ବଂଧୁକଚାଳନାରୁ ତୃତୀୟ ସ୍ବର୍ଣ୍ଣ: ଏଥର ମନୀଷ

Advertisment
ବଂଧୁକଚାଳନାରୁ ତୃତୀୟ ସ୍ବର୍ଣ୍ଣ: ଏଥର ମନୀଷ

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ବଂଧୁକଚାଳନାରୁ ତୃତୀୟ ସ୍ବର୍ଣ୍ଣ ପଦକ ମିଳିଛି ମନୀଷ ନରୱାଲଙ୍କ ଜରିଆରେ। ପି-୪ ମିଶ୍ରିତ ୫୦ ମିଟର୍‌ ପିସ୍ତଲ୍ ଏସ୍ଏଚ୍‌-୧ ଇଭେଣ୍ଟ୍‌ରେ ୧୯ ବର୍ଷୀୟ ମନୀଷ ୨୧୮.୨ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଅନ୍ୟତମ ଭାରତୀୟ ସିଂହରାଜ ଆଦାନା ୨୧୬.୭ ପଏଣ୍ଟ ସ୍କୋର୍‌ ସହିତ ରୌପ୍ୟ ପଦକ ଜିତିଛନ୍ତି। ୩୯ ବର୍ଷୀୟ ସିଂହରାଜ ପୂର୍ବରୁ ପି-୧ ପୁରୁଷ ୧୦ ମିଟର୍‌ ଏୟାର ପିସ୍ତଲ୍ ଏସ୍‌ଏଚ୍‌ ୧ରେ କାଂସ୍ୟ ପଦକ ଜିତିଥିବାରୁ ବ୍ୟକ୍ତିଗତ ଭାବେ ଦ୍ବିତୀୟ ପଦକ ମଧ୍ୟ ହାସଲ କରିଛନ୍ତି। ରୁଷୀୟ ଅଲିମ୍ପିକ କମିଟିର ସର୍ଜେ ମାଲିସେଭ୍‌ ୧୯୬.୮ ପଏଣ୍ଟ ସହ କାଂସ୍ୟ ପଦକ ଜିତି ନେଇଥିଲେ। ଶନିବାର ପୂର୍ବରୁ ସିଂହରାଜ ଆଦାନା ଆସାକା ସୁଟିଂ ରେଞ୍ଜ୍‌ରେ ୫୩୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହି ଇଭେଣ୍ଟରେ ଥିବା ଅନ୍ୟତମ ଭାରତୀୟ ଆକାଶ ୨୭ତମ ସ୍ଥାନରେ ରହି ଆଗକୁ ବଢ଼ି ପାରିନଥିଲେ।

ସ୍ବର୍ଣ୍ଣ ପଦକ ବିଜୟ ପରେ ମନୀଷ ନରୱାଲ ସଫଳତାର ଶ୍ରେୟ ନିଜ ପରିବାର, ପ୍ରଶିକ୍ଷକ ଓ ପ୍ରତିଟି ଭାରତୀୟଙ୍କ ସମର୍ଥନକୁ ପ୍ରଦାନ କରିଛନ୍ତି। ମନୀଷଙ୍କ ୨୧୮.୨ ପଏଣ୍ଟ୍‌ ମଧ୍ୟ ଏକ ପାରାଅଲିମ୍ପିକ୍‌ ରେକର୍ଡ ପ୍ରତିଷ୍ଠା କରିଥିଲା। ମନୀଷ-ସିଂହରାଜଙ୍କ ୧-୨ ପ୍ରଦର୍ଶନ ଲାଗି ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଯୁବ ମନୀଷ ସ୍ବର୍ଣ୍ଣ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି ଏବଂ ତ୍ରିରଙ୍ଗାକୁ ଉଚ୍ଚାରେ ଉଡ଼ାଇଛନ୍ତି। ଯୁବ ବୟସରେ ତ‌ୁମେ ପ୍ରତିଭା ଓ ତ୍ୟାଗ ଦେଖାଇ ଦେଇଛ ବୋଲି ରାଷ୍ଟ୍ରପତି ତାଙ୍କ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ଭାରତୀୟ କ୍ରୀଡ଼ା ପାଇଁ ମନୀଷଙ୍କ ସ୍ବର୍ଣ୍ଣ ଏକ ସ୍ବତନ୍ତ୍ର ମୁହୂର୍ତ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସେହବାଗ, ବିସିସିଆଇ ସମ୍ପାଦକ ଜୟ ସାହା ମଧ୍ୟ ଭାରତର ସଫଳତା ଲାଗି ପାରା ଅଲିମ୍ପିକ୍‌ ବଂଧୁକଚାଳନା ଓ ବ୍ୟାଡମିଣ୍ଟନ୍‌ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe