ପାରା ଖେଳାଳିଙ୍କଠୁ ପ୍ରେରଣା ‌ନେଲେ ପ୍ରଧାନମନ୍ତ୍ରୀ: ‘ତୁମେମାନେ ହାରିଯିବା ମ‌ାନସିକତାକୁ ହରାଇ ଦେଇଛ’

ପାରା ଖେଳାଳିଙ୍କଠୁ ପ୍ରେରଣା ‌ନେଲେ ପ୍ରଧାନମନ୍ତ୍ରୀ: ‘ତୁମେମାନେ ହାରିଯିବା ମ‌ାନସିକତାକୁ ହରାଇ ଦେଇଛ’

ନୂଆଦିଲ୍ଲୀ: ଟୋକିଓ ପାରାଅଲିମ୍ପିଆନ୍‌ଙ୍କ ଉଲ୍ଲେଖନୀୟ ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ପ୍ରଭାବିତ କରିଛି। ‘ମୁଁ ତୁମମାନଙ୍କଠାରୁ ପ୍ରେରଣା ଓ ଉତ୍ସାହ ପାଇଛି। ସବୁଠାରୁ ବଡ଼ କଥା ହେଉଛି, ହାରିଯିବାର ମାନସିକତାକୁ ତୁମେମା‌ନେ ହରାଇ ଦେଇଛ’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି। ଗତ ଗୁରୁବାର ଟୋକିଓ ପାରାଲିମ୍ପିକ୍ସ ପଦକ ବିଜେତାମାନଙ୍କୁ‌ ସମ୍ବର୍ଦ୍ଧିତ କରିବା ବେଳର ଭିଡିଓ ରବିବାର ସାଧାରଣରେ ଜାରି ହେବା ପରେ ଏଭଳି ବାର୍ତ୍ତାମାନ ପଦାକୁ ଆସିଛି। କ୍ରୀଡ଼ା ଦୁନିଆ ବାହାରେ ବି ଦେଶକୁ ବଦଳାଇ ଦେବା ଭଳି କ୍ଷମତା ତୁମମାନଙ୍କ ନିକଟରେ ରହିଛି। ଆପଣଙ୍କ କ୍ରୀଡ଼ା ଉତ୍କର୍ଷ ସମଗ୍ର ଦେଶବାସୀଙ୍କୁ ପ୍ରବର୍ତ୍ତାଇବାରେ ବଡ଼ ଭୂମିକା ନେବ। ଦେଶ ପାଇଁ ଆପଣମାନେ ଅନେକ କିଛି କରିପାରିବେ। ଆପଣଙ୍କ ଭବିଷ୍ୟତ ଉଜ୍ଜ୍ବଳ, ସମର୍ଥନ ଦେବାକୁ ମୁଁ ସବୁବେଳେ ସାଥିରେ ରହିଛି।

ଆପଣମାନଙ୍କ ସ୍ବପ୍ନ ଆମ ସ୍ବପ୍ନ। ଏହାକୁ ବାସ୍ତବ ରୂପ ଦେବାକୁ ମୁଁ ସବୁକିଛି କରିପାରିବି’ ବୋଲି ମୋଦୀ କହିଥିଲେ। ପ୍ରତିଟି ଖେଳାଳିଙ୍କୁ ଭେଟିବା, ସାବାସୀ ଦେବା ସହ ପିଠି ଥାପୁଡାଇ ପ୍ରଧାନମନ୍ତ୍ରୀ କହିଥିଲେ ଦେଶ ପାଇଁ ଆପଣମା‌ନେ ଅନେକ କିଛି କରିପାରିବେ। ପ୍ରତିଟି ପଦକ ବିଜେତାଙ୍କ ସଂଘର୍ଷର କାହାଣୀକୁ ସ୍ମରଣ କରି ମୋଦୀ ମଧ୍ୟ ସେମାନଙ୍କୁ ଦିବ୍ୟାସ୍ତ୍ରର ଆଖ୍ୟା ଦେଇଥିଲେ। ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳର ‘ତେଜ’କୁ ପ୍ରେରଣାର ଉତ୍ସ ଦର୍ଶାଇଥିଲେ। ପ୍ରମୋଦ କହିଥିଲେ, ‘‘ପାରାଅଲିମ୍ପିକ୍ସରେ ବ୍ୟା‌ଡମିଣ୍ଟନ୍‌ ସାମିଲ ହେବା ପରଠାରୁ ମୁଁ ସ୍ବପ୍ନ ଦେଖିଥିଲି ଏବଂ ତ୍ରିରଙ୍ଗାକୁ ଉଚ୍ଚା ରଖିବାକୁ ସଙ୍କଳ୍ପବଦ୍ଧ ଥିଲି’’। ସ୍ବର୍ଣ୍ଣ ବିଜୟୀ ଅନ୍ୟତମ ବ୍ୟାଡମିଣ୍ଟନ୍ ତାରକା କୃଷ୍ଣ ନାଗରଙ୍କୁ ପ୍ରଶ୍ନ କରିଥିଲେ କେଉଁ କାରଣ ପାଇଁ ସେ ତାଙ୍କ ସଫଳତାକୁ କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସର୍ଗ କଲେ। ନିଜ କଥାକୁ ନ ଭାବି ସେମାନେ ଅହରହ କାମ କରୁଥିବାରୁ ଏହା ମୋତେ ପ୍ରେରିତ କରିଥିଲା ବୋଲି ନାଗର ତାଙ୍କ ଉତ୍ତରରେ କହିଥିଲେ। କୌଣସି ସମୟରେ ନକାରାତ୍ମକ ନଭାବି ଖେଳିବାରୁ ମୁଁ ସଫଳ ହେଲି ବୋଲି କହିଥିଲେ ପଦକ ବିଜୟିନୀ ଟିଟି ଖେଳାଳି ଭାବିନା ପଟେଲ୍‌। ଟୋକିଓ ଯିବା ପୂର୍ବରୁ ଆପଣ କହିଥିବା କଥାକୁ ରଖି ମୁଁ ବିନା ଚାପରେ ଖେଳିଥିଲି ବୋଲି ମଧ୍ୟ ଭାବିନା ପ୍ରକାଶ କରିଥିଲେ। ଅଧିକାଂଶ ଖେଳାଳି ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବାକୁ ଗର୍ବ ଓ ଗୌରବ ଦର୍ଶାଇଥିଲେ। ସାଧାରଣ କ୍ରୀଡ଼ାବିତ୍‌ ଓ ପାରା କ୍ରୀଡ଼ାବିତ୍‌ଙ୍କୁ ସମାନ ନଜରରେ ଦେଖୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସଭିଏଁ କୃତଜ୍ଞତା ଜଣାଇଥିଲେ।

ସୂଚନାଯୋଗ୍ୟ, ଭାରତ ପାରା ଅଲିମ୍ପିକ୍ସରେ ୧୯୬୮ ମସିହାରେ ପଦାର୍ପଣ କରିଥିଲେ ମଧ୍ୟ ୨୦୧୬ ରିଓ ସଂସ୍କରଣ ପର୍ଯ୍ୟନ୍ତ ମୋଟ ୧୨ ପଦକ ଜିତିଥିଲା। ଏଥର ଟୋକିଓ ପାରାଲିମ୍ପିକ୍ସରୁ କିନ୍ତୁ ୫ ସ୍ବର୍ଣ୍ଣ, ୮ ‌ରୌପ୍ୟ, ୬ କାଂସ୍ୟ ସହ ମୋଟ ୧୯ ପଦକ ଜିତି ନୂଆ ଇତିହାସ ରଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe