ନଭେମ୍ବରଠୁ କ୍ରିକେଟ୍‌ ଆରମ୍ଭ କରିବାକୁ ଓସିଏର ଆଶା

ବିସିସିଆଇ ଢାଞ୍ଚାରେ ଖେଳାଳିଙ୍କ ବୟସ ଯାଞ୍ଚ ହେବାକୁଥିବାରୁ ଜାଲିଆତିର ପ୍ରଶ୍ନ ଉଠୁନି: ସ˚ଜୟ

ଓସିଏ ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍‌ ୧୪ରୁ

କଟକ: କଟକଣା ଭିତରେ କିପରି କ୍ରିକେଟ୍‌ ଆରମ୍ଭ ହେବ ସେଥିପାଇଁ ବିସିସିଆଇ ଏସ୍‌ଓପି ଜାରି କରିବା ପରେ ଓଡ଼ିଶା କ୍ରିକେଟ୍‌ ସ˚ଘ (ଓସିଏ) ମଧ୍ୟ ଏଦିଗରେ ତତ୍ପରତା ଦେଖାଇଛି। ନଭେମ୍ବରରୁ ରାଜ୍ୟରେ କ୍ରିକେଟ୍‌ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଓସିଏ ଯୋଜନା କରିଛି। ତଥାପି ରାଜ୍ୟ ସରକାରଙ୍କ କୋଭିଡ୍‌ ସ˚ପର୍କିତ ନୂଆ ନୀତିନିୟମ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଯଦି ରାଜ୍ୟ ସରକାର ଅନୁମତି ଦିଅନ୍ତି, ତାହେଲେ ଏସ୍‌ଓପି ଅନୁଯାୟୀ କ୍ରିକେଟ୍‌ ଶିବିର ଓ ମ୍ୟାଚ୍‌ ଆରମ୍ଭ କରାଯିବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି।

ବିସିସିଆଇ ଯେଉଁ ଏସ୍‌ଓପି ଦେଇଛି ସେସବୁକୁ ପାଳନ କରାଯିବ। ରାଜ୍ୟ ସରକାରଙ୍କଠୁ ଅନୁମତି ମିଳିଲେ ପ୍ରତିଯୋଗିତା ଓ ବୈଷୟିକ ସମିତି ବୈଠକ ଡକାଯାଇ ଏସ୍‌ଓପି ପରିଚାଳନା ସମ୍ପର୍କରେ ଆଲୋଚନା ହେବ। ତେଣୁ ଓସିଏ ପାଖରେ ଏହାକୁ ପାଳନ କରିବାରେ କୌଣସି ସମସ୍ୟା ନାହିଁ ବୋଲି ସ˚ଜୟ କହିଛନ୍ତି। ଅନ୍ୟପକ୍ଷରେ ବୟସ ଜାଲିଆତି ମାମଲାରେ ବିସିସିଆଇ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିଲେ ବି ଓସିଏ ଉପରେ ଆଉ କଳାଦାଗ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷଠୁ ଆରମ୍ଭ ହୋଇଥିବା ଭିଜନ୍‌ ୨୦୨୪ ଅନ୍ତର୍ଗତ ଅନ୍ତଃକ୍ଲବ୍‌ କ୍ରିକେଟ୍‌ରେ ଖେଳାଳିମାନଙ୍କ ବୟସ ପ୍ରମାଣପତ୍ର ଯାଞ୍ଚ କରାଯାଇ ଖେଳିବାକୁ ସୁଯୋଗ ଦିଆଯାଇଛି।

ଅଳ୍ପ କିଛି ଖେଳାଳି ସେମାନଙ୍କ ପୂର୍ଣ୍ଣାଙ୍ଗ ତଥ୍ୟ ଦେଇନାହାନ୍ତି। ତଥାପି ଯେଉଁମାନେ ସ˚ପୂର୍ଣ୍ଣ ବୟସ ସ˚କ୍ରାନ୍ତୀୟ ତଥ୍ୟ ଯୋଗାଇଥିବେ ଓ କାଗଜପତ୍ର ଯାଞ୍ଚ ପରେ ଠିକ୍‌ଠାକ୍‌ ରହିଥିବ କେବଳ ସେମାନଙ୍କୁ ପରବର୍ତ୍ତୀ ଶିବିରକୁ ଡକାଯିବ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୭୮୦୦ ଖେଳାଳିଙ୍କ ପଞ୍ଜୀକରଣ ହୋଇସାରିଛି। କିଛି ଦିନ ପରେ ଓସିଏର ନିଜସ୍ବ ଆଇଟି ୟୁନିଟ୍‌ କାର୍ଯ୍ୟକ୍ଷମ ହେବ। ଏହି ୟୁନିଟ୍‌ରେ ଅନ୍‌ଲାଇନ୍‌ ମାଧ୍ୟମରେ ବୟସ ପ୍ରମାଣପତ୍ର ଯାଞ୍ଚ କରାଯିବ। ବିସିସିଆଇ ଭଳି ସମସ୍ତ ପ୍ରମାଣପତ୍ର ପ୍ରଦାନ କରୁଥିବା କାର୍ଯ୍ୟାଳୟ ସହିତ ଓସିଏର ଆଇଟି ଅଧିକାରୀମାନେ ଯୋଗାଯୋଗରେ ରହିବେ। ଓସିଏର ନିଜସ୍ବ ଏକ ଡାଟାବେସ୍‌ ରହିବ। ସେଥିରେ ଖେଳାଳିଙ୍କ ସମସ୍ତ ବିବରଣୀ ରେକର୍ଡ କରାଯିବ। ଏଦିଗରେ କାମ ଚାଲିଥିଲା, ତେବେ କରୋନା ଯୋଗୁଁ ସାମାନ୍ୟ ବିଳମ୍ବ ହେଉଛି। ଏହିପରି ଭାବେ ଖେଳାଳିଙ୍କ ସମସ୍ତ କାଗଜପତ୍ର କଡ଼ାକଡି ଭାବେ ଯାଞ୍ଚ ହୋଇଗଲେ ଜାତୀୟ ଘରୋଇ ପ୍ରତିଯୋଗିତା ବେଳକୁ ଆଉ ଜାଲିଆତିର ପ୍ରଶ୍ନ ହିଁ ରହିବନି ବୋଲି ସ˚ଜୟ ଦୃଢତାର ସହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe