ଏସିଆ କପ୍‌ ପାଇଁ ଭାରତୀୟ ହକି ଦଳରେ ୪ ଓଡ଼ିଆ: ରୂପୀନ୍ଦର ଅଧିନାୟକ, ବୀରେନ୍ଦ୍ର ଉପଅଧିନାୟକ

Advertisment
ଏସିଆ କପ୍‌ ପାଇଁ ଭାରତୀୟ ହକି ଦଳରେ ୪ ଓଡ଼ିଆ: ରୂପୀନ୍ଦର ଅଧିନାୟକ, ବୀରେନ୍ଦ୍ର ଉପଅଧିନାୟକ

ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତ୍ତାରେ ଚଳିତ ମଇ ୨୩ ତାରିଖରୁ ଜୁନ୍‌ ପହିଲାଯାଏଁ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ଏସିଆ କପ୍‌ ହକି ପ୍ରତିଯୋଗିତା ଲାଗି ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତାକୁ ମଧ୍ୟ ବିଶ୍ବକପ୍‌ ଯୋଗ୍ୟତା ମାନ୍ୟତା ମିଳିଛି। ଭାରତ ସହିତ ପୁଲ୍‌ ‘ଏ’ରେ ଜାପାନ, ପାକିସ୍ତାନ, ଆୟୋଜକ ଇଣ୍ଡୋନେସିଆ ରହିଛନ୍ତି। ପୁଲ୍‌ ‘ବି’ରେ ମାଲେସିଆ,‌ କୋରିଆ, ଓମାନ ଓ ବାଂଲାଦେଶ ସାମିଲ ଅଛନ୍ତି। ଗତ ଥରର ବିଜେତା ତଥା ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ନେତୃତ୍ବ ଭାର ରୂପୀନ୍ଦର ପାଲ୍‌ ସିଂହଙ୍କୁ ଦିଆଯାଇଛି। ଏକଦା ଅବସର ଘୋଷଣା କରିଥିବା ଅଭିଜ୍ଞ ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ ଦାୟିତ୍ବ ଅର୍ପଣ କରାଯାଇଛି। ଏହି ଦଳରେ ସାମିଲ ୧୦ ଜଣ ଖେଳାଳି ବରିଷ୍ଠ ବର୍ଗରେ ଅନ୍ତର୍ଜାତୀୟ ପଦାର୍ପଣ କରିବାର ସୁଯୋଗ ପାଇବାକୁ ଯାଉଛନ୍ତି। ଏଫ୍‌ଆଇଏଚ୍‌ ପୁରୁଷ କନିଷ୍ଠ ବିଶ୍ବକପ୍‌ ଦଳରେ ଖେଳିଥିବା ୟାଶଦୀପ ସିୱାଚ, ଅଭିଷେକ ଲାକ୍ରା, ମନଜିତ, ବିଷ୍ଣୁକାନ୍ତ ସିଂହ, ଉତ୍ତମ ସିଂହଙ୍କ ସହିତ ମାରିସ୍ବରନ ଶକ୍ତିବେଳ,‌ ଶେଷ ଗୌଡ଼ା ବିଏମ୍‌, ପବନ ରାଜବର, ଆଭାରଣ ସୁଦେବ ଏବଂ ଏସ୍‌ କର୍ତ୍ତି। ‌ଘୋଷିତ ୨୦ ଜଣିଆ ଦଳରେ ମୋଟ ୪ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ବୀରେନ୍ଦ୍ର ଲାକ୍ରାଙ୍କ ବାଦ୍‌ ଦୀପସାନ ତିର୍କି, ଅଭିଷେକ ଲାକ୍ରା ଏବଂ ନୀଲମ ସଂଜୀବ ଖେସ୍‌ ସାମିଲ ରହିଛନ୍ତି। ନୀଲମଙ୍କୁ ବଦଳ ଖେଳାଳି ଭାବେ ସୁଯୋଗ ମିଳିଛି।

ଘୋଷିତ ଦଳ ସମ୍ପର୍କରେ ମତ ରଖି ପ୍ରଶିକ୍ଷକ ବିଜେ କାରିଆପ୍ପା କହିଛନ୍ତି ‘ଦଳ ଅଭିଜ୍ଞ ବରିଷ୍ଠ ଖେଳାଳି ଓ ଯୁବ ନବାଗତଙ୍କୁ ନେଇ ଗଠିତ ହୋଇଛି। ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗରେ ଅନ୍ତର୍ଜାତୀୟ ହକି‌ ଖେଳିଥିଲେ ମଧ୍ୟ ବରିଷ୍ଠ ଦଳରେ ଖେଳିନାହାନ୍ତି। ଭାରତ ୨୦୨୩ ବିଶ୍ବକପ୍‌ ଆୟୋଜକ ଭାବେ ଯୋଗ୍ୟତା ଅର୍ଜନ କରିସାରିଥିବାରୁ ଅଧିକ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ସୁଯୋଗର ସଦ୍‌ବ୍ୟବହାର କରି ନୂଆ ଗୋଷ୍ଠୀ ଗଢ଼ିବାର ପରୀକ୍ଷାନିରୀକ୍ଷା କରାଯାଇଛି ବୋଲି କାରିଆପ୍ପା କହିଛନ୍ତି। ଦଳ ସହ ଅନ୍ୟତମ ପ୍ରଶିକ୍ଷକ ଭାବେ ଗସ୍ତ କରିବାକୁ ଥିବା ପୂର୍ବତନ ଅଧିନାୟକ ତଥା ଦୁଇ ଥର ଅଲିମ୍ପିଆନ୍‌ ସର୍ଦାର ସିଂହ କହିଛନ୍ତି ‘‘ବିଗତ କିଛି ମାସର ପ୍ରଶିକ୍ଷଣ ଶିବିରରେ ଖେଳାଳିମାନେ ଭଲ ଦକ୍ଷତା ଦେଖାଇଛନ୍ତି। ଏହି ପ୍ରତିଭାସମ୍ପନ୍ନ ଗୋଷ୍ଠୀ ନିଶ୍ଚିତ ଭଲ କରିବେ ବୋଲି ଆଶା। ପ୍ରଶିକ୍ଷକ ଭାବେ ମୋ ପାଇଁ ପ୍ରଥମ ପ୍ରତିଯୋଗିତା ହୋଇଥିବାରୁ ନୂଆ ଅଭିଜ୍ଞତା ଅର୍ଜନ ପାଇଁ ଆଗଭର ରହିଛି’’।

ଭାରତୀୟ ଦଳ
‌ଗୋଲରକ୍ଷକ: ପଙ୍କଜ କୁମାର ରଜକ, ସୁରଜ କେରକେରା। ଡିଫେଣ୍ଡର୍ସ: ରୂପୀନ୍ଦର ପାଲ୍‌ ସିଂହ (ଅଧିନାୟକ), ୟାଶଦୀପ ସିୱାଚ, ଅଭିଷେକ ଲାକ୍ରା, ବୀରେନ୍ଦ୍ର ଲାକ୍ରା (ଉପଅଧିନାୟକ), ମନଜିତ୍, ଦୀପସାନ୍ ତିର୍କି। ମିଡ୍‌ଫିଲ୍ଡର୍ସ: ବିଷ୍ଣୁକାନ୍ତ ସିଂହ, ରାଜକୁମାର ପାଲ୍‌, ମାରିସ୍ବରେନ୍‌ ଶକ୍ତିଭେଲ୍‌, ଶେଷେ ଗୌଡ଼ନା ବିଏମ୍, ସିମ୍ରନଜିତ ସିଂହ। ଫରୱାର୍ଡସ: ପବନ ରାଜଭର, ଆଭାରଣ ସୁଦେବ, ଏସ୍‌ଭି ସୁନିଲ, ଉତ୍ତମ ସିଂହ, ଏସ୍‌ କର୍ତ୍ତି। ବଦଳ ଖେଳାଳି: ମନୀନ୍ଦର ସିଂହ, ନୀଲମ ସଂଜୀବ ଖେସ୍‌। ଷ୍ଟାଣ୍ଡବାଇ: ପବନ, ପରଦୀପ ସିଂହ, ଅଙ୍କିତ ପାଲ୍‌, ଅଙ୍ଗଦ ବୀର ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe