨୧-୧୬ରେ ବିଶ୍ବର ୩୪ ନମ୍ବର ହଂକଂର ଏନ୍‌ ୱା ଚ୍ୟୁଙ୍ଗଙ୍କୁ ପରାସ୍ତ କରିଥିଲେ। ଚ୍ୟୁଙ୍ଗଙ୍କ ବିପକ୍ଷରେ ସିନ୍ଧୁଙ୍କ ଏହା ଷଷ୍ଠ ବିଜୟ। ପ୍ରିକ୍ବାର୍ଟର ଫାଇନାଲ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ସିନ୍ଧୁ ଦ୍ବାଦଶ ମାନ୍ୟତାପ୍ରାପ୍ତ ଡେନ୍‌ମାର୍କର ମିଆ ବ୍ଲିଚଫେ୍‌ଲଡ୍‌ଙ୍କୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ଏକକ ଗ୍ରୁପ୍‌-ଏର ପ୍ରଥମ ମ୍ୟାଚ୍‌ ହାରିଥିବା ତ୍ରୟୋଦଶ ମାନ୍ୟତାପ୍ରାପ୍ତ ପ୍ରଣୀତ ୧୪-୨୧, ୧୪-୨୧ରେ ନେଦରଲାଣ୍ଡର ମାର୍କ କଲ୍‌ଜଙ୍କଠୁ ପରାସ୍ତ ହୋଇଥିଲେ। ଦୁଇଟି ଯାକ ଗ୍ରୁପ୍‌ ମ୍ୟାଚ୍‌ ହାରିବାରୁ ପ୍ରଣୀତଙ୍କ ଅଭିଯାନ ଏହିଠାରେ ହିଁ ଶେଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe