ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ଦଳକୁ ଡାକରା ପାଇ ତିଲକ ଗଲେ ୱେଷ୍ଟଇଣ୍ଡିଜ୍

Advertisment
ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ଦଳକୁ ଡାକରା ପାଇ ତିଲକ ଗଲେ ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ: ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ପ୍ରଥମ ଥର ପାଇଁ ଡାକରା ପାଇଥିବା ହାଇଦ୍ରାବାଦର ବ୍ୟାଟିଂ ଅଲରାଉଣ୍ଡର ତିଲକ ବର୍ମା ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛନ୍ତି। ଭାରତୀୟ ସୀମିତ ଓଭର ଦଳର ଖେଳାଳିଙ୍କ ସହ ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ଅଭିମୁଖେ ଯାତ୍ରା କରିଛନ୍ତି ସେ। ଭାରତ ଛାଡ଼ିବା ପୂର୍ବରୁ ଟ୍ବିଟର୍‌ରେ ପରିବାର ସହ ଏକାଧିକ ଫଟୋ ଛାଡ଼ି ନୂଆ ପାଳି ପାଇଁ ସମସ୍ତଙ୍କର ଆଶୀର୍ବାଦ ଭିକ୍ଷା‌ କରିଛନ୍ତି। ପ୍ରଥମ ଫଟୋରେ ତିଲକଙ୍କ ସହ ତାଙ୍କ ମା’ ଗାୟତ୍ରୀ ଦେବୀ, ପିତା ନାମ୍ବୁରି ନାଗରାଜୁ ଏବଂ ଭାଇ ତରୁଣଙ୍କ ସହ ପୋଷା କୁକୁର ଅଛି। ଫଟୋଟି ତଳେ ତିଲକ ଲେଖିଛନ୍ତି ଯେ ପରିବାରର ଆଶୀର୍ବାଦ ଓ ସାଙ୍ଗସାଥୀଙ୍କ ଶୁଭେଚ୍ଛା ତଥା ଶୁଭକାମନା ସହ ଜୀବନର ପରବର୍ତ୍ତୀ ଅଧ୍ୟାୟ ପାଇଁ ମୁଁ ପୂରା ପ୍ରସ୍ତୁତ।

ଅନ୍ୟଏକ ଫଟୋରେ ସେ ସାଙ୍ଗମାନଙ୍କ ସହ କେକ୍ କାଟି ଖୁସି ମନାଉଥିବା ଦେଖିବାକୁ ମିଳୁଛି। ସେପଟେ ମୁମ୍ବାଇ ତାରକା ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ ଓ ଉମ୍ରାନ ମଲ୍ଲିକ ପ୍ରମୁଖ ସୀମିତ ଓଭର ଶୃଙ୍ଖଳା ଲାଗି ୱେଷ୍ଟଇଣ୍ଡିଜ୍‌ରେ ପହଞ୍ଚି ସାରିଛନ୍ତି। ତିଲକଙ୍କ ଟ୍ବିଟ୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଖୁବଶୀଘ୍ର ତୁମ ସହ ଦେଖାହେବ ବୋଲି ସୂର୍ଯ୍ୟକୁମାର ଲେଖିଛନ୍ତି।

ସୂଚନା‌ଯୋଗ୍ୟ ଯେ ତିଲକ ଜଣେ ବାମହାତୀ ବ୍ୟାଟର୍‌ ହୋଇଥିଲା ବେଳେ ବାମହାତୀ ସ୍ପିନ୍ ବୋଲିଂ କରନ୍ତି। ହାଇଦ୍ରାବାଦ ପକ୍ଷରୁ ରଣଜୀ ଖେଳିଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସରୁ ଆଇପିଏଲ୍‌ ଖେଳୁଛନ୍ତି। ୨୦ ବର୍ଷୀୟ ତିଲକ ୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୪୦୯, ୨୫ ଲିଷ୍ଟ ଏ’ ମୁକାବିଲାରୁ ୧୨୩୬ ଏବଂ ୪୭ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ୧୪୩୬ ରନ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe