ଦୁବାଇ: ୟୁଏଇରେ ଅକ୍ଟୋବର ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତୀୟ ଅଧିନାୟିକା ହର୍ମନପ୍ରୀତ୍ କୌର ଦଳର ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ବିସ୍ତୃତ ବିବରଣୀ ଦେଇଛନ୍ତି। ସେ କହିଛନ୍ତି, ଏକ ଦଳ ଭାବେ ବିଶ୍ବକପ୍ ଜିତିବା ଆମ ପାଇଁ ବହୁପ୍ରତୀକ୍ଷିତ ସ୍ବପ୍ନ ହୋଇ ରହିଛି। ଟ୍ରଫି ଜିତିବା ହିଁ ଆମର ଏକମାତ୍ର ଲକ୍ଷ୍ୟ ହେବ। ଦେଶ ଓ ସମର୍ଥକଙ୍କ ପାଇଁ ଗୌରବ ଆଣିବାକୁ ଦଳର ସବୁ ଖେଳାଳି ଦୃଢ଼ ପ୍ରତିଶ୍ରୁତିବଦ୍ଧ।
ନିର୍ଭୀକ କ୍ରିକେଟ୍ ଖେଳି ଏହି ଦୁଇ ଲକ୍ଷ୍ୟ ପୂରଣ କରିବାକୁ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ। ଆମ ପାଇଁ ପ୍ରତି ମ୍ୟାଚ୍ ନିଜ ଦକ୍ଷତା, କୌଶଳ ଓ ପ୍ରତିଭା ପ୍ରଦର୍ଶନ କରି ଯୁବ ଓ ଉଦୀୟମାନ ତାରକାଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସୁଯୋଗ ଦେବ। ବିଶ୍ବକପ୍ ଜିତିବାର ଶକ୍ତି, ସାମର୍ଥ୍ୟ, ଦକ୍ଷତା ଆମ ପାଖରେ ଅଛି। ସେହିଭଳି ୟୁଏଇରେ ପ୍ରଥମ ଥର ଖେଳିବା ନେଇ ଉଲ୍ଲସିତ ଥିବା ହର୍ମନପ୍ରୀତ୍ ମତ ଦେଇଛନ୍ତି।
ନୂଆଦିଲ୍ଲୀ: ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅଫିସିଆଲ୍ଙ୍କ ନାମ ତାଲିକା ଘୋଷଣା କରିଛି। ସମସ୍ତ ପୂର୍ବ ଧାରାକୁ ଭଙ୍ଗ କରି ଏଥର କେବଳ ମହିଳା ଅମ୍ପାୟାର୍ମାନେ ମହିଳା ବିଶ୍ବକପ୍ର ସମସ୍ତ ମ୍ୟାଚ୍ ପରିଚାଳନା କରିବେ ବୋଲି ସ୍ପଷ୍ଟ ହୋଇଛି। ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଏହି ମହିଳା ବିଶ୍ବକପ୍ ପାଇଁ ୧୦ ଅମ୍ପାୟାର୍ ଓ ୩ ମ୍ୟାଚ୍ ରେଫରିଙ୍କୁ ମନୋନୀତ କରାଯାଇଥିବା ବେଳେ ଏମାନେ ସମସ୍ତେ ମହିଳା। ବିଗତ ୪ ବିଶ୍ବକପ୍ ପରିଚାଳନା କରିଥିବା ସବୁଠାରୁ ଅଭିଜ୍ଞ ଅମ୍ପାୟାର୍ କ୍ଲେୟାର ପୋଲୋସାକ୍ ଏଥିରେ ସାମିଲ ଅଛନ୍ତି। କିମ୍ କଟନ୍ ଓ ଜ୍ୟାକଲିନ୍ ୱିଲିୟମ୍ସ ସେମାନଙ୍କ ତୃତୀୟ ବିଶ୍ବକପ୍ ପରିଚାଳନା ସୁଯୋଗ ପାଇଛନ୍ତି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଗତ ସଂସ୍କରଣ ଫାଇନାଲ୍କୁ ଏହି ଦୁଇ ଜଣ ପରିଚାଳନା କରିଥିଲେ। ଗତ ଫାଇନାଲ୍ରେ ଟିଭି ଅମ୍ପାୟାର୍ ଥିବା ସୁ ରେଡଫର୍ଣ୍ଣ ତାଙ୍କ ଚତୁର୍ଥ ବିଶ୍ବକପ୍ ସୁଯୋଗ ପାଇଛନ୍ତି। ଜିମ୍ବାୱେ ଅମ୍ପାୟାର ସାରା ଡାମ୍ବାନେଭାନା କିନ୍ତୁ ବିଶ୍ବକପ୍ ପଦାର୍ପଣ କରିବେ।
ଅମ୍ପାୟାର୍: ଲୌରେନ୍ ଅନେଗବାଗ, କିମ୍ କଟନ୍, ସାରା ଡାମ୍ବାନେଭାନା, ଆନ୍ନା ହାରିସ୍, ନିମାଲି ପେରେରା, କ୍ଲେୟାର ପୋଲୋସାକ୍, ବ୍ରିନ୍ଦା ରାଠି, ସୁ ରେଡଫର୍ଣ୍ଣ, ଏଲୋସ ସେରିଡାନ୍, ଜ୍ୟାକଲିନ୍ ୱିଲିୟମ୍ସ। ରେଫରି: ସାନ୍ଦ୍ରେ ଫ୍ରିଜ୍, ଜିଏସ୍ ଲକ୍ଷ୍ମୀ, ମାଇକେଲ୍ ପେରେଇରା।
Follow Us