ରୟାଲ୍ସର ଦ୍ବିତୀୟ ସ୍ଥାନ ଦଖଲ

ଗୁଜରାଟ-ରାଜସ୍ଥାନ କ୍ବାଲିଫାୟର୍‌ ମଙ୍ଗଳବାର

ରୟାଲ୍ସର ଦ୍ବିତୀୟ ସ୍ଥାନ ଦଖଲ

Pehal News

ମୁମ୍ବାଇ : ରବିଚନ୍ଦ୍ରନ ଅଶ୍ବିନଙ୍କ ଅଲରାଉଣ୍ଡ୍‌ ପ୍ରଦର୍ଶନ ଓ ଯଶସ୍ବୀ ଜୟସ୍ବାଲଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ଶୁକ୍ରବାର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୫ ୱିକେଟ୍‌ରେ ପରାସ୍ତ କରି ଚମତ୍କାର ଢଙ୍ଗରେ ଲିଗ୍‌ ଅଭିଯାନ ଶେଷ କରିଛି। ସଞ୍ଜୁ ସାମସନଙ୍କ ଦଳ କେବଳ ପ୍ଲେ ଅଫ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନାହିଁ, ବରଂ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରି ଗୁଜରାଟ ଟାଇଟନ୍ସ ସହ କ୍ବାଲିଫାୟାର୍‌-୧ ଖେଳିବାକୁ ଦିନ (ମେ ୨୪) ଧା‌ର୍ଯ୍ୟ କରି ନେଇଛି। ଦ୍ବିତୀୟରେ ଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ତୃତୀୟକୁ ଖସିଯାଇଛି। କେବଳ ଚତୁର୍ଥ ସ୍ଥାନଟି ପାଇଁ ଏବେ ଶନିବାରର ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲାକୁ ଅପେକ୍ଷା ରହିଛି। ଲିଗ୍ ଅଭିଯାନ ଶେଷ କରି ସାରିଥିବା ଆର୍‌ସିବି କେବଳ ପଡ଼ିଆ ବାହାରେ ଥାଇ ଦିଲ୍ଲୀ କ୍ୟାପିଟାଲ୍ସର ପରାଜୟ ଆଶାରେ ରହିଛି। ଶନିବାର ଦିଲ୍ଲୀ ଜିତିଲେ ଉନ୍ନତ ରନ୍‌ ହାର ରଖିଥିବାରୁ ଆର୍‌ସିବିକୁ ପଛରେ ପକାଇ ପ୍ଲେ ଅଫ୍‌ ଖେଳିବାର ଏକମାତ୍ର ବାଟ ରଖିଛି। ଶୁକ୍ରବାର ମ୍ୟାଚ୍‌ରେ ଅଶ୍ବିନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ମୋଇନ୍ ଅଲୀଙ୍କ ଆକର୍ଷଣୀୟ ୧୯ ବଲ୍ ଅର୍ଦ୍ଧଶତକ ଏବଂ ପ୍ରଥମ ପାୱାର ପ୍ଲେ ୬ ଓଭରରୁ ୭୫ ରନ୍‌ ଆଦାୟ ସତ୍ତ୍ବେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୧୫୦ ରନ୍‌ରେ ଅଟକିଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପାଇଁ ମୋଇନ୍ ହିଁ ଶେଷ ଓଭର ପର୍ଯ୍ୟନ୍ତ ଲଢ଼ିଥିଲେ। ୧୯ ବଲରୁ ୫୦ ରନ୍‌ ପୂରଣ କରି ମୋଇନ୍ ଧମାଦାକାର ଆରମ୍ଭ କରିଥିଲେ। ପାୱାର ପ୍ଲେ’ର ଶେଷ ଓଭର (ଷଷ୍ଠ) ବୋଲିଂ କରିଥିବା ଟ୍ରେଣ୍ଟ୍ ବୋଲ୍ଟଙ୍କ ପ୍ରତିଟି ବଲ୍‌କୁ ବାଉଣ୍ଡରି ବାହାରକୁ (୬, ୪, ୪, ୪, ୪, ୪) ପଠାଇ ଦେଇ ମୋଟ ୨୬ ରନ୍‌ ଆଦାୟ କରିଥିଲେ। ଏହା ପରେ କିନ୍ତୁ ସଞ୍ଜୁ ସାମସନ୍‌ ଟାଇମ୍‌ଆଉଟ୍ ନେଇ ଚେନ୍ନାଇର ଲୟକୁ ଭାଙ୍ଗି ଦେଇଥିଲେ। ଦଳର ଦୁଇ ଅଭିଜ୍ଞ ସ୍ପିନର୍‌ ଆର୍‌ ଅଶ୍ବିନ୍ ଏବଂ ୟୁଝବେନ୍ଦ୍ର ଚହଲ ମଧ୍ୟ ନିୟନ୍ତ୍ରିତ ବୋଲିଂ କରି ରନ୍ ଗତି‌କୁ ରୋକି ଦେଇଥିଲେ। ଓବିଦ୍‌ ମ୍ୟାକୟଙ୍କ ସହ ମିଶି ଏହି ଦୁଇ ଭାରତୀୟ ସ୍ପିନର ମିଳିତ ଭାବେ ୧୨ ଓଭରରେ ମାତ୍ର ୭୪ ରନ୍ ଦେଇ ୫ ୱିକେଟ୍‌ ଦଖଲ କରି ନେଇଥିଲେ। ମ୍ୟାକ୍‌ୟ ମଧ୍ୟ ମୋଇନ୍ (୯୩, ୫୭ ବଲ୍‌)ଙ୍କୁ ଶତକରୁ ବଞ୍ଚିତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe