କ୍ବାର୍ଟରରୁ ବିଦାୟ ନେଲା ମହିଳା ହକି ଦଳ

କ୍ବାର୍ଟରରୁ ବିଦାୟ ନେଲା ମହିଳା ହକି ଦଳ

ଭୁବନେଶ୍ବର : ଜାତୟ କ୍ରୀଡ଼ାରେ ଶୁକ୍ରବାର ଓଡ଼ିଶା ପାଇଁ ଭଲ ନଥିଲା। ପଦକ ‌ଦୌଡ଼ରେ ଥିବା ମହିଳା ହକି ଦଳ କ୍ବାର୍ଟର ଫାଇନାଲ୍‌ରେ ପରାସ୍ତ ହୋଇଥିଲା ବେଳେ ଅନ୍ୟ କୌଣସି ଇଭେଣ୍ଟରୁ ମଧ୍ୟ ଭଲ ଫଳ ଆସିନଥିଲା। ଓଡ଼ିଶା ମହିଳା ହକି ଦଳ କ୍ବାର୍ଟର ଫାଇନାଲ୍‌ରେ ମଧ୍ୟପ୍ରଦେଶଠୁ ୨-୪ ଗୋଲ୍‌ରେ ହାରିଯାଇଛି। ପ୍ରଥମ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଗୋଲ ଲେଖାଏଁ କରିଥିଲା ବେଳେ ଦ୍ବିତୀୟ କ୍ବାର୍ଟରରେ ମଧ୍ୟପ୍ରଦେଶ ୨ ଗୋଲ୍‌ ଦେଇ ଅଗ୍ରଣୀ ପାଇଥିଲା। ତୃତୀୟ କ୍ବାର୍ଟରରେ ଓଡ଼ିଶା ସପକ୍ଷରେ ଗୋଟିଏ ଗୋଲ ଆସିଥିଲା। ଏହାସତ୍ତ୍ବେ ମଧ୍ୟପ୍ରଦେଶ ଶେଷ କ୍ବାର୍ଟରରେ ପୁଣି ଏକ ଗୋଲ୍‌ ମ୍ୟାଚ୍‌ ଜିତି ନେଇଥିଲା। ଏହି ପରାଜୟ ଫଳରେ ହକିରୁ ପଦକ ମିଳିବା ଆଶା ସଂପୂର୍ଣ୍ଣ ମଉଳିଗଲା।

ଅନ୍ୟପକ୍ଷରେ ଜୁଡ଼ୋରେ ପୁରୁଷ ୬୬ କେଜି ବର୍ଗ ରାଉଣ୍ଡ ୧ରେ ରାଜେଶ କୁମାର ସାହୁ ୧-୦ ରେ ତ୍ରିପୁରାର ମଲସୋମ ପ୍ରଫୁଲ୍ଲଙ୍କୁ ହରାଇଥିଲା ବେଳେ ରାଉଣ୍ଡ ୨ରେ ଉତ୍ତରାଖଣ୍ଡର ସୌରଭ ରାୱତଙ୍କଠୁ ୦-୧ରେ ହାରିଯାଇଥିଲେ। ମହିଳା ୬୩ କେଜି ବର୍ଗରେ ପ୍ରଭାସିନୀ ବରାଡ଼ ୦-୧ ରେ ତ୍ରିପୁରାର ନଜ୍‌ମା ଅଖତରଙ୍କଠୁ ହାରିଯାଇଛନ୍ତି। ମହିଳା ଆର୍ଟିଷ୍ଟିକ୍‌ ଯୋଗାସନର ଫାଇନାଲ୍ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି ପଦ୍ମଶ୍ରୀ ମହାନ୍ତି ଓ କଳ୍ପନା ବଳିଆରସିଂହ। ଶୁକ୍ରବାର ସେମିଫାଇନାଲ୍‌ରେ ପଦ୍ମଶ୍ରୀ ୧୦୫.୯୮ ଏବଂ କଳ୍ପନା ୯୭.୦୮ ପଏଣ୍ଟ ପାଇ ଯଥାକ୍ରମେ ୧୩ ଓ ୧୬ ତମ ସ୍ଥାନରେ ରହିଥିଲେ। ବକ୍ସିଂର ୱାଲଟରୱେଟ୍‌ ବିଭାଗରେ ସ୍ମାରକ ରଂଜନ ସାହୁ ୦-୧ରେ ଉତ୍ତରପ୍ରଦେଶର ଆଦିତ୍ୟ ପ୍ରତାପ ଯାଦବଙ୍କଠୁ ପରାସ୍ତ ହୋଇଥିଲା ବେଳେ ମହିଳା ଆକ୍ବାଟିକ୍ସ ୪୦୦ ମିଟର ଫ୍ରି ଷ୍ଟାଇଲ୍‌ରେ ଦିବ୍ୟଙ୍କା ପ୍ରଧାନ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe