ପୁନର୍ଗଠିତ ହେବ ରାଜ୍ୟର ୧୬ କ୍ରୀଡ଼ା ଛାତ୍ରାବାସ, କ୍ରୀଡ଼ାବିତ୍‌ଙ୍କ ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ବ

Advertisment

ଏଣିକି ଗୋଟିଏ ଛାତ୍ରାବାସ, ଗୋଟିଏ ଖେଳ, ଛାତ୍ରାବାସଗୁଡ଼ିକର କ୍ଷମତା ୧୨୫୦ରୁ ୯୧୩କୁ କମିବ

ଏଣିକି ଗୋଟିଏ ଛାତ୍ରାବାସ, ଗୋଟିଏ ଖେଳ, ଛାତ୍ରାବାସଗୁଡ଼ିକର କ୍ଷମତା ୧୨୫୦ରୁ ୯୧୩କୁ କମିବ

କଳିଙ୍ଗ ଷ୍ଟାଡିୟମ୍‌ରେ କରୋନା ଆତଙ୍କ

ଭୁବନେଶ୍ବର: କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କ ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ କ୍ରୀଡ଼ା ଓ ଯୁବ ‌ସେବା ବିଭାଗ ରାଜ୍ୟର ୧୬ଟି ଯାକ କ୍ରୀଡ଼ା ଛାତ୍ରାବାସର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ତଦନୁଯାୟୀ ବିଭାଗ ଛାତ୍ରାବାସଗୁଡ଼ିକୁ ଏକାଧିକ ଖେଳ ପରିବର୍ତ୍ତେ ଏକ ନିର୍ଦ୍ଦିଷ୍ଟ ଖେଳ ଭିତ୍ତିକ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହାଦ୍ବାରା ଛାତ୍ରବାସଗୁଡ଼ିକୁ ହେଉଥିବା କ୍ରୀଡ଼ା ଆବଣ୍ଟନର ପୁନର୍ଗଠନ ହେବା ସହ ସେଠାରେ ଏକ ନିର୍ଦ୍ଦିଷ୍ଟ ଖେଳର ଖେଳାଳିଙ୍କ ପାଇଁ ଆଧୁନିକ ଓ ବିଜ୍ଞାନ ସମ୍ମତ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇ ପାରିବ। ସେହିଭଳି ଏଣିକି ଗୋଟିଏ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ବୟସ ବର୍ଗ ଓ ନିର୍ଦ୍ଦିଷ୍ଟ ଖେଳକୁ ଗୁରୁତ୍ବ ଦିଆଯିବ। ଫଳରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବାତାବରଣ ସୃଷ୍ଟି ହେବା ସହ କ୍ରୀଡ଼ାବିତ୍‌ମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ। ସଂପ୍ରତି ରାଜ୍ୟର କ୍ରୀଡ଼ାଛାତ୍ରାବାସଗୁଡ଼ିକ ବହୁମୁଖୀ ବ୍ୟବସ୍ଥାରେ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ଗୋଟିଏ ଛାତ୍ରାବାସରେ ୯ରୁ ୨୫ ବର୍ଷ ବୟସ୍କ ଏକାଧିକ ଖେଳର ଖେଳାଳିଙ୍କୁ ରଖାଯାଉଛି। ଆଗକୁ ଏହି ଢାଞ୍ଚାରେ ପରିବର୍ତ୍ତନ କରାଯିବ। ଗୋଟିଏ ଛାତ୍ରାବାସ- ଗୋଟିଏ ଖେଳ ନୀତିରେ ବିଭିନ୍ନ କ୍ରୀଡ଼ା ଛାତ୍ରାବାସକୁ ଖେଳ ଆବଣ୍ଟନ କରାଯିବ।

ଫଳରେ ଗୋଟିଏ ଛାତ୍ରାବାସ ଏକ ନିର୍ଦ୍ଦିଷ୍ଟ ଖେଳ ଉପରେ ସଂପୂର୍ଣ୍ଣ ଧ୍ୟାନ ଦେଇପାରିବ। ପ୍ରଶିକ୍ଷଣ, ଅଭ୍ୟାସ, ଭିତ୍ତିଭୂମି ଏବଂ ଖେଳାଳିଙ୍କ ଉପଲବ୍ଧି ଉପରେ ଖେଳର ପ୍ରକାର ବଛାଯିବ। ଯେଉଁ ଜିଲ୍ଲା ବା ଅଞ୍ଚଳରେ ଛାତ୍ରାବାସ ଥିବ, ସେହି ଅଞ୍ଚଳର ଲୋକପ୍ରିୟ ଖେଳକୁ ହିଁ ସଂପୃକ୍ତ ଛାତ୍ରାବାସ ଲାଗି ବିଚାରକୁ ନିଆଯିବ। ସେହି ଖେଳରେ ଗ୍ରାମାଞ୍ଚଳ ପ୍ରତିଭାର ଉପସ୍ଥିତି ଓ ସେଠାରେ ଥିବା ଭିତ୍ତିଭୂମିକୁ ଆଧାର କରାଯାଇ ଖେଳର ପ୍ରକାର ବଛ‌ାଯିବ। ପର୍ଯ୍ୟାପ୍ତ କ୍ରୀଡ଼ା ଭିତ୍ତିଭୂମି ଓ ତତ୍‌ସଂପର୍କିତ ସୁବିଧା ସୁଯୋଗ ଥିବାରୁ ଭୁବନେଶ୍ବର, ସୁନ୍ଦରଗଡ଼ ଓ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସ ପୂର୍ବଭଳି ବହୁମୁଖୀ କ୍ରୀଡ଼ା ଛାତ୍ରାବାସ ଭାବେ କାର୍ଯ୍ୟ କରିବେ। ଏହାଛଡ଼ା ବିଭାଗ ଛାତ୍ରାବାସଗୁଡ଼ିକର କ୍ଷମତା ୧୨୫୦ରୁ ୯୧୩କୁ ହ୍ରାସ କରିବ। ତା’ ସହ କେବଳ ୧୮ ବର୍ଷରୁ କମ୍ ବୟସର ଖେଳାଳିଙ୍କ ପ୍ରଶିକ୍ଷଣ ଓ ଅଭ୍ୟାସ ଉପରେ ଅଧିକ ଜୋର ଦେବ। ଅବଶ୍ୟ କେତେକ କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯାଇ, ନିର୍ଦ୍ଦିଷ୍ଟ ଖେଳର କିଛି ୧୮ ବର୍ଷରୁ ଅଧିକ ବୟସ୍କ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ଜାରି ରଖିବ। ତେବେ ଏହା ସଂପୂର୍ଣ୍ଣ ସେମାନଙ୍କ ପ୍ରଦର୍ଶନ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ସେମାନଙ୍କ ପଦକ ଜିତିବା ସମ୍ଭାବନା ଉପରେ ନିର୍ଭର କରିବ। ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିବା ୧୮ରୁ ଅଧିକ ବର୍ଷର ଖେଳାଳିଙ୍କୁ ମଧ୍ୟ ବିଭାଗ ସମର୍ଥନ କରିବା ଜାରି ରଖିବ। ଏଣିକି ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରାବାସରେ କେବଳ ବାଳକ ହକି ଓ ସୁନ୍ଦରଗଡ଼ ଛାତ୍ରାବାସରେ କେବଳ ବାଳିକା ହକି ଖେଳାଳି ପ୍ରଶିକ୍ଷଣ ନେବେ।

ସେଥିପାଇଁ ସେଠାକାର ଭିତ୍ତିଭୂମି ଓ ତତ୍ ସଂପର୍କିତ ସୁବିଧା ସୁଯୋଗକୁ ଅନ୍ତର୍ଜାତୀୟ ସ୍ତରର କରାଯିବ। ଫଳରେ ସୁନ୍ଦରଗଡ଼ ପୂର୍ବବତ୍ ଓଡ଼ିଶା ହକିର ଅନ୍ତୁଡ଼ିଶାଳ ଭାବେ ପରିଗଣିତ ହେବ। ପ୍ରତ୍ୟେକ କ୍ରୀଡ଼ା ଛାତ୍ରାବାସରେ ଦିବା ପ୍ରଶିକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯିବ। ଏହା ଫଳରେ ତୃଣମୂଳସ୍ତରରୁ ସ୍ଥାନୀୟ ପ୍ରତିଭାମାନଙ୍କ ବିକାଶ ହୋଇପାରିବ। ‘‘ପୁନର୍ଗଠନ ପରେ ଓଡ଼ିଶା କ୍ରୀଡ଼ାରେ ପ୍ରଶିକ୍ଷଣ ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେବା ସହ କ୍ରୀଡ଼ା ଇକୋସିଷ୍ଟମ୍‌ର ବିକାଶ ହୋଇପାରିବ। ଶିଶୁ, ମାଧ୍ୟମିକ, ସ୍ନାତକ ଓ ବରିଷ୍ଠ ବର୍ଗରେ ଆମେ ପ୍ରଶିକ୍ଷଣ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବା ସହ ହାଇପର୍ଫର୍ମାନ୍ସଗୁଡ଼ିକ ପାଇଁ ଟ୍ୟାଲେଣ୍ଟ ପୁଲ୍ ଗଠନ କରିପାରିବୁ। ବହୁ ହକି ଖେଳାଳି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଦୌଡ଼କୁଦରେ ମଧ୍ୟ ଓଡ଼ିଆ ତାରକାମାନେ ବହୁତ ଭଲ କରୁଛନ୍ତି। ଏହି ପୁନର୍ଗଠନର ମୂଳଲକ୍ଷ୍ୟ ହେଉଛି, ପ୍ରଶିକ୍ଷାର୍ଥୀମାନଙ୍କୁ ଆବଶ୍ୟକ ସମର୍ଥନ ଓ ସୁବିଧା ସୁଯୋଗ ଯୋଗାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ ହେବା ଲାଗି ପ୍ରେରିତ କରିବା’’ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି ଯେ ଆମେ ଏହି ନୀତିକୁ ପ୍ରଣୟନ କରିବା ଲାଗି ଗତ କିଛି ମାସ ହେଲା ଚିନ୍ତା କରୁଥିଲୁ। କୋଭିଡ୍-୧୯ ମାନ୍ଦାବସ୍ଥା ଆମକୁ ଏହି ଦିଗରେ ଆଗକୁ ବଢ଼ିବାକୁ ସୁଯୋଗ ଦେଇନଥିଲା। ଛାତ୍ରାବାସଗୁଡ଼ିକର ଢାଞ୍ଚାଗତ ପରିବର୍ତ୍ତନ ହେବା ପରେ ଜିଲ୍ଲା ଭିତ୍ତିଭୂମିର ଶତପ୍ରତିଶତ ଉପଯୋଗ, ମିଳୁଥିବା ପାଣ୍ଠିର ସୁବିନିଯୋଗ ଓ ପ୍ରଚଳିତ ବ୍ୟବସ୍ଥାର ଅନୁଧ୍ୟାନ କରିହେବ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସହ ଆଲୋଚନା ପରେ ଏଭଳି ପରିବର୍ତ୍ତନ କରାଯାଇଛି। ଏହା ଦ୍ବାରା କ୍ରୀଡ଼ାବିତ୍‌ଙ୍କ କୌଶଳ ବିକାଶ ସହ ସେମାନଙ୍କ ବ୍ୟକ୍ତିତ୍ବରେ ମଧ୍ୟ ଉନ୍ନତି ଆସିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe