କିଙ୍ଗ୍ସକୁ ବିଦାକଲା ସୁପରକିଙ୍ଗ୍ସ

Advertisment

ଋତୁରାଜଙ୍କୁ ହ୍ୟାଟ୍ରିକ୍ ମ୍ୟାଚ୍ ଶ୍ରେଷ୍ଠ ପୁରଷ୍କାର

ଋତୁରାଜଙ୍କୁ ହ୍ୟାଟ୍ରିକ୍ ମ୍ୟାଚ୍ ଶ୍ରେଷ୍ଠ ପୁରଷ୍କାର

କିଙ୍ଗ୍ସକୁ ବିଦାକଲା ସୁପରକିଙ୍ଗ୍ସ

IPLT20.com

ଆବୁଧାବି: କିଙ୍ଗ୍ସ ଏକାଦଶ ପଞ୍ଜାବ ପୁଣି ଥରେ ପ୍ଲେ ଅଫ୍ ଦ୍ବାରରେ ପହଞ୍ଚି ପ୍ଲେ ଅଫ୍‌କୁ ଯାଇପାରିନାହିଁ। ପ୍ରଥମ ୭ ମ୍ୟାଚ୍‌ରେ ମାତ୍ର ଗୋଟିଏ ବିଜୟ ହାସଲ କରି ଶୋଚନୀୟ ସ୍ଥିତିରେ ଥିଲା ବେଳେ ଆଇପିଏଲ୍ ଇତିହାସର ଅନ୍ୟତମ ନାଟକୀୟ ପ୍ରତ୍ୟାବର୍ତ୍ତନ କରିଥିଲା ଏହି ଦଳ। ପରବର୍ତ୍ତୀ ୫ ମ୍ୟାଚ୍‌କୁ ଲଗାତାର ଭାବେ ଜିତି ଅଚାନକ ଶୀର୍ଷ ଚାରିଟି ଦଳ ଦୌଡ଼ରେ ସାମିଲ ହୋଇଥିଲା। ହେଲେ ଶେଷ ଦୁଇ ମ୍ୟାଚ୍‌ରେ ଭାଗ୍ୟ ସାଥ୍ ଦେଇ ନଥିଲା। ତ୍ରୟୋଦଶ ମ୍ୟାଚ୍ ହାରିବା ପରେ ରବିବାର ଅପରାହ୍ନର ଅନ୍ତିମ ଲିଗ୍ ମ୍ୟାଚ୍‌ ପଞ୍ଜାବ ପାଇଁ ‘କର ବା ମର’ ହୋଇଥିଲା। ଦୁର୍ଭାଗ୍ୟଜନକ ଭାବେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଆଜିର ଏହି ଅତି ମହତ୍ବପୂର୍ଣ୍ଣ ମୁକାବିଲାରେ ଦଳର ବ୍ୟାଟିଂ ବିଶ୍ବାସଘାତ କଲା। ଶୀର୍ଷକ୍ରମ କୋଳି ଝଡ଼ିଲା ଭଳି ଝଡ଼ିଯିବା ପରେ ଦୀପକ ହୁଦା (୬୨ ରନ୍, ୩୦ ବଲ୍‌, ୩ ଚୌକା, ୪ ଛକା)ଙ୍କ ଅପରାଜିତ ଓ ବିସ୍ଫୋରକ ଅର୍ଧଶତକ ବଳରେ ୧୫୩/୬ର ସମ୍ମାନଜନକ ସ୍କୋର କଲା। ହେଲେ କିଙ୍ଗ୍ସ ଧାର୍ଯ୍ୟ କରିଥିବା ଏହି ଛୋଟିଆ ଲକ୍ଷ୍ୟକୁ ସୁପରକିଙ୍ଗ୍ସ ଅତି ସହଜରେ ହାସଲ କରିନେଲା। ପୂର୍ବରୁ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଶେଷ ଲିଗ୍ ମ୍ୟାଚ୍‌କୁ ୯ ୱିକେଟ୍‌ରେ ଜିତି ସମ୍ମାନର ସହ ଚଳିତ ଋତୁ ଶେଷ କଲା। କେଏଲ୍ ରାହୁଲଙ୍କ କିଙ୍ଗ୍ସ ଏକାଦଶକୁ କିନ୍ତୁ ସାଙ୍ଗରେ ନେଇ ବିଦା ହେଲା। ଉଭୟ ଦଳର ଅଭିଯାନ ରବିବାର ଶେଷ ହୋଇଗଲା।

ଅବସରକୁ ଧୋନିଙ୍କ ଅସ୍ବୀକାର
ହାଇପ୍ରେସର ମ୍ୟାଚ୍‌ରେ ୧୮୦ରୁ ୧୯୦ ରନ୍ କରି ନପାରିବା ପଞ୍ଜାବ ହାରିବାର ମୁଖ୍ୟ କାରଣ ଥିଲା ବୋଲି ରାହୁଲ ମ୍ୟାଚ୍ ପରେ ସ୍ବୀକାର କରିଥିଲେ। ଏଥରର ଋତୁରେ ଅନେକ ରୋମାଞ୍ଚକର ମ୍ୟାଚ୍ ଖେଳିଥିବା ପଞ୍ଜାବ ଖେଳାଳିମାନେ ପଡ଼ିଆ ଭିତରେ ପରସ୍ପରକୁ ଆଲିଙ୍ଗନ କରି ବିଦାୟ ନେଇଥିଲେ। ସେପଟେ ଆଇପିଏଲ୍‌ରୁ ଅବସର ଆକଳନକୁ ଖଣ୍ଡନ କରି ଆସନ୍ତାବର୍ଷ ମଧ୍ୟ ସେ ହଳଦିଆ ଗଞ୍ଜିରେ ଚେନ୍ନାଇର ପ୍ରତିନିଧ୍ବିତ୍ବ କରିବା ଦେଖିବାକୁ ମିଳିବେ ବୋଲି ବି‌ଜୟୀ ଦଳ ଅଧିନାୟକ ଧୋନି ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିଙ୍ଗ୍ସ ଏକାଦଶର ପୁଣି ଥରେ ପ୍ଲେ ଅଫ୍ ପ୍ରବେଶ ଆଶା ଆହୁରି ଲମ୍ବିଥିଲା। ଶେଷ ଥର ପାଇଁ ଏହି ଦଳ ୨୦୧୪ରେ ଏହି ପର୍ଯ୍ୟାୟକୁ ଯାଇଥିଲା। ଏହା ପୂର୍ବରୁ ୨୦୦୮ରେ ତୃତୀୟ ସ୍ଥାନରେ ରହିଥିଲା।

ଗେଲ୍ ନିରାଶ
ଚଳିତ ଆଇପିଏଲ୍‌ର ଦ୍ବିତୀୟାର୍ଧରେ ସୁଯୋଗ ପାଇଥିବା ବିସ୍ଫୋରକ କ୍ରିସ୍ ଗେଲ୍ ଆଜି ଦାୟିତ୍ବବାନ ଓ ରକ୍ଷଣାତ୍ମକ ବ୍ୟାଟିଂ କରୁଥିଲେ। ଦେଖିଚାହିଁ ଖେଳି ବଡ଼ ସଟ୍ ଅପେକ୍ଷା ସିଙ୍ଗଲ, ଡବଲ ଉପରେ ଅଧିକ ଧ୍ୟାନ ଦେଉଥିଲେ। ହେଲେ ୪୧ ବର୍ଷୀୟ ଲଢ଼େଇରେ ଦକ୍ଷିଣ ଆଫ୍ରିକୀୟ ଇମ୍ରାନ ତାହିର (ଉଭୟ ଗେଲ୍ ଓ ତାହିର ୪୧ ବର୍ଷ ବୟସ୍କ) ବାଜି ମାରି ନେଇଥିଲେ। ସିଧା ବଲ୍ ପକାଇ ଗେଲ୍‌ଙ୍କୁ ସେ ମାତ୍ର ୧୨ ରନ୍‌ରେ ଶିକାର କରି ନେଇଥିଲେ। ଗେଲ୍ ୭ ମ୍ୟାଚ୍‌ରୁ ତିନିଟି ଅର୍ଧଶତକ ସହ ୨୮୮ ରନ୍‌ରେ ଚଳିତ ଋତୁରେ ଅଭିଯାନ ଶେଷ କରିଥିଲେ।

ଋତୁରାଜଙ୍କ ହ୍ୟାଟ୍ରିକ୍ ମ୍ୟାଚ୍ ଶ୍ରେଷ୍ଠ
ଭାରତୀୟ ଯୁବ ତାରକାଙ୍କ ମଧ୍ୟରେ ଚମକର ଅଭାବ ଥିବା କହି ଧୋନି ଏକଦା ବିବାଦ ଘେରକୁ ଆସିଥିଲେ। ତାଙ୍କର ଏଭଳି ମନ୍ତବ୍ୟ କିନ୍ତୁ ଚେନ୍ନାଇର ୨୪ ବର୍ଷୀୟ ପ୍ରତିଭାବାନ ଯୁବ ପ୍ରତିଭା ଋତୁରାଜ ଗାଏକ୍ବାଡଙ୍କ ମନରେ କିଛି କରି ଦେଖାଇବାର ସାହସ ଭରି ଦେଇଥିଲା। ଚେନ୍ନାଇର ଗତ ତିନିଟି ମ୍ୟାଚ୍‌ରେ ହ୍ୟାଟ୍ରିକ୍ ଅର୍ଧଶତକ ଅର୍ଜନ କରିବା ସହ ସେ ମଧ୍ୟ ନିଜ ବ୍ୟାଟିଂ ପ୍ରଦର୍ଶନ ବଳରେ ରବିବାର ଲଗାତାର ତୃତୀୟ ଥର ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଚେନ୍ନାଇ ଧାର୍ଯ୍ୟ କରିଥିବା ୧୫୪ ରନ୍‌ର ଲକ୍ଷ୍ୟକୁ ପିଛା କରି ଫାଫ୍ ଡୁ’ ପ୍ଲେସିସ୍‌ଙ୍କ ସହ ଋତୁରାଜ ପ୍ରଥମ ୱି‌କେଟ୍‌ରେ ୮୨ ରନ୍ ଯୋଡ଼ିଥି‌ଲେ। ଏହା ପରେ ଅମ୍ବାତି ରାୟୁଡୁଙ୍କ ସହ ଅବିଭାଜିତ ଦ୍ବିତୀୟ ୱିକେଟ୍‌ରେ ୬୨ ରନ୍ ଯୋଡ଼ି ଚେନ୍ନାଇକୁ ଋତୁ ‌ଶେଷ ବିଜୟ ଉପହାର ଦେଇଥିଲେ। କ୍ରିସ୍ ଗେଲ୍‌ଙ୍କ ଊନ୍ନବିଂଶ ଓଭରର ପଞ୍ଚମ ବଲ୍‌ରେ ରାୟୁଡୁ ସିଙ୍ଗଲ ନେବା ସହ ପଞ୍ଜାବର ଉତ୍ଥାନ ପତନ ଭରା ଅଭିଯାନ ଶେଷ ‌ହୋଇଯାଇଥିଲା। ବୟସ୍କଙ୍କ ଦଳ ଆଖ୍ୟା ପାଇଥିବା ଚେନ୍ନାଇ ଯୁବ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଶେଷ ତିନି ମ୍ୟାଚ୍ ଜିତି ସମ୍ମାନର ସହ ବିଦାୟ ନେଇଥିଲା। ଉଭୟ ଚେନ୍ନାଇ ଓ ପଞ୍ଜାବ ୬ଟି ଲେଖାଏଁ ବିଜୟ ହାସଲ କରି ୧୨ ପଏଣ୍ଟରେ ରହିଥିଲେ। ଋତୁରାଜ ମୋଟ ୬ ମ୍ୟାଚ୍ ଖେଳି ୨୦୪ ରନ୍ କରିଥିଲେ।

ତଥାପି ରାହୁଲ ନାରଙ୍ଗୀ
କିଙ୍ଗ୍ସ ଏକାଦଶ ପଞ୍ଜାବ ଶୀର୍ଷ ଚାରି ଦଳ ମଧ୍ୟରେ ରହିପାରିନଥିଲେ ମଧ୍ୟ ଅଧିନାୟକ କେଏଲ୍ ରାହୁଲ ବ୍ୟକ୍ତିଗତ ରନ୍ ସଂଗ୍ରହରେ ଏବେ ବି ଏକ ନମ୍ବର ସ୍ଥାନରେ ରହିଛନ୍ତି। ସ୍ବପ୍ନର ଋତୁରେ ସେ ଏକାକୀ ୧୪ ମ୍ୟାଚ୍‌ରୁ ୫୫.୯୩ ହାରରେ ୬୭୦ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ଗୋଟିଏ ଚିତ୍ତାକର୍ଷକ ଶତକ ଏବଂ ପାଞ୍ଚଟି ବହୁମୂଲ୍ୟ ଅର୍ଧଶତକ। ଚଳିତ ଋତୁରେ ସେ ୫୮ ଚୌକା ଓ ୨୩ ଛକା ମାରିଛନ୍ତି ଏବଂ ତାଙ୍କ ଷ୍ଟ୍ରାଇକ୍ ରେଟ୍ ରହିଛି ୧୨୯.୩୪। ଦୁଇ ଥର ଅପରାଜିତ ରହିଥିବା ରାହୁଲ ରବିବାର ସୁଦ୍ଧା ନାରଙ୍ଗୀ ଟୋପି ନିଜ ପାଖରେ ରଖିଛନ୍ତି। ଦ୍ବିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାୱନ ତାଙ୍କଠାରୁ ୧୯୯ ରନ୍ ପଛରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe