ଏ ବର୍ଷ କେବଳ ରଣଜୀ ଓ ମୁସ୍ତାକ୍ ଅଲୀ ଟ୍ରଫି

ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

ମୁମ୍ବାଇ: କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ଦେଶର ବରିଷ୍ଠ ବର୍ଗର ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ବିଶେଷ ଭାବେ ପ୍ରଭାବିତ ହେବା ନିଶ୍ଚିତ ହୋଇଛି। ଆଇପିଏଲ୍‌କୁ ବିଳମ୍ବରେ ଆୟୋଜନ ସହିତ ୟୁଏଇ ସ୍ଥାନାନ୍ତର କରାଯାଇଥିବାରୁ ଚଳିତ ବ‌ର୍ଷ କେବଳ ରଣଜୀ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳାଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବିସିସିଆଇ ଏ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନଥିଲେ ମଧ୍ୟ ଚଳିତ ଋତୁ ପାଇଁ ପ୍ରସ୍ତୁତ ଏକ ପ୍ରାରମ୍ଭିକ ଖେଳସୂଚୀରୁ ଏହା ଜଣାପଡ଼ିଛି। ତେବେ ସଙ୍ଗରୋଧ ନିୟମ କାରଣରୁ ଆଇପିଏଲ୍‌ ଖେଳାଳିମାନେ ମୁସ୍ତାକ ଅଲୀ ଟ୍ରଫିର ପ୍ରଥମ ଭାଗରୁ ବଞ୍ଚିତ ହେବା ଆଶଙ୍କା ରହିଛି।

ସାଧାରଣତଃ ଭାରତରେ ଘରୋଇ କ୍ରିକେଟ୍‌ ଋତୁ ସେପ୍ଟେମ୍ବରରୁ ଆରମ୍ଭ ହୋଇଥାଏ। ଏବେ ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବାରୁ ବିସିସିଆଇ ଦଲିପ ଟ୍ରଫି,‌ ଦେଓଧର ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିକୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଛି। ଏଥି ସହିତ ଆଇପିଏଲ୍‌ ପରେ ନଭେମ୍ବର ୧୯ରୁ ଡିସେମ୍ବର ୭ ତାରିଖ ମଧ୍ୟରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ଡିସେମ୍ବର ୧୩ରୁ ମାର୍ଚ ୧୦ ତାରିଖ ମଧ୍ୟରେ ରଣଜୀ ଟ୍ରଫିକୁ କରାଇବାକୁ ଆପାତତଃ ତାରିଖ ଧାର୍ଯ୍ୟ ହୋଇଛି। ଫଳରେ ରଣଜୀ ଟ୍ରଫି ବ‌ିଜେତା ସୌରାଷ୍ଟ୍ର ଏ ବର୍ଷ ଅବଶିଷ୍ଟ ଭାରତ ବିପକ୍ଷ ଇରାନୀ ଟ୍ରଫି ଖେଳିବାରୁ ବଞ୍ଚିତ ହେବ। ଆଇପିଏଲ୍‌ର ପରବର୍ତୀ ସଂସ୍କରଣ (୨୦୨୧) ପାଇଁ ଫ୍ରାଞ୍ଚାଇଜଗୁଡିକ ଡିସେମ୍ବର କିମ୍ବା ଜାନୁଆରିରେ ଖେଳାଳିଙ୍କ ନିଲାମ କରିବାକୁ ଯିବା ପୂର୍ବରୁ ଘରୋଇ ପ୍ରତିଭା ଚିହ୍ନଟର ସୁଯୋଗ ପାଇବେ।

ସବୁଠାରୁ ଖୁସିର କଥା ହେଲା କନିଷ୍ଠ ବର୍ଗର କ୍ରିକେଟ୍‌କୁ ପରିବର୍ତିତ ଢାଞ୍ଚାରେ ଖେଳାଯିବ। ଭ୍ରମଣକୁ ଏଡ଼ାଇବା ଲାଗି ନକ୍ ଆଉଟ୍ ମ୍ୟାଚ୍‌ ପୂର୍ବରୁ ଜୋନାଲ୍ ସ୍ତରରେ ସମସ୍ତ କନିଷ୍ଠ ବର୍ଗର ପ୍ରତିଯୋଗିତା ଖେଳାଯିବ। ଏହା ମଧ୍ୟରେ ସିକେ ନାଇଡୁ ଟ୍ରଫି ୨୩ ବ‌ର୍ଷରୁ କମ୍‌ (ଡିସେମ୍ବର ୧୫ରୁ ମାର୍ଚ ୯, ୨୦୨୧), କୁଚ୍‌ ବେହାର ଟ୍ରଫି (ନଭେମ୍ବର ୧ରୁ ଜାନୁଆରି ୨୨), ବିଜୟ ମର୍ଚାଣ୍ଟ ଟ୍ରଫି (ନଭେମ୍ବର ୧ରୁ ଜାନୁଆରି ୭) ଖେଳାଯିବ ବୋଲି ସ୍ଥିର କରାଯାଇଛି।

ମହିଳା ବର୍ଗରେ ବିସିସିଆଇ ଏଥର ଇଂଲଣ୍ଡକୁ ଭାରତୀୟ ଦଳ ପଠାଇବାକୁ ନଥିବାରୁ ଖେଳାଳିମାନେ ପୂର୍ଣ୍ଣକାଳୀନ ଋତୁ ଖେଳିବାର ସୁଯୋଗ ପାଇବେ। ଦିନିକିଆ ଲିଗ୍ (ମାର୍ଚ ୧୭ରୁ ଏପ୍ରିଲ୍‌ ୧୨), ଟି-୨୦ ଲିଗ୍‌ (ନଭେମ୍ବର ୧ରୁ ୨୦), ୨୩ ବର୍ଷରୁ କମ୍‌ ଦିନିକିଆ ଲିଗ୍ (ନ‌ଭେମ୍ବର ୩୦ରୁ ଡିସେମ୍ବର ୨୩), ୨୩ ବର୍ଷରୁ କମ୍‌ ଟି-୨୦ ଲିଗ୍‌ (ଜାନୁଆରି ୨୭ରୁ ଫେବ୍ରୁଆରି ୧୫), ୧୯ ବର୍ଷରୁ କମ୍‌ ଦିନିକିଆ (ଡିସେମ୍ବର ୨୯ରୁ ଜାନୁଆରି ୨୧), ୧୯ ବର୍ଷରୁ କମ୍‌ ଟି-୨୦ ଟ୍ରଫି (ଫେବ୍ରୁଆର‌ି ୨୧ରୁ ମାର୍ଚ ୧୧) ଖେଳାଯିବ।

ଚଳିତ ବ‌ର୍ଷ କିନ୍ତୁ ରଣଜୀ ଟ୍ରଫି ପ୍ରତି ଗ୍ରୁପ୍‌ ମ୍ୟାଚ୍‌ଗୁଡିକ ଦୁଇଟି ସହରର ୪ଟି ପଡିଆରେ ଖେଳାଯିବ। ଜୋନାଲ୍ ବ୍ୟବସ୍ଥାକୁ ନ ଫେରି ଭ୍ରମଣକୁ ସୀମିତ କରିବା ଲକ୍ଷ୍ୟରେ ମୋଟ ୧୩୬ ମ୍ୟାଚ୍‌ ଖେଳାଯିବ, ଯାହାକି ଗତବର୍ଷଠାରୁ ୩୩ଟି ମ୍ୟାଚ୍‌ କମ୍‌। ମୋଟ ୫ଟି ଗ୍ରୁପ୍‌ ରଖାଯାଇଛି। ମୁସ୍ତାକ ଅଲୀ ଟ୍ରଫି ଲାଗି ୬ଟି ଗ୍ରୁପ୍‌ରେ ୩୮ ଦଳ ରହିଛନ୍ତି। ପ୍ରତି ଗ୍ରୁପ୍‌ ଦଳ ଗୋଟିଏ ସହରର ଦୁଇଟି ପଡିଆରେ ଖେଳିବେ। ୪୦ ମ୍ୟାଚ୍‌ କମ୍‌ ସହିତ ଏଥର ମ୍ୟାଚ୍‌ ସଂଖ୍ୟା ୧୦୯ରେ ସୀମିତ ରହିବ। ସବୁଗୁଡିକ କିନ୍ତୁ ଦେଶରେ କୋଭିଡ-୧୯ ପରିସ୍ଥିତି ଉପରେ ନିର୍ଭର କରିବ। ନତୁବା ଏଥିରେ ବିସିସିଆଇ ପୁଣି କାଣ୍ଟଛାଣ୍ଟ ଆଣିବା ଆଶଙ୍କା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe