ଟୋକିଓ: କରୋନା ସଂକ୍ରମଣର ମହାସଙ୍କଟ ପୁଣି ଥରେ ଫେରିବା ସହ ଟୋକିଓରେ ଭୂତାଣୁ ଏମରଜେନ୍ସି ବା ଭୂତାଣୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ଜାପାନ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଅଲିମ୍ପିକ୍ସରେ ଦର୍ଶକଙ୍କ ଉପସ୍ଥିତି ଉପରେ ସାନି କଟକଣା ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ବିଦେଶୀ ଦର୍ଶକଙ୍କ ଟୋକିଓ ପ୍ରବେଶ ଉପରେ ଅଙ୍କୁଶ ଜାରି କରାଯାଇଥିଲା ବେଳେ ଏବେ ଘରୋଇ ଦର୍ଶକଙ୍କ ଉପରେ ମଧ୍ୟ ବାସନ୍ଦାଦେଶ ଜାରି କରିବାକୁ ଆୟୋଜନ ସମିତି ଚିନ୍ତା କରୁଥିବା ଜଣାପଡ଼ିଛି। ଏହି ଜରୁରୀକାଳୀନ ପରିସ୍ଥିତି ତାଲାବନ୍ଦ ଭଳି ସେତେଟା କଠୋର ହେବନି ଏବଂ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜାପାନ ଗଣମାଧ୍ୟମ ପ୍ରକାଶ କରିଛି। ପୂର୍ବରୁ ମଧ୍ୟ ଟୋକିଓରେ ତିନିଟି ଦଫାରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇସାରିଛି। ହେଲେ ଅଲିମ୍ପିକ୍ସ ଆରମ୍ଭ ହେବାର ମାତ୍ର ତିନି ସପ୍ତାହ ପୂର୍ବରୁ ଏଠାରେ କରୋନା ସଂକ୍ରମଣ ସଂଖ୍ୟା ହୁହୁ ହୋଇ ବଢ଼ିବା ପୁଣି ଥରେ ଆୟୋଜନ ସମିତିର ନିଦ ହଜାଇ ଦେଇଛି। ‘‘ସରକାର ଟୋକିଓରେ ଚତୁର୍ଥ ପର୍ଯ୍ୟାୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବିଷୟ ଶାସକ ଦଳଗୁଡ଼ିକୁ ମଧ୍ୟ ଜଣାଇ ଦିଆଯାଇଛି’’ ବୋଲି ଜାପାନର ସରକାରୀ ଟେଲିଭିଜନ୍ ଚ୍ୟାନେଲ୍ ଏନଏଚ୍କେ କହିଛି। ଅନ୍ୟ ଏକ ଜାପାନୀ ଖବର ସରବରାହ ସଂସ୍ଥା କ୍ବୋଡୋ ନ୍ୟୁଜ୍ ପ୍ରକାଶ କରିଛି ଯେ ଅଲିମ୍ପିକ୍ସ ବନ୍ଦ ଦ୍ବାର ଭିତରେ ଖେଳାଯିବାର ଆଶଙ୍କା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି।
ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣର ମହାବିପଦକୁ ଆଖି ଆଗରେ ରଖି ପ୍ରତିଦିନ ମାତ୍ର ୧୦,୦୦୦ ଦର୍ଶକ (ଯାହା ପୂର୍ଣ୍ଣ କ୍ଷମତାର ଅଧା)ଙ୍କୁ ଷ୍ଟାଡିୟମରେ ଆସି ଖେଳ ଦେଖିବା ଲାଗି ଅନୁମତି ଦିଆଯିବ ବୋଲି ଆୟୋଜନ ସମିତି ଗତମାସରେ ଘୋଷଣା କରିଥିଲା। ବିଦେଶ ଦର୍ଶକଙ୍କ ଉପରେ କିନ୍ତୁ ପୂର୍ବଭଳି କଟକଣା ଜାରି ରହିବ ବୋଲି କହିଥିଲା। ଏବେ ବିନା ଦର୍ଶକରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ବିଚାର ବିମର୍ଶ ଚାଲିଛି। କରୋନାରେ ଜାପାନର ୧୪,୮୦୦ ନାଗରିକ ପ୍ରାଣ ହରାଇଥିଲା ବେଳେ ଅଲିମ୍ପିକ୍ସ ବେଳେ ସେଠାକୁ ଆଉ ଏକ ଲହର ଆସିପାରେ ବୋଲି ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଛନ୍ତି। ଏଥରର ଅଲିମ୍ପିକ୍ସରେ ପାଖାପାଖି ୨୦୦ ଦେଶର ୧୧,୦୦୦ରୁ ଅଧିକ ଖେଳାଳି ଭାଗ ନେବାର ଥିଲା ବେଳେ କେତେକ ଦଳ ଟୋକିଓ ପହଞ୍ଚିବା ଆରମ୍ଭ କରିସାରିଲେଣି। ସେଥିମଧ୍ୟରୁ କିଛି ଖେଳାଳିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବା ଆୟୋଜନ ସମିତିର ଚିନ୍ତାକୁ ବହୁଗୁଣ ବଢ଼ାଇ ଦେଇଛି।
ଖେଳଠୁ ରାଜନୀତିକୁ ଦୂରେଇ ରଖାଯାଉ: ବାକ୍
ଜେନେଭା: ‘‘ଖେଳକୁ ରାଜନୀତିଠାରୁ ଦୂରେଇ ରଖାଯାଉ। ଅନ୍ୟଥା ସମାଜର ଅନ୍ୟ ସମସ୍ତ କ୍ଷେତ୍ର ଭଳି ଏହା ମଧ୍ୟ ଫାଟ ଓ ବିଭାଜନ ସୃଷ୍ଟିର ଅନ୍ୟତମ କାରକ ହେବ। ମୋ ମତରେ ଅଲିମ୍ପିକ୍ସ ଅଭିଯାନକୁ ନିରପେକ୍ଷ ରଖିବାର ନିହାତି ଆବଶ୍ୟକତା ରହିଛି। କାରଣ ଅଲିମ୍ପିକ୍ସ ହେଉଛି ଏକମାତ୍ର ଆୟୋଜନ ଯାହା ଶାନ୍ତିପୂର୍ଣ୍ଣ ପ୍ରତିଦ୍ବନ୍ଦ୍ବିତା ଭିତରେ ସମଗ୍ର ବିଶ୍ବକୁ ଏକାଠି କରିଥାଏ। ହେଲେ ଏହା ଦ୍ବାରା ରାଜନେତାମାନେ ସମାଧାନ କରିବାକୁ ବିଫଳ ହୋଇଆସୁଥିବା ମାନବାଧିକାର ଏବଂ ଅନ୍ୟାନ୍ୟ ସାମାଜିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା କରିବା ଠିକ୍ ନୁହେଁ’’। ମିଳିତ ଜାତିସଂଘ ମାନବିକ ଅଧିକାର ପରିଷଦକୁ ପଠାଇଥିବା ଏକ ଭିଡିଓ ବାର୍ତ୍ତାରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି)ର ସଭାପତି ଥୋମାସ୍ ବାକ୍ ଏଭଳି ସାରମର୍ମକ କଥା କହିଛନ୍ତି।
ଚୀନ୍ରେ ଆୟୋଜିତ ହେବାକୁ ଥିବା ୨୦୨୨ ଶୀତକାଳୀନ ଅଲିମ୍ପିକ୍ସ ପରିପ୍ରେକ୍ଷୀରେ ବାକ୍ ଏଭଳି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି। ଚୀନ୍ ସରକାର ଜିଆନଜିଙ୍ଗ୍ ପ୍ରଦେଶରେ ଉଇଗର ମୁସଲମାନଙ୍କ ଉପରେ କରୁଥିବା ଅତ୍ୟାଚାର ଓ ସେଠାରେ ହେଉଥିବା ମାନବାଧିକାର ଉଲ୍ଲଂଘନ ସହ ହଂକଂରେ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଉପରେ ଜାରି କରିଥିବା ଆଙ୍କୁଶ ବିରୋଧରେ ଶୀତକାଳୀନ ଅଲିମ୍ପିକ୍ସର ଏହି ସଂସ୍କରଣକୁ ବର୍ଜନ କରିବା ଲାଗି ଚାରିଆଡ଼ୁ ଦାବି ହେଉଛି। ଯାହାକୁ ବାକ୍ ପସନ୍ଦ କରି ନାହାନ୍ତି। ‘‘ଏକ ସ୍ବାଧୀନ ରାଷ୍ଟ୍ରର କୌଣସି ନିୟମ ପରିବର୍ତ୍ତନ କରିବାର କ୍ଷମତା ଓ ଦକ୍ଷତା ଆମର ନାହିଁ। ରାଜନେତାମାନେ ପିଢ଼ି ପରେ ପିଢ଼ି ସମାଧାନ କରିପାରୁନଥିବା ମାନବାଧିକାର ମାମଲାର ସମାଧାନ ଆମେ କରିପାରିବୁ ନାହିଁ’’ ବୋଲି ରୋକ୍ଠୋକ୍ ଭାବେ ଏହି ଭିଡିଓରେ କହିଛନ୍ତି ବାକ୍। ଅଲିମ୍ପିକ୍ସ ଅଭିଯାନ ଏହିସବୁ ମାମଲାରେ ଫସିଲେ ଏହାର ଅସଲ ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇପାରିବନାହିଁ ବୋଲି ଆଶଙ୍କା ଜାହିର କରିଥିଲେ ବାକ୍।
Follow Us