୨୦୨୨ ଓଡ଼ିଶା କ୍ରୀଡ଼ା ପାଇଁ ଆଉ କିଛି ମାଇଲଖୁଣ୍ଟ ଛାଡ଼ିଯାଉଛି। ପୁଣି ଥରେ ପଡ଼ିଆ ଭିତର ପ୍ରଦର୍ଶନ ଅପେକ୍ଷା ଅୟୋଜନ ସଫଳତା ପାଇଁ ଓଡ଼ିଶା ଚର୍ଚ୍ଚାରେ ରହିଛି, ୨୦୨୩ରେ ମଧ୍ୟ ରହିବ। ବିଦାୟୀ ବର୍ଷରେ କିନ୍ତୁ ସବୁଠୁ ଲୋକପ୍ରିୟ ଖେଳ କ୍ରିକେଟ୍ର ପତନ ଦେଖିଛି ଓଡ଼ିଶା। ରଣଜୀ ଟ୍ରଫିରେ ବର୍ଷ ଆରମ୍ଭ କୁହନ୍ତୁ କି ଶେଷ ଭାଗ ଓଡ଼ିଶା ପରାଜୟ ପରେ ପରାଜୟ ବରଣ କରିଛି। ଗ୍ରୁପ୍ ପର୍ଯ୍ୟାୟରୁ ଆଗକୁ ବଢ଼ି ପାରିନାହିଁ। ବିଜୟ ହଜାରେ ଟ୍ରଫି, ସୟଦ ମୁସ୍ତାକ ଅଲୀ ଟ୍ରଫି ଆଦିରେ ବି ଓଡ଼ିଶାର ଦୟନୀୟ ପ୍ରଦର୍ଶନ ରାଜ୍ୟ ପାଇଁ ଲଜ୍ଜା ଆଣି ଦେଇଥିଲା। କ୍ରିକେଟ୍ର ପତନ ବଦଳରେ ଓଡ଼ିଶା କ୍ରୀଡ଼ା କିନ୍ତୁ ଅନ୍ୟ ଖେଳରେ ଉତ୍ଥାନ ଦେଖିଛି। ବିଶେଷ କରି ହକି, ରଗ୍ବି, ଖୋ ଖୋ, ଭଲିବଲ୍, ବ୍ୟାଡମିଣ୍ଟନ୍, ଉଷୁ, ରୋଇଂ, କାନୋଇଂ, ସାଇକ୍ଲିଂ, ଦୌଡ଼କୁଦ, ପାରା ସ୍ପୋର୍ଟସ, ଟେନିସ୍ରେ ନୂଆ ନୂଆ ସଫଳତାର ଫର୍ଦ ଯୋଡ଼ି ଆଗକୁ ବଢ଼ିପାରିଛି। ହକି କିଂବଦନ୍ତି ଦିଲୀପ ତିର୍କି ହକି ଇଣ୍ଡିଆର ସଭାପତି ହେବା ଥିଲା ସବୁଠାରୁ ଉଲ୍ଲେଖନୀୟ ଅଧ୍ୟାୟ।
/sambad/media/post_attachments/wp-content/uploads/2022/12/3-Dilip-Tikey-750x430.jpg)
୨୦୨୩ ମଧ୍ୟ ବିଶ୍ବକପ୍ ବର୍ଷ
୨୦୨୨ରେ ଓଡ଼ିଶା ଫିଫା ଯୁବା (୧୭ ବର୍ଷରୁ କମ୍) ବିଶ୍ବକପ୍ର ଅନ୍ୟତମ ଆୟୋଜକ ଥିଲା। କଳିଙ୍ଗ ଷ୍ଟାଡିୟମ୍ରେ ଭାରତର ସମସ୍ତ ୩ ମ୍ୟାଚ୍ ସହ ମୋଟ ୬ ମ୍ୟାଚ୍ ଖେଳାଯାଇଥିଲା। ଏହା ଛଡ଼ା ଓଡ଼ିଶା ବୁଲିଥିଲା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଶାଲ, ୪୪ତମ ଚେସ୍ ଅଲିମ୍ପିଆଡ୍ ମଶାଲ ଏବଂ ୨୦୨୩ ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ବିଶ୍ବକପ୍ ହକି ଟ୍ରଫି। ଇଣ୍ଡିଆନ୍ ଦୌଡ଼କୁଦ, ଇଣ୍ଡିଆନ୍ ୱିମେନ୍ ଲିଗ୍, ସନ୍ତୋଷ ଟ୍ରଫି ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିଲା। ବାରବାଟୀରେ ଜୁନ୍ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ଘରୋଇ ଦଳର ପରାଜୟ ଦେଖିଥିଲେ ଓଡ଼ିଶା ପ୍ରଶଂସକ। ୨୦୨୩ ମସିହାରେ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ନବନିର୍ମିତ ବୀର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଚର୍ଚ୍ଚାରେ ରହିବ। ଜାନୁଆରି ୧୩ରୁ ୨୯ ଯାଏ ଉଭୟ ସ୍ଥାନରେ ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଖେଳାଯିବ। ଉଭୟ ଭେନ୍ୟୁରେ ମଧ୍ୟ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଖେଳାଯିବ। ଅକ୍ଟୋବର-ନଭେମ୍ବରରେ ଆଇସିସି ଦିନିକିଆ ବିଶ୍ବକପ୍ ଭାରତରେ ଖେଳାଯିବାକୁ ଥିବାରୁ କିଛି ମ୍ୟାଚ୍ ବାରବାଟୀକୁ ମିଳିବ ବୋଲି ମଧ୍ୟ ଆଶା ରହିବ।
/sambad/media/post_attachments/wp-content/uploads/2022/12/OCA-RA-ANNUAL-GENERAL-MEETING-19-300x263.jpg)
ଦିଲୀପ ହକି ଇଣ୍ଡିଆ ସଭାପତି, ବବିଙ୍କ ଓସିଏ ଦଖଲ
ହକି କିଂବଦନ୍ତି ଦିଲୀପ ତିର୍କି ହକି ଇଣ୍ଡିଆର ସଭାପତି ପଦ ଅଳଙ୍କୃତ କରିବା ଥିଲା ବର୍ଷର ସବୁଠାରୁ ବଡ଼ ଖବର। ଖେଳାଳିରୁ ସାଂସଦ ପୁଣି କ୍ରୀଡ଼ା ପ୍ରଶାସକ ଭାବେ ଦିଲୀପଙ୍କ ଉତ୍ଥାନ ଓଡ଼ିଶା କ୍ରୀଡ଼ାକୁ ନୂଆ ଦିଶା ଦେଖାଇଛି। ସମାନ ସମୟରେ ପତନ ମୁଖରେ ଥିବା ଓଡ଼ିଶା କ୍ରିକେଟ୍ର ରାଜ୍ୟ ସଂଘ ଓସିଏ ସଭାପତି ପଦକୁ ସମ୍ଭାଳିଛନ୍ତି ରାଜନେତା ବବି ଦାସ ଓରଫ୍ ପ୍ରଣବ ପ୍ରକାଶ ଦାସ। ସଂଜୟ ବେହେରା ସମ୍ପାଦକ ପଦ ବଜାୟ ରଖିଛନ୍ତି। ଅନ୍ୟ ପ୍ରମୁଖ ରାଜ୍ୟ ସଂଘ ଗୁଡିକ ମଧ୍ୟରେ ଦୌଡ଼କୁଦରେ ଜିସି ପଟ୍ଟନାୟକ-ଅଭିଜିତ ପାଲ, ଚେସ୍ରେ ଗୋବିନ୍ଦ ମହାପାତ୍ର-ଦେବବ୍ରତ ଭଟ୍ଟ, ବାହୁ କୁସ୍ତିରେ କେଦାର ଷଡ଼ଙ୍ଗୀ-ହରି ପ୍ରସାଦ ପଟ୍ଟନାୟକ, ଭଲିବଲରେ ଅଚ୍ୟୁତ ସାମନ୍ତ-ଗଗନେନ୍ଦୁ ଦାଶ, ଓସ୍ଜାରେ ସନ୍ଦୀପ ମିଶ୍ର-ଦେବୀ ପ୍ରସନ୍ନ ମହାନ୍ତି ଯଥାକ୍ରମେ ସଭାପତି ଓ ସମ୍ପାଦକ ପଦରେ ଅଧିଷ୍ଠିତ ହୋଇଛନ୍ତି। ଜାତୀୟ ସ୍ତରରେ ବିପିନ ଦାସ (କାୟାକିଂ) ଏବଂ ଅଭିଜିତ ପାଲ୍ (ଫୁଟ୍ବଲ୍) ମଧ୍ୟ ଗୁରୁତ୍ବପୂର୍ଣ୍ଣ ପଦକ ପାଇଥିଲେ।
/sambad/media/post_attachments/wp-content/uploads/2022/12/kho-kho-3-750x430.jpg)
ଅଲ୍ଟିମେଟ୍ ଖୋଖୋ
ଭାରତରେ କ୍ରିକେଟ୍, ଫୁଟ୍ବଲ୍, ହକି, କବାଡ଼ି ଲିଗ୍ ଲୋକପ୍ରିୟତା ହାସଲ କରିଛି। ୨୦୨୨ରେ ଏଥିରେ ଯୋଡ଼ି ହୋଇଥିଲା ପାରମ୍ପରିକ ଭାରତୀୟ ଖେଳ ଖୋ ଖୋ। ପ୍ରଥମ ଥର ଲାଗି ଖୋ ଖୋ ଖେଳକୁ ପେସାଦର ଢଙ୍ଗରେ ଖେଳାଯାଇଥିଲା। ଓଡ଼ିଶା ଜଗରନଟ୍ସ ପ୍ରଥମ ବିଜେତା ହେବାର ଗୌରବ ପାଇଥିଲା। ଏହି ଲିଗ୍ରେ ମଧ୍ୟ ଓଡ଼ିଶା ପ୍ରାୟୋଜକ ରହିଥିଲା।
କ୍ରିକେଟ୍ରେ କୋଣଠେସା
ଓଡ଼ିଶା କ୍ରିକେଟ୍ ବର୍ଷ ତମାମ ଅନାଲୋଚିତ ରହିଥିଲା। ମହିଳା ଦଳର ସୀମିତ ସଫଳତା ବ୍ୟତୀତ ପୁରୁଷ ଦଳ ସବୁ ଫର୍ମାଟରେ ନିରାଶ କରିଥିଲା। ଅନ୍ତର୍ଜାତୀୟ କ୍ରିକେଟର୍ ୱାସିମ୍ ଜାଫରଙ୍କ ସମ୍ପୃକ୍ତି ବିଶେଷ କିଛି ଫରକ ପକାଇନଥିଲା। ବରଂ ବ୍ୟବସ୍ଥା ଓ ହସ୍ତକ୍ଷେପରେ ଅସନ୍ତୁଷ୍ଟ ହୋଇ ଜାଫର ପ୍ରଶିକ୍ଷକ ପଦ ତ୍ୟାଗ କରିଥିଲେ। ଆଇପିଏଲ୍ରେ ଓଡ଼ିଆ ପିଲାଙ୍କ ଅଂଶଗ୍ରହଣ ସ୍ବପ୍ନରେ ରହିଯାଇଥିଲା। ଅଭିଷେକ ରାଉତ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ମୁସ୍ତାକ ବେଗ୍ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଶୁଭ୍ରାଂଶୁ ସେନାପତିଙ୍କୁ ଅବଶ୍ୟ ମୂଳ ଦର ୨୦ ଲକ୍ଷରେ ନେଇଥିଲା ଚେନ୍ନାଇ ସୁପର୍ କିଙ୍ଗ୍ସ। ପୂର୍ବରୁ ରାଜେଶ ମହାନ୍ତି ମଧ୍ୟ ପୂର୍ବ ଋତୁରେ ଏହି ଫ୍ରାଞ୍ଚାଇଜ୍ର ନେଟ୍ ବୋଲର୍ ଥିଲେ। ବିଦାୟୀ ବର୍ଷରେ ମଧ୍ୟ ପରେଶ ପଟେଲ୍ ଓ ଧୀରାଜ ସିଂହ ଅବସର ନେଇଥିଲେ। ପରେଶ ଏହା ପରେ ଲିଜେଣ୍ଡ୍ସ ଲିଗ୍ରେ ଅଷ୍ଟ୍ରେଲିଆ ଦଳର ସହକାରୀ ପ୍ରଶିକ୍ଷକ ହେବା ଏବଂ ଶାନ୍ତନୁ ମିଶ୍ର ଡରହାମ୍ ଲିଗ୍ ପଦାର୍ପଣରେ ଶତକ ସହ ଅଲରାଉଣ୍ଡ୍ ପ୍ରଦର୍ଶନ କରି ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇବା ଥିଲା ଅନ୍ୟତମ ସକାରାତ୍ମକ ଦିଗ।
Follow Us