USOpen.org
ନ୍ୟୁୟର୍କ: ଏବର୍ଷର ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାକୁ ଉଭୟ ମହିଳା ଓ ପୁରୁଷ ଏକକରେ ନୂଆ ବିଜେତା ମିଳିଯାଇଛି। ତା ସହ ଏଠାରେ ଆଉ ଏକ ନୂଆ କଥା ବି ଦେଖିବାକୁ ମିଳିଛି। ନୋଭାକ ଜୋକୋଭିକ ଓ ଡାନିଲ ମେଦଭେଦେଭଙ୍କ ମଧ୍ୟରେ ଖେଳାଯାଇଥିବା ପୁରୁଷ ଏକକ ଫାଇନାଲ୍ର ଦର୍ଶକ ସଂଖ୍ୟାକୁ ଏମ୍ମା ରାଦକାନୁ ଓ ଲିଲାହ ଫର୍ଣ୍ଣାଣ୍ଡିସଙ୍କ ମଧ୍ୟରେ ଖେଳାଯାଇଥିବା ମହିଳା ଏକକ ଫାଇନାଲର ଦର୍ଶକ ସଂଖ୍ୟା ଟପିଯାଇଥିଲା। ଶନିବାର ରାତିର ମହିଳା ଏକକ ଫାଇନାଲ୍ର ସିଧାପ୍ରସାରଣକୁ ୩.୪ ନିୟୁତ ବା ୩୪ ଲକ୍ଷ ଲୋକ ଦେଖିଥିଲେ। ଅନ୍ୟପକ୍ଷରେ ପୁରୁଷ ଏକକ ଫାଇନାଲ୍ର ଟେଲିଭିଜନ୍ ଦର୍ଶକ ସଂଖ୍ୟା ଥିଲା ମାତ୍ର ୨.୭ ନିୟୁତ ବା ୨୭ ଲକ୍ଷ।
ଓପନ ଏରା ଆରମ୍ଭ ହେବା ପରଠାରୁ ଦୁଇ କିଶୋରୀ ଓ ଅଣସିଡେଡ୍ ତାରକାଙ୍କ ମଧ୍ୟରେ ଖେଳାଯାଇଥିବା ମହିଳା ଏକକ ଫାଇନାଲ୍ର ହାରାହାରି ଟେଲିଭିଜନ୍ ଦର୍ଶକ ସଂଖ୍ୟା ଥିଲା ୨.୪୪ ନିୟୁତ। ଯାହା ଗତବର୍ଷ ନାଓମି ଓସାକା ଓ ଭିକ୍ଟୋରିଆ ଆଝାରେଙ୍କାଙ୍କ ମଧ୍ୟରେ ଖେଳା ଯାଇଥିବା ମହିଳା ଏକକ ଫାଇନାଲ୍ର ହାରାହରି ଦର୍ଶକ ସଂଖ୍ୟାଠାରୁ ୩୭ ପ୍ରତିଶତ ଅଧିକ ଥିଲା। ସେହିଭଳି ୧୮ ବର୍ଷୀୟା ବ୍ରିଟିଶ୍ ତାରକା ରାଦକାନୁ ଯୋଗ୍ୟତା ପର୍ଯ୍ୟାୟରୁ ଯାଇ ବିଜୟିନୀ ହେବାରେ ପ୍ରଥମ ଖେଳାଳି ହୋଇଥିଲେ। ଅନ୍ୟପକ୍ଷରେ ପୁରୁଷ ଏକକରେ ରୁଷିଆର ମେଦଭେଦେଭ ବିଜେତା ହୋଇଥିଲେ। ଏହା ମଧ୍ୟ ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଥିଲା। ମୋଟ ଉପରେ ଚଳିତବର୍ଷର ୟୁଏସ୍ ଓପନ୍ ଦର୍ଶକ ସଂଖ୍ୟା ଗତବର୍ଷଠାରୁ ୩୩ ପ୍ରତିଶତ ଅଧିକ ଥିଲା।
Follow Us