Image Courtesy of Hindustan Times
ଚଣ୍ଡିଗଡ଼: ପଞ୍ଜାବରେ ସଂପ୍ରତି କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ନେଇଛି। ଏହି ରାଜ୍ୟର କୃଷକମାନେ ଦିଲ୍ଲୀରେ ବିକ୍ଷୋଭ ଶୋଭାଯାତ୍ରା ଜାରି ରଖିଛନ୍ତି। ତେବେ ସେମାନଙ୍କ ବିରୋଧରେ ଯେଭଳି ପୁଲିସ ବଳ ପ୍ରୟୋଗ କରୁଛି ତା’ର ବିରୋଧରେ କୃଷକଙ୍କୁ ସମର୍ଥନ ଜଣାଇଛନ୍ତି ରାଜ୍ୟର ପ୍ରାୟ ୩୦ ପୂର୍ବତନ କ୍ରୀଡ଼ାବିତ୍। ଏହି କ୍ରୀଡ଼ାବିତ୍ମାନେ ସେମାନଙ୍କ ପଦକ ଫେରାଇଦେବାକୁ ଚେତାବନୀ ଦେଇଛନ୍ତି। ପଦକ ଫେରାଇବାର ଚେତାବନୀ ଶୁଣାଇଥିବା କ୍ରୀଡ଼ାବିତ୍ଙ୍କ ମଧ୍ୟରେ ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାରପ୍ରାପ୍ତ କ୍ରୀଡ଼ାବିତ୍ ରହିଛନ୍ତି। ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାରପ୍ରାପ୍ତ କୁସ୍ତିବିତ୍ କର୍ତାର ସିଂହ, ଅର୍ଜୁନ ପୁରସ୍କାରପ୍ରାପ୍ତ ବାସ୍କେଟ୍ବଲ୍ ଖେଳାଳି ସାଜନ୍ ସିଂହ ଚିମା ଏବଂ ଅର୍ଜୁନ ପୁରସ୍କାରପ୍ରାପ୍ତ ହକି ତାରକା ରାଜ୍ବୀର କୌର ପ୍ରମୁଖ ରହିଛନ୍ତି।
ଏହି କ୍ରୀଡ଼ାବିତ୍ମାନେ କହିଛନ୍ତି ଯେ ସେମାନେ ଆସନ୍ତା ୫ ତାରିଖରେ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଭବନ ବାହାରେ ସେମାନଙ୍କ ପଦକ ଫେରାଇଦେବେ। କୃଷକଙ୍କ ସମସ୍ୟା ସମାଧାନ କରିବା ପରିବର୍ତେ ବିକ୍ଷୋଭକାରୀମାନଙ୍କ ଉପରକୁ ଉପରକୁ ପାଣି ମାଡ଼ ଏବଂ ଲୁହାବୁହା ବାସ୍ପ ପ୍ରୟୋଗ କରିବା ଏବଂ ଦିଲ୍ଲୀକୁ ପ୍ରବେଶରୁ ରୋକିବାକୁ ନେଇ କ୍ରୀଡ଼ାବିତ୍ମାନେ ଉଭୟ କେନ୍ଦ୍ର ଓ ହରିଆଣା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପଦକ ବିଜେତା କ୍ରୀଡ଼ାବିତ୍ମାନଙ୍କ କହିବା କଥା ହେଲା, ଆମେ ବିକ୍ଷୋଭ କରୁଥିବା ସେହି କୃଷକମାନଙ୍କ ପିଲା। କୃଷକମାନେ ସେମାନଙ୍କ ହକ୍ ପାଇଁ ଗତ କିଛି ମାସ ଧରି ଶାନ୍ତିଶୃଙ୍ଖଳାରେ ବିକ୍ଷୋଭ ଚଳାଇଛନ୍ତି। କୌଣସିମତେ ସେମାନେ ହିଂସା ଭିଆଇନାହାନ୍ତି। ଏହାସତ୍ତ୍ବେ ସେମାନଙ୍କ ଉପରେ ଯେପରି ବଳପ୍ରୟୋଗ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କ୍ରୀଡ଼ାବିତ୍ମାନେ କହିଛନ୍ତି। ଅନ୍ୟପକ୍ଷରେ ଆମେ ହରିଆଣାରେ ପୂର୍ବତନ କ୍ରୀଡ଼ାବିତ୍ଙ୍କ ସହ ଯୋଗଯୋଗ କରି ସେମାନଙ୍କୁ କୃଷକଙ୍କ ବିକ୍ଷୋଭ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇବା ପାଇଁ ପ୍ରୟାସ କରିବୁ ବୋଲି କହିଛନ୍ତି କର୍ତାର ସିଂହ।
Follow Us