ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ପଦକ ଜିତିବା ପରେ ସଙ୍କେତଙ୍କୁ ନେଇ ଚର୍ଚ୍ଚା: ପକୋଡ଼ା, ବଡ଼ା ପାଓ ବିକୁଥିଲେ

Advertisment
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ପଦକ ଜିତିବା ପରେ ସଙ୍କେତଙ୍କୁ ନେଇ ଚର୍ଚ୍ଚା: ପକୋଡ଼ା, ବଡ଼ା ପାଓ ବିକୁଥିଲେ

ମୁମ୍ବାଇ: ଭାରତୀୟ କ୍ରୀଡ଼ା ଇତିହାସରେ ସଫଳ ବ୍ୟକ୍ତିମାନଙ୍କ ଜୀବନ ସବୁବେଳେ ସଂଘର୍ଷରୁ ଆରମ୍ଭ ହୋଇଥାଏ। ଏହାର ଏକାଧିକ ଉଦାହରଣ ରହିଛି। ଛୋଟ ସହର ଓ ଦାରିଦ୍ର୍ୟ ଭିତରେ ବଢ଼ି ବଡ଼ ସ୍ବପ୍ନକୁ ସାକାର କରିବାର ଏକାଧିକ ସଫଳ କାହାଣୀ ବି ଆମେ ‌ଦେଖି ଆସିଛୁ। ଏଭଳି ସଂଘର୍ଷମୟ ଜୀବନରୁ ସଫଳତା ପାଇଥିବା ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ସଙ୍କେତ ସର୍ଗର। ଶନିବାର ଏହି ୨୧ ବର୍ଷୀୟ ସାଙ୍ଗଲି (ମହାରାଷ୍ଟ୍ର) ଯୁବକ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ପଦକ (ରୌପ୍ୟ) ଜିତିବା ପରେ ଏହି ଚର୍ଚ୍ଚା ଜୋର ଧରିଛି।

ସଙ୍କେତ କେବଳ ଜଣେ ଚା’ ଦୋକାନୀର ପୁଅ ନୁହନ୍ତି, ସାଙ୍ଗଲିରେ ତାଙ୍କ ପିତାମାତା ଚଳାଉଥିବା ଦୋକାନରେ ସେ ନିଜେ ମଧ୍ୟ ମୁଗ ପକୋଡ଼ା ଓ ବଡ଼ା ପାଓ ବିକ୍ରି କରିଥା’ନ୍ତି।। ନିଜ କ୍ରୀଡ଼ା ତାଲିମ ଓ କଲେଜ ପଢ଼ାରୁ ସମୟ କାଢ଼ି ସେ ମଧ୍ୟ ପିତାମାତାଙ୍କୁ ସହଯୋଗ କରିଥା’ନ୍ତି। ଶନିବାର ସଙ୍କେତ ତାଙ୍କ ୪ ବର୍ଷ ତଳର ସ୍ବପ୍ନକୁ ସାକାର କରିବା ସହ ପରିବାର ପାଇଁ ଅପୂର୍ବ ଖୁସି ଓ ଗୌରବ ଆଣି ଦେଇଛନ୍ତି। ସଙ୍କେତଙ୍କ ପାଇଁ ତାଙ୍କ ପିତା ମହାଦେବ ମଧ୍ୟ ଘଣ୍ଟାଏ ଦୋକାନ କାମରୁ ନିବୃତ୍ତ ରହି ପୁଅର ଖୁସିରେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ତାଙ୍କ ଭଉଣୀ କାଜଲ ସର୍ଗର ସ୍ବର୍ଣ୍ଣ ଜିତିଥିବା ବେଳେ ଏବେ ଉଭୟ ପଦକ ଦୋକାନରେ ଝୁଲିବ ବୋଲି ମହାଦେବ ପ୍ରକାଶ କରିଛନ୍ତି। ଅନେକ ଘାତ ପ୍ରତିଘାତ ସତ୍ତ୍ବେ ମହାଦେବ ତାଙ୍କ ପିଲାଙ୍କୁ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇ ଆସୁଥିଲେ। ଏବେ ତାହାର ସୁଫଳ ମିଳିଛି। ଆଜିର ପଦକ ସହିତ ସଙ୍କେତ ନିଜର ଓ ମୋର ପରିଚୟକୁ ବଦଳାଇ ଦେଇଛି ବୋଲି ମହାଦେବ ପ୍ରକାଶ କରିଥିଲେ।

ଏକ ଅପୂର୍ବ ସଂଯୋଗ ମଧ୍ୟ ଘଟିଛି ସଙ୍କେତଙ୍କ କ୍ଷେତ୍ରରେ। ୨୦୧୮ ମସିହା ଗୋଲ୍ଡକୋଷ୍ଟ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ଗୁରୁରାଜ ପୂଜାରୀ। ଏହାର ସିଧା ପ୍ରସାରଣ ଦେଖିଥିଲେ ସଙ୍କେତ। ଦିନେ ମୁଁ ବି ଏଭଳି ପଦକ ଜିତିବି ବୋଲି କହିଥିଲେ। ୪ ବର୍ଷ ପରେ ଏହାକୁ ବାସ୍ତବତାରେ ପରିଣତ କରିଛନ୍ତି। ୨୦୧୭ରେ ମହାରାଷ୍ଟ୍ର କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଏହି ଯୁବ ତାରକା ଖେଳ ଜୀବନ ଆରମ୍ଭ କରିଥିଲେ। ସେହ‌ିବର୍ଷଠାରୁ ମୟୂର ସିଂହାସନଙ୍କଠାରୁ ପ୍ରଶିକ୍ଷଣ ନେଇ ନିଜକୁ ଶାଣୀତ କରିଥିଲେ। ଦଶମ ଶ୍ରେଣୀ ପରୀକ୍ଷା ସମୟକୁ ଛାଡ଼ିଦେଲେ ସଙ୍କେତ ସବୁବେଳେ ତାଳିମ ସ୍ଥଳରେ ପ୍ରଥମେ ପହଞ୍ଚୁଥିଲେ। ଭୋର ୬ଟାରୁ ଉଠି ପ୍ରଥମେ ପିତାମାତାଙ୍କୁ ଦୋକାନ ପ୍ରସ୍ତୁତି କାମରେ ସହାୟତା କରୁଥିଲେ। ଏହା ପରେ ତାଲିମ ଓ କଲେଜ ଯାଉଥିଲେ। ୨୦୨୦ରେ ସଙ୍କେତ ଖେଲୋ ଇଣ୍ଡିଆ ଯୁବ ‌କ୍ରୀଡ଼ା ଏବଂ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଆତ୍ମବିଶ୍ବାସ ଜୁଟାଇଥିଲେ। ‌ସେହିବର୍ଷ କୋଲାକାତା ଜାତୀୟ ପ୍ରତିଯୋଗିତାର ୫୫ କିଲୋଗ୍ରାମ ଓଜନ ବର୍ଗରେ ମୋଟ ୨୪୩ କିଲୋଗ୍ରାମ ଉତ୍ତୋଳନ କରି ଜାତୀୟ ବରିଷ୍ଠ ବର୍ଗରେ ବିଜେତା ହୋଇଥିଲେ। ‌କୋଭିଡ୍‌ ସମୟରେ ପିତାମାତାଙ୍କ ବେପାର ବିଗିଡିବା ଓ ପିଠିରେ ଆଘାତ ସମସ୍ୟା କାରଣରୁ ମନସ୍ତାପ ଭିତରେ ଥିବାବେଳେ ପିତା ମୋତେ ମୋ ସଫଳତାର ଖବରକାଗଜ କଟିଂ ଦେଖାଇ ପ୍ରବର୍ତ୍ତାଉଥିଲେ।

ଗତବର୍ଷ ଜାତୀୟ ଶିବିରରେ ସାମିଲ ହେବା ଏବଂ ତାସକେଣ୍ଟ୍‌ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ସ୍ନାଚ କୀର୍ତ୍ତିମାନ (୧୧୩ କିଲୋଗ୍ରାମ) କରିବା ପରେ ସେ ଆଉ ପଛକୁ ଫେରିନଥିଲେ। ଟପ୍ସରେ ସାମିଲ ଏବଂ ଜାତୀୟ ଶିବିର ମୁଖ୍ୟ ପ୍ରଶିକ୍ଷକ ବିଜୟ ଶର୍ମାଙ୍କ ମାର୍ଗଦର୍ଶନ ଏବେ ସଙ୍କେତଙ୍କୁ ଜଣେ ସମ୍ପୂର୍ଣ୍ଣ ଭାରୋତ୍ତୋଳକ ଭାବେ ଉଭା କରାଇଛି। ଜାତୀୟ ଶିବିରରେ ମଧ୍ୟ ଅଲିମ୍ପିକ୍ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁଙ୍କ ମାର୍ଗଦର୍ଶନ ସଙ୍କେତଙ୍କୁ ଏବେ ଅଲିମ୍ପିକ୍ସ ପଦକ ଜିତିବାକୁ ସଙ୍କଳ୍ପବଦ୍ଧ କରାଯାଇଛି। ବର୍ମିଂହାମ ପଦକ ପରେ ଦେଶ ପାଇଁ ଦିନେ ଅଲିମ୍ପିକ୍ ପଦକ ଜିତିବି ବୋଲି ମଧ୍ୟ ସଙ୍କେତ ସଙ୍କଳ୍ପର ସହ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe