ବିଶ୍ବ ମୁଷ୍ଟିଯୁଦ୍ଧ ପଦକ ପକ୍କା କଲେ ଆକାଶ

Advertisment
ବିଶ୍ବ ମୁଷ୍ଟିଯୁଦ୍ଧ ପଦକ ପକ୍କା କଲେ ଆକାଶ

ବେଲ୍‌ଗ୍ରେଡ: ବେଲ୍‌ଜିୟମ୍‌ର ବେଲ୍‌ଗ୍ରେଡ୍‌ରେ ଚାଲିଥିବା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି ଆକାଶ କୁମାର। ମଙ୍ଗଳବାର ୫୪ କେଜି ବର୍ଗ ସେମିଫାଇନାଲ୍‌ରେ ପହଞ୍ଚି ‌ସେ ଅତିକମ୍‌ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ୨୧ ବର୍ଷୀୟ ଆକାଶ ୫-୦ରେ ୨୦୧୬ ଅଲିମ୍ପିକ୍‌ ରୌପ୍ୟ ବିଜେତା ଭେନଜୁଏଲାର ୟୁଏଲ ଫିନୋଲଙ୍କୁ ପରାସ୍ତ କରିଥିଲେ। ‌ଅନ୍ୟପକ୍ଷରେ ପାଞ୍ଚ ଥରର ଏସୀୟ ପଦକ ବିଜେତା ଶିବ ଥାପ୍ପା (୬୩.୫ କେଜି) ପ୍ରଥମ ଭାରତୀୟ ପୁରୁଷ ମୁଷ୍ଟିଯୋଦ୍ଧା ଭାବେ ଦୁଇଟି ବିଶ୍ବ ପ୍ରତିଯୋଗିତା ପଦକଠୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଶିବ ଏହି ଆଶା ସଞ୍ଚାର କରିଛନ୍ତି।

ପ୍ରିକ୍ବାର୍ଟର ଫାଇନାଲ୍‌ରେ ୨୦୧୫ ଦୋହା ସଂସ୍କରଣ କାଂସ୍ୟ ବିଜେତା ୨୭ ବର୍ଷୀୟ ଏହି ଆସାମ ତାରକା ୪-୧ରେ ଫ୍ରାନ୍ସର ଲୌନେସ ହାମ୍ରାଉଇଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ସେ ତୁର୍କିର କେରେମ ଓଏଜମାନଙ୍କୁ ଭେଟିବେ। ସୋମବାର ଶିବଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ବିଜୟୀ ହୋଇନଥିଲେ। ଏସୀୟ ରୌପ୍ୟ ବିଜେତା ଦୀପକ ବୋରିଆ (୫୧ କେଜି) ମଧ୍ୟ ବିଦାୟ ନେଇଥିଲେ। ଶିବଙ୍କ ପୂର୍ବରୁ ୪ ଜଣ ଭାରତୀୟ ଯୋଦ୍ଧା କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। ଆକାଶ ସେମିଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଅନ୍ୟ କ୍ବାର୍ଟର ଫାଇନାଲ୍‌ରେ ନରେନ୍ଦର ବେରୱାଲ (୯୨+ କେଜି) ଆଜରବୈଜାନର ମହମ୍ମଦ ଅବଦୁଲାୟେଭଙ୍କୁ, ନିଶାନ୍ତ ଦେବ (୭୧ କେଜି) ରୁଷିଆର ଭାଦମ ମୁ‌ସାଏଭଙ୍କୁ ଏବଂ ଏସୀୟ ବିଜେତା ସଞ୍ଜୀତ (୯୨ କେଜି) ଇଟାଲିର ଅଜିଜ ଆବେସ ମୌହିଦିନେଙ୍କୁ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe