ପୁଲ୍‌ ରାଙ୍କିଙ୍ଗ୍‌ ବାଛିବାକୁ ଟାଇ ବ୍ରେକର ନିୟମ

Advertisment
ପୁଲ୍‌ ରାଙ୍କିଙ୍ଗ୍‌ ବାଛିବାକୁ ଟାଇ ବ୍ରେକର ନିୟମ

ନୂଆଦିଲ୍ଲୀ : ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହକି ବିଶ୍ବକପ୍‌ ପାଇଁ ୧୬ ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। ସମସ୍ତ ଦଳଙ୍କୁ ନେଇ ୪ଟି ପୁଲ୍‌ କରାଯାଇଛି। ପ୍ରତି ପୁଲ୍‌ର ବିଜେତା ସିଧାସଳଖ କ୍ବାର୍ଟରଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ତେବେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳମାନଙ୍କୁ ନେଇ କ୍ରସ୍‌ଓଭର ମ୍ୟାଚ୍‌ ଖେଳାଯିବ। ଏମାନଙ୍କ ଭିତରୁ ଆଉ ୪ ଦଳ କ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ହେବେ। ଯଦି ପୁଲ୍‌ ପର୍ଯ୍ୟାୟରେ ଏକାଧିକ ମ୍ୟାଚ୍‌ ପରେ ବି ଦୁଇ ଦଳ ସମାନ ପଏଣ୍ଟରେ ରୁଅନ୍ତି, ସେ କ୍ଷେତ୍ରରେ ଟାଏ ଭାଙ୍ଗିବାକୁ ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌) କିଛି ନିୟମ ନିର୍ଧାରଣ କରିଛି।

ନିୟମାବଳୀର ଆପେଣ୍ଡିକ୍ସ ୨ର ନିୟମ ୨.୨ ଅନୁଯାୟୀ, ଯଦି ଏକାଧିକ ଦଳ ପୁଲ୍‌ ପର୍ଯ୍ୟାୟ ପରେ ସମାନ ପଏଣ୍ଟରେ ରୁହନ୍ତି, ସେଠାରେ ଯେଉଁ ଦଳ ଅଧିକ ମ୍ୟାଚ୍‌ ଜିତିଥିବ ସେ ଉପରକୁ ଉଠିବ। ଏହାସତ୍ତ୍ବେ ଯଦି ଦଳମାନେ ସମାନ ସ୍ଥିତିରେ ରୁହନ୍ତି, ସେକ୍ଷେତ୍ରରେ ଗୋଲ୍‌ ବ୍ୟବଧାନକୁ ବିଚାରକୁ ନିଆଯିବ। ପୁଣି ଯଦି ଗୋଲ୍‌ ବ୍ୟବଧାନରେ ବି ସମାନ ସ୍ଥିତି ବଜାୟ ରୁହେ, ‌ତାହେଲେ ଯେଉଁ ଦଳ ଅଧିକ ଗୋଲ୍‌‌ ସ୍କୋର କରିଥିବ ସେ ଆଗରେ ରହିବ। ଏଥିରେ ବି ସମାନ ଅବସ୍ଥା ରହିଲେ, ଯେଉଁ ଦଳମାନଙ୍କ ଭିତରେ ସମାନ ସ୍ଥିତି ରହୁଛି, ସେମାନେ ପରସ୍ପର ସହିତ ଖେଳିଥିବା ମ୍ୟାଚ୍‌ର ଫଳାଫଳ ଉପରେ ରୢାଙ୍କ ନିର୍ଭର କରିବ। ଯଦି ଦୁଇରୁ ଅଧିକ ଦଳଙ୍କ ମଧ୍ୟରେ ସମାନ ପଏଣ୍ଟ ରୁହେ, ତାହେଲେ ନିଜ ନିଜ ଭିତରେ ଖେଳିଥିବା ମ୍ୟାଚ୍‌ର ଫଳାଫଳ ଉପରେ ସେମାନଙ୍କ ସ୍ଥାନ ନିର୍ଭର କରିବ। ଏହାପରେ ବି ଯଦି ସ୍ଥିତି ସମାନ ରୁହେ, ତାହେଲେ ଉପରୋକ୍ତ ନିୟମଗୁଡ଼ିକ କ୍ରମାନ୍ବୟରେ ଲାଗୁ ହେବ। ଏହାପରେ ବି ଦୁଇରୁ ଅଧିକ ଦଳଙ୍କ ଭିତରେ ସ୍ଥିତି ସମାନ ରହିଲେ ପୁଲ୍‌ ମ୍ୟାଚ୍‌ରେ ଯିଏ ଅଧିକ ଫିଲ୍ଡ ଗୋଲ୍‌ ଦେଇଥିବ ସେହି ଦଳ ଶୀର୍ଷକୁ ଯିବ। ଫିଲ୍ଡ ଗୋଲ୍‌ ସମାନ ହୋଇଗଲେ ଦଳମାନଙ୍କ ଭିତରେ ସୁଟ୍‌ଆଉଟ୍‌ ପ୍ରତିଯୋଗିତା କରାଯାଇ ରୢାଙ୍କ ନିର୍ଧାରଣ କରାଯିବ। ଦୁଇରୁ ଅଧିକ ଦଳ ଥିଲେ, ପ୍ରତ୍ୟେକ ପ୍ରତ୍ୟେକଙ୍କ ସହ ମ୍ୟାଚ୍‌ ଡ୍ର’ ଅନୁସାରେ ସୁଟ୍‌ଆଉଟ୍‌ ଖେଳିବେ। ଏଥିରେ ପ୍ରଥମେ ୫ଟି ଲେଖାଏଁ ସଟ୍‌ ଖେଳିବା ବାଧ୍ୟତାମୂଳକ ରହିବ। ସୁଟ୍‌ଆଉଟ୍‌ରେ ଯେଉଁ ଦଳ ସବୁଠୁ ଅଧିକ ଗୋଲ୍‌ ଦେବ ତାକୁ ୩ ପଏଣ୍ଟ, ସମାନ ସଂଖ୍ୟକ ଗୋଲ୍‌ ଥିଲେ ୧ ପଏଣ୍ଟ ଲେଖାଏଁ ଏବଂ ସବୁଠୁ କମ୍‌ ଗୋଲ୍‌ ଦେଇଥିବା ଦଳକୁ ୦ ପଏଣ୍ଟ ଦିଆଯିବ। ଏହାପରେ ଯଦି ସ୍ଥିତି ସମାନ ରୁହେ, ତାହେଲେ ମ୍ୟାଚ୍‌ ଜିତିବା, ଗୋଲ୍‌ ବ୍ୟବଧାନ, ଗୋଲ୍‌ ସ୍କୋର କରିବା ଓ ପରସ୍ପର ସହ ହୋଇଥିବା ସୁଟ୍‌ଆଉଟ୍‌ରେ ଯିଏ ଅଧିକ ଗୋଲ୍‌ ଦେଇଥିବ, ସେହି ନିୟମ ଏଠାରେ ମଧ୍ୟ ଲାଗୁ କରାଯିବ। ‌ଅନ୍ୟପକ୍ଷରେ ଯଦି ୩ରୁ ଅଧିକ ଦଳଙ୍କ ମଧ୍ୟରେ ପଏଣ୍ଟ ସମାନ ରୁହେ, ତାହେଲେ ରୢାଙ୍କ ନବାହାରିବା ପର୍ଯ୍ୟନ୍ତ ଉପରୋକ୍ତ ନିୟମ ଗୁଡ଼ିକ ଅନୁସାରେ ପ୍ରତିଦ୍ବନ୍ଦ୍ବିତା ଚାଲୁରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe