ପୁଣି ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ହରାଇଲା ବିରାଟ ବାହିନୀ, ଶୃଙ୍ଖଳାରେ ଭାରତ ୪-୦ରେ ଆଗୁଆ

Advertisment
ପୁଣି ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ହରାଇଲା ବିରାଟ ବାହିନୀ, ଶୃଙ୍ଖଳାରେ ଭାରତ ୪-୦ରେ ଆଗୁଆ

Photo: Hindustan Times

ୱେଲିଂଟନ୍: ଭାରତ-ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମ୍ୟାଚ ପୂର୍ବ ମ୍ୟାଚ ଭଳି ରୋମାଞ୍ଚକ ହୋଇଛି। ହାମିଲଟନରେ ବୁଧବାର ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ ଭଳି ଆଜି ମଧ୍ୟ ସୁପର ଓଭରରେ ହାରଜିତ ଫଇସଲା ହୋଇଛି। ଭାରତ ପୁଣି ଥରେ ନ୍ୟୁଜିଲାଣ୍ଡକୁ ହରାଇଛି। ଫଳରେ ବିରାଟ ବାହିନୀ ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ‌୪-୦ରେ ପୋଛି ନେଇଛି।

ଆଜି ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।  ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍‌ କରିଥିଲା । ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ (ଅପରାଜିତ ୫୦ରନ୍‌, ୩୬ ବଲ, ୩ ଚୌକା) ବଳରେ ଭାରତ ୮ଟି ଓ୍ଵିକେଟ୍‌ ହରାଇ  ନ୍ୟୁଜିଲାଣ୍ଡକୁ ୧୬୬ ରନ୍‌  ବିଜୟ ଲକ୍ଷ୍ୟ ଦେଇଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଫଳରେ ମ୍ୟାଚ୍‌ ଟାଇରେ ଶେଷ ହେବା ପରେ ସୁପର ଓଭର ଖେଳାଯାଇଥିଲା।

ସୁପର ଓଭରରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୩ ରନ୍‌ ଯୋଡ଼ିଥିବା ବେଳେ ଜବାବରେ ଭାରତ ୫ଟି ବଲ ଖେଳି ୧୬ ରନ୍‌ ସଂଗ୍ରହ କରିଥିଲା। ପ୍ରଥମେ କେ.ଏଲ୍.ରହୁଲ ଦୁଇଟି ବଲ୍ ଖେଳି ଗୋଟିଏ ଲେଖାଏଁ ଛକା ଓ ଚୌକା ମାରି ୧୦ ରନ ସଂଗ୍ରହ କରିଥିଲେ। ଏହାପରେ ସେ ଆଉଟ୍ ହେବା ପରେ କ୍ୟାପଟେନ୍ କୋହଲି ୨ ରନ୍ ଓ ବିଜୟସୂଚକ ଚୌକା ମାରି ଦଳକୁ ଜିତାଇ ଥିଲେ।

publive-image Photo: Hindustan Times

ନ୍ୟୁଜିଲାଣ୍ଡର ବ୍ୟାଟସ୍‌ମ୍ୟାନ୍‌ମାନେ ଚତୁର୍ଥ ଟି-୨୦କୁ ଜିତିବା ପାଇଁ ବହୁ ସଂଘର୍ଷ କରିଥିଲେ। ଦଳର ଓପନର ବ୍ୟାଟସ୍‌ମ୍ୟାନ୍‌ କୋଲିନ ମୁନରୋ (୬୪ ରନ୍‌) ଓ ଟିମ୍‌ ସିଫର୍ଟ (୫୭ ରନ୍‌) ଅର୍ଦ୍ଧଶତକ ମାରିଥିଲେ ବି ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ମାନେ ଭାରତୀୟ ବୋଲରଙ୍କ ଆଗରେ ଏକପ୍ରକାର ଆତ୍ମସମର୍ପଣ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ଦଳ ଏହି ଶୃଙ୍ଖଳାରେ ଆତ୍ମ ସମ୍ମାନ ରଖି ଗୋଟିଏ ମ୍ୟାଚ ଜିତିବାକୁ ଚାହିଁଥିଲେ ବି ଏହା ହୋଇ ପାରି ନ ଥିଲା।

ଭାରତୀୟ ଇନିଂସରେ ମନୀଷ ପାଣ୍ଡେଙ୍କ ବ୍ୟତୀତ ଲୋକେଶ ରାହୁଲ ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ୩୯ ରନ୍‌ ଯୋଡ଼ିଥିଲେ। ସେ ୨୬ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଶାର୍ଦ୍ଦୁଲ ଠାକୁର ୨୦ ରନ୍‌ ଯୋଡ଼ିଥିବା ବେଳେ ଶିବମ ଦୁବେ ୧୨ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ବିରାଟ କୋହଲି ଓ ନଭଦୀପ ସଇନି ଦଳ ପାଇଁ ୧୧-୧୧ ରନ୍‌  ଯୋଡ଼ିଥିଲେ।

ହାମିଲଟନରେ ବୁଧବାର ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ତୃତୀୟ ଟ୍ବେଣ୍ଟି-୨୦ରେ ପ୍ରଥମେ ମହମ୍ମଦ ସାମି ଏବଂ ପରେ ରୋହିତ ଶର୍ମା ହତଭାଗ୍ୟ ନ୍ୟୁଜିଲାଣ୍ଡ ହାତ ମୁଠାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ନ୍ୟୁଜିଲାଣ୍ଡ ଗତ ୭ ମାସ ମଧ୍ୟରେ ତୃତୀୟ ଥର ପାଇଁ କୌଣସି ମ୍ୟାଚ୍ ସୁପରଓଭରରେ ମ୍ୟାଚ୍ ହାରିଥିଲା। ଯାହା ଏହି ଦଳର ମନୋବଳକୁ ଏକରକମ ଦୋହଲାଇ ଦେଇଥିଲା। ଅନ୍ୟପକ୍ଷରେ ହାମିଲଟନର ଅବିଶ୍ବସନୀୟ ବିଜୟ ସହ ଭାରତୀୟ ଦଳର ଆତ୍ମବିଶ୍ବାସ ପୂର୍ବାପେକ୍ଷା ଢେର ବଢ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe