ଭାରତୀୟ ମହିଳା ହକି ଦଳର ଦ୍ବିତୀୟ ପରାଜୟ

ଭାରତୀୟ ମହିଳା ହକି ଦଳର ଦ୍ବିତୀୟ ପରାଜୟ

ଟୋକିଓ: ଦୁଇଟି ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଗୋଟିଏ ପେନାଲ୍ଟି କର୍ନର ଏବଂ ଅନ୍ୟଟି ପେନାଲ୍ଟି ଷ୍ଟ୍ରୋକ୍। ହେଲେ ଦୁଇଟି ଯାକ ପ୍ରୟାସରେ ଦୁର୍ବଳ ଫିନିସିଂର ପରିଚୟ ଦେଲା ଯୁବ ଖେଳାଳି ସମୃଦ୍ଧ ଭାରତୀୟ ମହିଳା ହକି ଦଳ। ଫଳରେ ଜର୍ମାନୀ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌କୁ ୦-୨ରେ ହାରିଲା। ପୂର୍ବରୁ ‌ନେଦରଲାଣ୍ଡ୍ସଠାରୁ ୧-୫ରେ ହାରିଥିବାରୁ ଦୁଇଟି ମ୍ୟାଚ୍‌ରୁ କ୍ରମାଗତ ପରାଜୟ ବରଣ କରିବାର ବିଫଳତା ଲାଭ କଲା ଟିମ୍ ଇଣ୍ଡିଆ। ଲଗାତାର ପରାଜୟ ପରେ ଦଳ ଏବେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାର ଆଶଙ୍କା ବି ବଢ଼ିଲା। ସୋମବାରର ପ୍ରତୀକ୍ଷିତ ମ୍ୟାଚ୍‌ରେ ଭାରତୀୟ ଖେଳାଳି ବହୁ ସୁଯୋଗ ହାତଛଡ଼ା କରିଥିଲେ। ଏପରିକି ଗୁରଜିତ କୌର କଷ୍ଟ ଅର୍ଜିତ ପେନାଲ୍ଟି ଷ୍ଟ୍ରୋକ୍‌କୁ ମଧ୍ୟ ଗୋଲ୍‌ରେ ରୂପାନ୍ତର କରିପାରିନଥିଲେ।

ଯାହା ପ୍ରତ୍ୟେକ ଭାରତୀୟ ହକି ପ୍ରେମୀଙ୍କୁ ନିରାଶ କରିଥିଲା ଏବଂ ଦଳ ପୁଣି ଥରେ ପରାଜିତ ହୋଇ ନିଜ ଗ୍ରୁପ୍‌ର ସବାଶେଷ ସ୍ଥାନରେ ଝୁଲି ରହିଲା। ସୋମବାରର ଏହି ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ନେଦରଲାଣ୍ଡ୍ସ ବିପକ୍ଷ ଆତ୍ମସମର୍ପଣକୁ ଭୁଲି ଆରମ୍ଭରୁ ଆତ୍ମବିଶ୍ବାସଭରା ଆରମ୍ଭ କରିଥିଲା। ହେଲେ ମାତ୍ର କିଛି ମିନିଟ୍ ଭିତରେ ଦଳରେ ଯେ ତାଳମେଳର ଅଭାବ ଅଛି ତାହା ସ୍ପଷ୍ଟ ବାରି ‌ହୋଇ ଯାଇଥିଲା। ନମିତା ଟପ୍ପୋ ଓ ଲିଲିମା ମିଞ୍ଜଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିକୁ ଦଳ ପୂରା ଅନୁଭବ କରିଥିଲା। ଫଳ ସ୍ବରୂପ ପ୍ରଥମ କ୍ବାର୍ଟରର ଦ୍ବାଦଶ ମିନିଟ୍‌ରେ ଜର୍ମାନୀ ଅଧିନାୟିକା ଭରତୀୟ ରକ୍ଷଣଭାଗ ଓ ଗୋଲ୍‌ରକ୍ଷିକା ସବିତାଙ୍କୁ ଚକ୍‌ମା ଦେଇ ନିଜ ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ।

ଜର୍ମାନୀକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ନରକୁ ହିଁ ସେ ଗୋଲ୍‌ରେ ପରିଣତ କରି ଦେଇଥିଲେ। ଦ୍ବିତୀୟ କ୍ବାର୍ଟରକୁ ଗୋଲ୍ ଶୂନ୍ୟ ରଖିବାକୁ ଭାରତୀୟ ଖେଳାଳି ସକ୍ଷମ ହୋଇଥିଲେ। ତେବେ ତୃତୀୟ କ୍ବାର୍ଟରର ତୃତୀୟ ମିନିଟ୍‌ରେ ଆନେ ସ୍କୋର୍ଡର ପୁଣି ଥରେ ଭାରତୀୟ ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଭାରତ ୦-୨ରେ ପଛୁଆ ରହିଥିଲା। ବଳକା ସମୟରେ ବହୁ ଚେଷ୍ଟା ପରେ ମଧ୍ୟ ଭାରତୀୟ ବାହିନୀ ଗୋଲ୍ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲା। ଫଳରେ ନୈରାଶ୍ୟଜନକ ଭାବେ ଆଉ ଏକ ମ୍ୟାଚ୍ ହାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe