ଜାଦେଜା ଦଶନ୍ଧିର ଶ୍ରେଷ୍ଠ କ୍ଷେତ୍ରରକ୍ଷକ: ଶ୍ରୀଧର

ଶାହ ବର୍ତମାନ, ପନ୍ତ ଭବିଷ୍ୟତ

ଜାଦେଜା ଦଶନ୍ଧିର ଶ୍ରେଷ୍ଠ କ୍ଷେତ୍ରରକ୍ଷକ: ଶ୍ରୀଧର

ଚେନ୍ନାଇ: ଭାରତୀୟ କ୍ରିକେଟ୍ ଦଳର କ୍ଷେତ୍ରରକ୍ଷଣ ସ୍ତର ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତୀୟ ଖେଳାଳିମାନେ ମଧ୍ୟ ଆଗ ଅପେକ୍ଷା ଅଧିକ ସୁସ୍ଥ ଏବଂ ସତେଜ ରହୁଛନ୍ତି। ଯାହା ଦଳର ୪୯ ବର୍ଷୀୟ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର ଶ୍ରୀଧରଙ୍କୁ ଉଲ୍ଲସିତ କରିଛି। ବିଶେଷ କରି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ କ୍ଷେତ୍ରରକ୍ଷଣ ଦକ୍ଷତାକୁ ନେଇ ଶ୍ରୀଧର ବେଶ୍ ଖୁସି ଅଛନ୍ତି। ଜାଦେଜାଙ୍କୁ ସେ ଚଳିତ ଦଶନ୍ଧିର ଶ୍ରେଷ୍ଠ ଭାରତୀୟ କ୍ଷେତ୍ରରକ୍ଷକ ଭାବେ ବର୍ଣ୍ଣନା କରିଛନ୍ତି। ଜାଦେଜା ସର୍ବଶ୍ରେଷ୍ଠ ଭାରତୀୟ କ୍ଷେତ୍ରରକ୍ଷକ କି? ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ଶ୍ରୀଧର କହିଛନ୍ତି ମୁଁ ଏତେ ଦୂରକୁ ଯିବାକୁ ଚାହଁନି, ହେଲେ ଗତ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତ ପାଇଁ ଖେଳିଥିବା ସମସ୍ତ ଖେଳାଳିଙ୍କ ମଧ୍ୟରେ ଜାଦେଜା ଶ୍ରେଷ୍ଠ କ୍ଷେତ୍ରରକ୍ଷକ। ଏଥିରେ ସନ୍ଦେହ ନାହିଁ। ସେ ପଡ଼ିଆ ଭିତରେ ଥିଲା ବେଳେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ ସବୁବେଳେ ଚାପରେ ରହି ଥାଆନ୍ତି। ଭାରତୀୟ ଦଳର କ୍ଷେତ୍ରରକ୍ଷଣ ଦକ୍ଷତାକୁ ନେଇ ପୂର୍ବରୁ ସାଧାରଣରେ ଥିବା ଭାବନା ବଦଳିଛି ବୋଲି ଶ୍ରୀଧର ସୋମବାରର ଏକ ସାକ୍ଷାତକାର ଅବସରରେ ଜୋର ଦେଇ କହିଛନ୍ତି। ସେହିଭଳି କ୍ଷେତ୍ରରକ୍ଷଣକୁ ଭାରତୀୟ ଖେଳାଳି ଆଗ ଅପେକ୍ଷା ଅଧିକ ଗୁରୁତ୍ବ ଦେଉଛନ୍ତି। ସେମାନେ ପୂର୍ବାପେକ୍ଷ ଅଧିକ ସୁସ୍ଥ ବୋଲି ଶ୍ରୀଧର ମତ ରଖିଛନ୍ତି। ବ୍ୟାଟିଂ ଓ ବୋଲିଂ ଭଳି କ୍ଷେତ୍ରରକ୍ଷଣରେ ମଧ୍ୟ ମାନ୍ୟତା ବ୍ୟବସ୍ଥା ଆରମ୍ଭ କରିବାକୁ ଆଇସିସିକୁ ସେ ଆହ୍ବାନ କରିଛନ୍ତି। କ୍ଷେତ୍ରରକ୍ଷଣ ପରିସଂଖ୍ୟାନ କେବଳ କ୍ୟାଚିଂରେ ସୀମିତ ନ ରଖି ଜଣେ ଖେଳାଳି କେତେ ବଲ୍ ‌ରୋକିଛନ୍ତି, କେତେ ସିଧା ଥ୍ରୋ ମାରିଛନ୍ତି ଆଦି କ୍ଷେତ୍ରକୁ ମଧ୍ୟ ସଂପ୍ରସାରିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଶାହ ବର୍ତମାନ, ପନ୍ତ ଭବିଷ୍ୟତ
ରିଦ୍ଧିମାନ ଶାହ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଚମତ୍କାର ୱିକେଟ୍ ରକ୍ଷଣ କରିବା ଶ୍ରୀଧରଙ୍କୁ ବି ଉଲ୍ଲସିତ କରିଛି। ଦୀର୍ଘ ବ୍ୟବଧାନ ପରେ ଦଳକୁ ଫେରି ଶାହ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବାରୁ ଶ୍ରୀଧର ତାଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ଶାହ ଏବଂ ଋଷବ ପନ୍ତଙ୍କ ମଧ୍ୟରେ ହେଉଥିବା ତୁଳନାକୁ ନେଇ ମତ ରଖିବାକୁ ଯାଇ ସେ କହିଛନ୍ତି ଯେ ଶାହଙ୍କୁ ନେଇ ଆମ ମନରେ କୌଣସି ଦ୍ବନ୍ଦ୍ବ ନଥିଲା। ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିଲେ। ସେ ମଧ୍ୟ ଭାରତ ଏ’ ପକ୍ଷରୁ କେତେକ ମ୍ୟାଚ୍ ଖେଳିଥିଲେ। ଆମେ ଭାରତରେ ଖେଳୁଥିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶକୁ ଫେରାଇ ଆଣିଥିଲୁ। ସେ ଆମର ଶ୍ରେଷ୍ଠ ୱିକେଟ୍ ରକ୍ଷକ। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଆମେ ସମସ୍ତେ ତାଙ୍କ ୱିକେଟ୍ ରକ୍ଷଣ ଦକ୍ଷତା ଦେଖି ସାରିଛେ। ପନ୍ତଙ୍କ ସହ ଶାହଙ୍କର କୌଣସି ତୁଳନା କରାଯିବା ଅନୁଚିତ। ଜଣେ ଉଦୀୟମାନ ତାରକା ଏବଂ ଆଉ ଜଣେ ଅଭିଜ୍ଞ। ଋଷବ ଆମ ଭବିଷ୍ୟତ, ଶାହ ବର୍ତମାନ। ଉଭୟ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe