ଅଷ୍ଟ୍ରେଲିଆ ଗସ୍ତ ପାଇଁ ସୂଚୀ ଚୂଡାନ୍ତ: ନଭେମ୍ବର ୨୭ରେ ଟ୍ବେଣ୍ଟି-୨୦ରୁ ଶୃଙ୍ଖଳା ଆରମ୍ଭ; ଟେଷ୍ଟ୍‌ରେ ଶେଷ

Advertisment

କ୍ରିକେଟ୍ ଅଷ୍ଟ୍ରେଲିଆ-ପ୍ରସାରଣକାରୀ ସଂସ୍ଥା ମୁହାଁମୁହିଁ

କ୍ରିକେଟ୍ ଅଷ୍ଟ୍ରେଲିଆ-ପ୍ରସାରଣକାରୀ ସଂସ୍ଥା ମୁହାଁମୁହିଁ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ସୂଚୀ ଚୂଡାନ୍ତ: ନଭେମ୍ବର ୨୭ରେ ଟ୍ବେଣ୍ଟି-୨୦ରୁ ଶୃଙ୍ଖଳା ଆରମ୍ଭ; ଟେଷ୍ଟ୍‌ରେ ଶେଷ

Cricket World

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଉଭୟ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଏବଂ ବିସିସିଆଇ (ଭାରତୀୟ କ୍ରିକେଟ୍‌ ନିୟଂତ୍ରଣ ବୋର୍ଡ) ଆପାତତଃ ସୂଚୀ ଚୂଡାନ୍ତ କରିଛନ୍ତି। ସେହି ଗସ୍ତରେ ଭାରତ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରୁ ଆରମ୍ଭ ହୋଇ ଟେଷ୍ଟ୍‌ରେ ଶେଷ ହେବ। ନଭେମ୍ବର ୨୭ ତାରିଖରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପରେ ଡିସେମ୍ବର ୪ରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ ଏବଂ ଶେଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବ। ଡିସେମ୍ବର ୧୭ରେ ଆଡିଲେଡ୍‌ରେ ଦିବାରାତ୍ର ଟେଷ୍ଟ୍‌ ଖେଳାଯିବ। ଏନେଇ ଉଭୟ ବୋର୍ଡ ସହମତି ପ୍ରକାଶ କରିଛନ୍ତି।

କରୋନା ମହାମାରୀ କଟକଣା ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୫ରୁ ୨୬ ଜଣିଆ ଭାରତୀୟ ଦଳ ବଛାଯିବ। ସୁନୀଲ ଜୋଷୀଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ଆସନ୍ତା ସପ୍ତାହରେ ସମ୍ଭାବ୍ୟ ଦଳ ଚୟନ କରିବ। କାରଣ ଭାରତୀୟ ଦଳର ଖେଳାଳି, ପ୍ରଶିକ୍ଷଣ ଷ୍ଟାଫ୍‌, ସପୋର୍ଟ ଷ୍ଟାଫ୍‌ ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା ଆଗୁଆ ଜାଣିବା ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଚାହିଁଥିବାରୁ ଆସନ୍ତା ସପ୍ତାହରେ ‌ଯେକୌଣସି ସମୟରେ ଦଳ ଘୋଷଣା ହୋଇପାରେ। ସଂପ୍ରତି ୟୁଏଇରେ ଆଇପିଏଲ୍‌ ଚାଲିଥିବାରୁ ଭାରତୀୟ ଖେଳାଳିମାନେ ଚାର୍ଟର୍ଡ ବିମାନ ଜରିଆରେ ଦୁଇଟି ଦଫାରେ ଅଷ୍ଟ୍ରେଲିଆ ଗସ୍ତ କରିବେ। ସେଥିପାଇଁ ପ୍ରଶିକ୍ଷଣ ଷ୍ଟାଫ୍‌, ସପୋର୍ଟ ଷ୍ଟାଫ୍‌ ଏବଂ ଟେଷ୍ଟ୍‌ ବିଶେଷଜ୍ଞ ଚେତେଶ୍ବର ପୂଜାରା ଓ ହନୁମା ବିହାରୀ ଚଳିତ ଅକ୍ଟୋବର ଶେଷ ସପ୍ତାହରେ ୟୁଏଇରେ ପହଞ୍ଚିଯିବେ। ଆଇପିଏଲ୍‌ ଖେଳୁନଥିବା ଖେଳାଳିମାନେ ବିଶେଷକରି ଆଗରୁ ଦୁବାଇ ପହଞ୍ଚିଗଲେ ସେଠାରେ ସଂଗରୋଧ ସମୟ ବିତାଇପାରିବେ। ଯାହାଫଳରେ ଅଷ୍ଟ୍ରେଲିଆରେ ସଂଗରୋଧ ସମୟ କମିଯାଇପାରିବ ବୋଲି ବିସିସିଆଇ କହିଛି। ଏପରିସ୍ଥଳେ ପ୍ରଥମ ଦଫାରେ ଭାରତୀୟ ଦଳ ନଭେମ୍ବର ୪ ତାରିଖରୁ ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ। ଏହାପରେ ଦ୍ବିତୀୟ ତଥା ଶେଷ ଦଫାରେ ଆଇପିଏଲ୍‌ ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିଥିବା ଦଳର ଖେଳାଳିମାନେ ନଭେମ୍ବର ୧୨/୧୩ ତାରିଖରେ ଅଷ୍ଟ୍ରେଲିଆ ଯାତ୍ରା କରିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

କ୍ରିକେଟ୍ ଅଷ୍ଟ୍ରେଲିଆ-ପ୍ରସାରଣକାରୀ ସଂସ୍ଥା ମୁହାଁମୁହିଁ

ସିଡ୍‌ନି: ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ପ୍ରସାରଣକାରୀ ସଂସ୍ଥା ‘ଚ୍ୟାନେଲ ସେଭେନ୍’ ଭିତରେ ଆଇନଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଭିନ୍ନ ଘରୋଇ ଶୃଙ୍ଖଳା ସହ ମହିଳା କ୍ରିକେଟ୍ ଏବଂ ବିଗ୍‌ବାସ୍‌ର କେତେକ ମ୍ୟାଚ୍ ଲାଗି କ୍ରିକେଟ୍ ଅଷ୍ଟ୍ରେଲିଆକୁ ଚ୍ୟାନେଲ ସେଭେନ୍ ବାର୍ଷିକ ୭୫ ନିୟୁତ ଡଲାର ବା ପାଖାପାଖି ୫୫୦ କୋଟି ଟଙ୍କା ପ୍ରଦାନ କରିଥାଏ। ଚଳିତ ବର୍ଷ କିନ୍ତୁ ଚ୍ୟାନେଲ ତା’କୁ ମିଳିଥିବା ପ୍ରତିଯୋଗିତାର ଗୁଣବତ୍ତା ଅତୀତଠାରୁ ନିମ୍ନସ୍ତରର ହୋଇଛି ବୋଲି ଦର୍ଶାଇ କ୍ରିକେଟ୍ ଅଷ୍ଟ୍ରେଲିଆ ବିରୋଧରେ ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଛି। ଏପରିକି ଏଥିଲାଗି ଚ୍ୟାନେଲ୍ ଆଇନଗତ ମଧ୍ୟସ୍ଥତା ନୋଟିସ୍ ପଠାଇଥିବା ଜଣାପଡ଼ିଛି। ଏଭଳି କୌଣସି ନୋଟିସ୍ ପାଇଥିବା ଖବରକୁ କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ ଖଣ୍ଡନ କରିଛି। ତେବେ ଆଗାମୀ ସମୟରେ ଉଭୟ ପକ୍ଷ ମଧ୍ୟରେ ବିବାଦ ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

କୋଭିଡ୍-୧୯ କଟକଣା ଏବଂ ଏଥିଲାଗି ହେଉଥିବା ବ୍ୟାବସାୟିକ କ୍ଷତି ଲାଗି ଚଳିତବର୍ଷର ଦର କମାଇବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ଉପରେ ଚ୍ୟାନେଲ ଚାପ ପକାଇ ଆସୁଛି। ଏପରିକି ଚଳିତ ବର୍ଷର ଗୋଟିଏ ଦୁଇଟି କିସ୍ତି ମଧ୍ୟ ଚ୍ୟାନେଲ କିଛି ଦିନ ପାଇଁ ଅଟକାଇ ଦେଇଥିଲା। ହେଲେ ଭାରତ ଶୃଙ୍ଖଳାକୁ ଆଖି ଆଗରେ ରଖି ଏହାକୁ ବିଳମ୍ବରେ ପ୍ରଦାନ କରିଥିଲା। ଏହାଛଡ଼ା ଏବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାର ସ୍ଥାନ ଓ ସମୟ ନେଇ ଉଭୟ ପକ୍ଷ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ଥିର କରିଥିବା ସ୍ଥାନ ଓ ସମୟକୁ ନେଇ ଚ୍ୟାନେଲ ସେଭେନ୍ ଅସନ୍ତୁଷ୍ଟ ଅଛି। ଏହି ସବୁ ବିବାଦର ସମାଧାନ ନହେଲେ ଚ୍ୟାନେଲ ସେଭେନ୍ ଓ କ୍ରିକେଟ୍ ଅଷ୍ଟ୍ରେଲିଆ ପରସ୍ପର ସହ ଦୀର୍ଘ ଦିନର ସଂପର୍କ ଛିନ୍ନ କରିପାରନ୍ତି। ଏହା ହେଲେ ଭାରତ ଶୃଙ୍ଖଳା ଉପରେ ଏହାର ପ୍ରଭାବ ପଡ଼ିବା ଏକପ୍ରକାର ନିଶ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe