କରୋନା କାଳରେ ବଢ଼ୁଛି ଫିକ୍ସିଂ ବିପଦ, ଅନ୍‌ଲାଇନ୍‌ରେ ଖେଳାଳିଙ୍କ ଉପରେ ଥୋପ ପକାଉଛନ୍ତି ବୁକି

Advertisment

ଭାରତୀୟ କ୍ରିକେଟର୍‌ଙ୍କ ଉପରେ ଅଧିକ ନଜର, ସତର୍କ ଅଛୁ: ବିସିସିଆଇ

ଭାରତୀୟ କ୍ରିକେଟର୍‌ଙ୍କ ଉପରେ ଅଧିକ ନଜର, ସତର୍କ ଅଛୁ: ବିସିସିଆଇ

ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

ନୂଆଦିଲ୍ଲୀ: କରୋନା ଆତଙ୍କ ପାଇଁ ଖେଳ ଦୁନିଆ ପୂରା ଥପି ଯାଇଛି। ଖେଳ ପଡ଼ିଆ ଖାଁ ଖାଁ ଲାଗୁଥିଲା ବେଳେ ଖେଳାଳିମାନେ ଘର ଭିତରେ ଲକଡାଉନ୍ ହେବାକୁ ବାଧ୍ୟ ହୋଇଛନ୍ତି। ଏହାକୁ ଏକ ସୁଯୋଗ ଭାବେ ନେଉଛନ୍ତି ଫିକ୍ସିଂରେ ଜଡ଼ିତ ଥିବା ବୁକିମା‌ନେ। ସେମାନେ ଫୁଟ୍‌ବଲ, କ୍ରିକେଟ୍ ଓ ବାସ୍କେଟବଲ୍ ଭଳି ଖେଳର ଖେଳାଳିଙ୍କୁ ଅନ୍‌ଲାଇନ୍‌ରେ ଯୋଗାଯୋଗ କରି ସେମାନଙ୍କ ସହ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସଂପର୍କକୁ ଉପଯୋଗ କରି ଭବିଷ୍ୟତରେ ଯେମିତି ଫିକ୍ସିଂ ପାଇଁ ଖେଳାଳିଙ୍କୁ ପ୍ରବର୍ତ୍ତାଇ ପାରିବେ, ସେଥିଲାଗି ଏବେଠୁ ଯୋଜନା କରୁଛନ୍ତି। ଭାରତରେ ଅନ୍ୟ ଖେଳ ଉପରେ ଏଭଳି ବିପଦ ପ୍ରାୟତଃ ନାହିଁ। ହେଲେ କରୋନାକୁ ଆଳ କରି ପୁଣି ଥରେ ଫିକ୍ସିଂର ଜାଲ ବିଛାଇବାକୁ ଚେଷ୍ଟା କରୁଥିବା ବୁକି ଓ ଜୁଆଡ଼ିଙ୍କର ନଜର ଦେଶର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ୍ ଉପରେ ରହିଛି। ବିସିସିଆଇ ଓ ଆଇସିସି ଏକଥା ଜାଣିଥିଲା ବେଳେ କ୍ରିକେଟରଙ୍କୁ ଏଥିପ୍ରତି ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଆଇସିସି ଦୁର୍ନୀତି ନିବାରଣ ସଂସ୍ଥାର ମୁଖ୍ୟ ଆଲେକ୍ସ ମାର୍ସାଲ ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ କିଛି ଜଣାଶୁଣା ଦୁର୍ନୀତିଖୋର ସାମାଜିକ ଗଣମାଧ୍ୟମରେ ନିଜ ଉପସ୍ଥିତି ବୃଦ୍ଧି କରିଛନ୍ତି। ସଂପ୍ରତି କୌଣସି ପ୍ରତିଯୋଗିତା ଖେଳାଯାଉ ନଥିବାରୁ ଖେଳାଳିମାନେ ଅନ୍‌ଲାଇନ୍‌ରେ ପୂର୍ବାପେକ୍ଷା ଅଧିକ ସମୟ କଟାଉଛନ୍ତି। ଏହାର ଫାଇଦା ନେଇ ଏଭଳି ଦୁର୍ନୀତିଖୋର ଓ ଜୁଆଡ଼ିମାନେ ସେମାନଙ୍କ ସହ ଯୋଗାଯୋଗ କରି ନିକଟତର ହେବାର ଅପଚେଷ୍ଟା ଚଳାଇଛନ୍ତି। ପରବର୍ତ୍ତୀ ସମୟରେ ସେମାନେ ଏବେକାର ସଂପର୍କକୁ ବିନିଯୋଗ କରି ମ୍ୟାଚ୍ ଫିକ୍ସିଂ କରିବାକୁ ଲକ୍ଷ୍ୟ ରଖିଛନ୍ତି। କ୍ରିକେଟ୍ କାର୍ଯ୍ୟକଳାପ ବନ୍ଦ ରହିଥିଲେ ମଧ୍ୟ ଫିକ୍ସିଂ ଉଦ୍ୟମ ଚାଲୁ ରହିଛି। ଆଇସିସି ମଧ୍ୟ ଏହି ବିଷୟରେ ଖେଳାଳି, ସଦସ୍ୟ, କ୍ରିକେଟ୍ ବୋର୍ଡ ଓ ଅନ୍ୟ ହିତାଧିକାରୀଙ୍କୁ ସତର୍କ କରାଇ ସାରିଥିବା ମାର୍ସାଲ ସୂଚନା ଦେଇଛନ୍ତି। '' ଆମେ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ବିପଦ ବିଷୟରେ ଜଣାଇଛୁ। ସତର୍କ ରହିବାକୁ ସେମାନଙ୍କୁ ପରାମର୍ଶ ଦେଇଛୁ।'' ବୋଲି ସେ କହିଛନ୍ତି। ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ମୁଖ୍ୟ ନୈତିକ ଅଧିକାରୀ ଜେମ୍ସ ପାଇମଣ୍ଟ ମଧ୍ୟ ଫିକ୍ସିଂ ଆଶଙ୍କା ପୂର୍ବାପେକ୍ଷା ବଢ଼ିଥିବା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ''ସଙ୍କଟ ସମୟରୁ ଫାଇଦା ଉଠାଇବା ଭଳି ଲୋକଙ୍କର ପୃଥିବୀରେ ଅଭାବ ନାହିଁ। କ୍ରିକେଟ୍‌କୁ ଏବେ ଖେଳ କମ୍ ଏବଂ ବେପାର ଅଧିକ ଭାବେ ଦେଖାଗଲାଣି। ଯେଉଁଥିରେ ନୈତିକତାର କୌଣସି ସ୍ଥାନ ନାହିଁ। ହେଲେ ଆମେ ଏହି ଚାପରୁ ମୁକୁଳି ପାରିବୁ ବୋଲି ଆତ୍ମବିଶ୍ବାସ ଅଛି। ଆମ ଖେଳାଳିମାନେ ମଧ୍ୟ କିଛି ଭୁଲ କରିବେ ନାହିଁ ବୋଲି ବିଶ୍ବାସ ଓ ଭରସା ଅଛି। ଆମ ଦୁର୍ନୀତି ନିବାରଣ ପ୍ରଣାଳୀ ଓ ପ୍ରକ୍ରିୟା ଅତ୍ୟନ୍ତ ଶକ୍ତିଶାଳୀ ବୋଲି ଆମକୁ ଦେଖାଇବାକୁ ହେବ।''

ବୁକି ଅନ୍‌ଲାଇନ୍‌ରେ ଭାରତୀୟ ଖେଳାଳିଙ୍କ ଉପରେ ଥୋପ ପକାଇବାକୁ ଆପ୍ରାଣ ଉଦ୍ୟାମ କରୁଥିବା ଖବର ନେଇ ବିସିସିଆଇ ଦୁର୍ନୀତି ନିବାରଣ ସଂସ୍ଥାର ମୁଖ୍ୟ ଅଜିତ ସିଂହ ବିଚଳିତ ନାହାନ୍ତି। ''ଆମ ଖେଳାଳିମାନେ ବୁକିଙ୍କ କାର୍ଯ୍ୟ କରିବାର ଶୈଳୀ ବିଷୟରେ ସଂପୂର୍ଣ୍ଣ ଅବଗତ ଅଛନ୍ତି। କୌଣସି କଥାରେ ସନ୍ଦେହ ହେଲେ ତୁରନ୍ତ ସେମାନେ ବିସିସିଆଇକୁ ଜଣାଉଛନ୍ତି'' ବୋଲି ଶ୍ରୀ ସିଂହ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆଇସିସି ଦୁର୍ନୀତି ନିବାରଣ ସଂସ୍ଥାର ମୁଖ୍ୟ ଆଲେକ୍ସ ମାର୍ସାଲ ଜାହିର କରିଥିବା ଆଶଙ୍କା ସହ ସେ ଏକମତ ହୋଇଛନ୍ତି। ବୁକି ବିଛାଉଥିବା ଜାଲ ବିଷୟରେ ସୂଚନା ଦେବାକୁ ଯାଇ ସିଂହ କହିଛନ୍ତି ଯେ ସେମାନେ ପ୍ରଥମେ ପ୍ରଶଂସକଙ୍କ ଭଳି ବ୍ୟବହାର କରନ୍ତି। ଏହା ପରେ ଅନ୍ୟଜଣେ ପରିଚିତ ଲୋକଙ୍କ ସହ ଖେଳାଳିଙ୍କୁ ଭେଟିବାକୁ ଚେଷ୍ଟା କରନ୍ତି। ହେଲେ ଏଭଳି ଘଟଣା ଘଟିଲେ ଆମ ଖେଳାଳିମାନେ ତୁରନ୍ତ ସେହି ବ୍ୟକ୍ତିଗତ ବିଷୟରେ ଆମକୁ ସୂଚନା ଦିଅନ୍ତି, ସେମାନେ ସବୁବେଳେ ସତର୍କ ଥାଆନ୍ତି। ଆମେ ସେମାନଙ୍କୁ ଏଥିନେଇ ବିଧିବଦ୍ଧ ପ୍ରଶିକ୍ଷଣ ବି ଦେଇଛୁ। ଖେଳାଳିଙ୍କ ସହ ଭାବ ଆଦାନ ପ୍ରଦାନ କରୁଥିବା ପ୍ରଶଂସକଙ୍କ ଉପରେ ଆମେ ମଧ୍ୟ ନଜର ରଖୁ। ତେବେ ସବୁବେଳେ ଏହା ସମ୍ଭବ ନୁହେଁ। ଏଣୁ ଖେଳାଳିଙ୍କୁ ଏଥିନେଇ ଅଧିକ ସତର୍କ ରହବାକୁ ଆମେ ପରାମର୍ଶ ଦେଇଛୁ। ଭାରତୀୟ ଖେଳାଳି ଅତ୍ୟନ୍ତ ସଚ୍ଚୋଟ ଓ ସେମାନଙ୍କ ଦାୟିତ୍ବ ଭଲ ଭାବରେ ଜାଣିଛନ୍ତି ବୋଲି ନିଜ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଜାଣି ସାରିଥିବା ସିଂହ ମତ ରଖିଛନ୍ତି। ବିସିସିଆଇ ମଧ୍ୟ କରୋନା ଲକଡାଉନ୍ ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଯେଭଳି ଦୁର୍ନୀତି ମୁକ୍ତ ଓ ସ୍ବଚ୍ଛ ରୁହେ, ସେ ନେଇ କେତେକ ଯୋଜନା କରିଛି। ବୁକିଙ୍କ ଉପରେ ନଜର ରଖିବା ଲଗି ପ୍ରତି ଜୋନରେ ଜଣେ ଜୋନାଲ ଦୁର୍ନୀତି ନିବାରଣ ଅଧିକାରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ସଂପ୍ରତି କିଛି ଜୋନରେ ଏହି ପଦବି ଖାଲି ପଡ଼ିଛି ଏହାକୁ ତୁରନ୍ତ ପୂରଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ ସାମାଜିକ ଗଣମାଧ୍ୟମରେ ସବୁ ଭାରତୀୟ ଖେଳାଳିଙ୍କର ଲକ୍ଷ୍ୟ ଲକ୍ଷ୍ୟ ଅନୁଗାମୀ ଥିଲା ବେଳେ କରୋନା ଲକଡାଉନ୍ ପାଇଁ ସେମାନେ ଏବେ ପ୍ରଶଂସକଙ୍କ ସହ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ଯାହା ଫିକ୍ସିଂ ବିପଦକୁ ବହୁଗୁଣ ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe