ଆଇପିଏଲ୍: ପ୍ରଥମ ଟ୍ରଫି ଆଶାରେ ଟାଇଟନ୍ସ

Advertisment

ୱର୍ଣ୍ଣଙ୍କ ପାଇଁ ଟ୍ରଫି ଜିତିବାକୁ ଚାହୁଁଛୁ: ସାମସନ୍

ୱର୍ଣ୍ଣଙ୍କ ପାଇଁ ଟ୍ରଫି ଜିତିବାକୁ ଚାହୁଁଛୁ: ସାମସନ୍

ଆଇପିଏଲ୍:  ପ୍ରଥମ ଟ୍ରଫି ଆଶାରେ ଟାଇଟନ୍ସ

Realtimeindia

ଅହମଦାବାଦ: ଦୀର୍ଘ ୬୪ ଦିନର ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଘମାଘୋଟ ଲଢ଼େଇ ଏବଂ ୭୩ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ପରେ ଆଇପିଏଲ୍‌ର ବହୁ ପ୍ରତୀକ୍ଷିତ ମେଗାଫାଇନାଲ୍ ରବିବାର ଖେଳାଯିବ। ବିଶ୍ବର ସବୁଠାରୁ ଚର୍ଚ୍ଚିତ ତଥା ଧନୀ ‌ଟ୍ବେଣ୍ଟି-୨୦ ମହାକୁମ୍ଭର ମହାମୁକାବିଲାରେ ପଦାର୍ପଣକାରୀ ଗୁଜରାଟ ଟାଇଟନ୍ସକୁ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ଭେଟିବ। ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍‌ରେ ପାଖାପାଖି ୧ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଏହି ଟ୍ରଫି ଟକ୍କର ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳୁଥିବା ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି କ୍ବାଲିଫାୟରକୁ ଯାଇଥିଲା। ସେଠାରେ ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ରାଜସ୍ଥାନ ଦ୍ବିତୀୟ କ୍ବାଲିଫାୟରରେ ଏଲିମିନେଟର ବିଜେତା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଅତିସହଜରେ ୭ ୱିକେଟ୍‌ରେ ହରାଇ ଫାଇନାଲ୍ ଟିକେଟ ହାସଲ କରିନେଇଥିଲା। ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଗୋଟିଏ ମ୍ୟାଚ୍ ଖେଳି ସାରିଥିବାରୁ ଗୁଜରାଟ ଅପେକ୍ଷା ରାଜସ୍ଥାନର ପଲା ରବିବାର ଫାଇନାଲ୍‌ରେ ଭାରୀ ରହିବ ବୋଲି ଦୁଇ ପୂର୍ବତନ ଆଇପିଏଲ୍ ତାରକା ଗ୍ରେମ୍ ସ୍ମିଥ୍ ଏବଂ ସୁରେଶ ରାଇନା ଆକଳନ କରିଛନ୍ତି। ହେଲେ ଫାଇନାଲ୍‌ର ହାଇଭୋଲଟେଜ୍ ମୁକାବିଲାରେ ପୂର୍ବ ପ୍ରଦର୍ଶନ ସେତେଟା ମହତ୍ବ ରଖିନପାରେ ବୋଲି ମଧ୍ୟ ଉଭୟ ସ୍ବୀକାର କରିଛନ୍ତି।

ଉଭୟ ଦଳରେ କିନ୍ତୁ ବହୁ ମ୍ୟାଚ୍ ବିଜୟୀ ଖେଳାଳି ରହିଛନ୍ତି। ରାଜସ୍ଥାନ ଦଳରେ ଚଳିତ ଋତୁରେ ସର୍ବାଧିକ ରନ୍ କରିଥିବା ଜୋସ୍ ବଟଲର (୮୨୪) ଏବଂ ଦ୍ବିତୀୟ ସର୍ବାଧିକ ୱିକେଟ୍ ଅକ୍ତିଆର କରିଥିବା ୟୁଝବେନ୍ଦ୍ର ଚହଲ (୨୬) ଅଛନ୍ତି। ଗୁଜରାଟ ପକ୍ଷରୁ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୪୫୩ ରନ୍ କରିଛନ୍ତି। ଡେଭିଡ୍ ମିଲର ଦ୍ବିତୀୟ ସର୍ବାଧିକ ୪୪୯ ରନ୍ କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ୍ ୪୪୪ ରନ୍ କରି ଶ୍ରେଷ୍ଠ ୧୦ ରନ୍ ସଂଗ୍ରହକାରୀଙ୍କ ତାଲିକାର ନବମ ସ୍ଥାନରେ ରହିଛନ୍ତି। ତେବେ ଗୁଜରାଟ ପାଖରେ ଭଲ ଅଲରାଉଣ୍ଡର ଥିଲା ବେଳେ ରାହୁଲ ତିୱାତିଆଙ୍କ ଭଳି ଏକାଧିକ ମ୍ୟାଚ୍ ବିଜୟୀ ଓ ଫିନିସର ରହିଛନ୍ତି। ରସିଦ୍ ଖାନଙ୍କ ଭଳି ବିଶ୍ବସ୍ତରୀୟ ସ୍ପିନର ମଧ୍ୟ ଗୁଜୁରାଟ ପାଖରେ ଅଛନ୍ତି। ସେହି ଦୃଷ୍ଟିରୁ ରବିବାର ଫାଇନାଲ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ଏବଂ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଉଛି। ଗତ ଦୁଇଟି ମୁକାବିଲାରେ କିନ୍ତୁ ରାଜସ୍ଥାନକୁ ଗୁଜରାଟ ହରାଇ ସାରିଛି। ସେଥିପାଇଁ ଏହି ଦଳର ଆତ୍ମବଳ ନିଶ୍ଚିତ ଭାବେ ଉଚ୍ଚରେ ଥିବ। ଏଣୁ ଆ‌ସନ୍ତାକାଲିର ଫାଇନାଲ୍‌ରେ ରାଜସ୍ଥାନ ପାଖରେ ଏହାର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିବ। ତା ଛଡ଼ା ଗୁଜରାଟ ଲିଗ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି କ୍ବାଲିଫାୟରକୁ ଯାଇଥିଲା ବେଳେ ରାଜସ୍ଥାନ ଦ୍ବିତୀୟ ସ୍ଥାନରେ ରହିଥିଲା। ‌ସେଥିପାଇଁ ଏଥର ଗୁଜରାଟ ସହ ପୂର୍ବ ହିସାବ କିତାବ କରିବା ଲାଗି ଏହା ରାଜସ୍ଥାନ ପାଇଁ ଚଳିତ ଋତୁର ଶେଷ ସୁଯୋଗ ହେବ।

ସମ୍ଭାବ୍ୟ ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ସାହ, ଶୁଭମନ ଗିଲ୍, ମାଥ୍ୟୁ ୱେଡ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତିୱାତିଆ, ରସିଦ ଖାନ୍, ରବି ସାଇକିଶୋର, ଆଲେଜେରି ଯୋଶେଫ୍, ୟଶ୍ ଦୟାଲ, ମହମ୍ମଦ ସାମି।

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ଜସସ୍ବୀ ଜୟସ୍ବାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍ (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ସିମରନ୍ ‌ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ୍ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା, ଓବେଦ ମ୍ୟାକୟ।

ୱର୍ଣ୍ଣଙ୍କ ପାଇଁ ଟ୍ରଫି ଜିତିବାକୁ ଚାହୁଁଛୁ: ସାମସନ୍

ରାଜସ୍ଥାନ ରୟାଲ୍ସକୁ ଅଷ୍ଟ୍ରେଲୀୟ ସ୍ପିନ୍ କିଂବଦନ୍ତି ସେନ୍ ୱର୍ଣ୍ଣ ୨୦୦୮ ମସିହାର ପ୍ରଥମ ଆଇପିଏଲ୍‌ରେ ବିଜେତା କରାଇଥିଲେ। ସେଥର ସେ ଥିଲେ ରାଜସ୍ଥାନର ଅଧିନାୟକ ଓ ମାର୍ଗଦର୍ଶକ। ଥାଇଲାଣ୍ଡରେ ଛୁଟି କଟାଉଥିଲା ବେଳେ ଚଳିତବର୍ଷ ମାର୍ଚ୍ଚ ମାସରେ କିନ୍ତୁ ୱର୍ଣ୍ଣଙ୍କର ଅକାଳ ବିୟୋଗ ଘଟିଥିଲା। ସେଥିପାଇଁ ଏଥର ଟ୍ରଫି ଜିତି ତାଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ରାଜସ୍ଥାନର ଏବେକାର ଅଧିନାୟକ ସଞ୍ଜୁ ସାମସନ୍ ଅଣ୍ଟା ଭିଡ଼ିଛନ୍ତି। ଦ୍ବିତୀୟ କ୍ବାଲିଫାୟରରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ହରାଇ ରାଜସ୍ଥାନ ଚଳିତ ଆଇପିଏଲ୍‌ର ଫାଇନାଲ୍‌ରେ ପ୍ରବେଶ କରିବା ପରେ ସାମସନ୍ ଭାବବିହ୍ବଳ ହୋଇ କହିଛନ୍ତି ଯେ ଆଇପିଏଲ୍-୨୨ ଆରମ୍ଭ ହେବା ପରଠାରୁ ଆମେ ସମସ୍ତେ ତାଙ୍କୁ (ୱର୍ଣ୍ଣ)ଙ୍କୁ ଆଦର୍ଶ କରି ଖେଳି ଆସୁଛୁ। ଆମକୁ ତାଙ୍କ ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇବାକୁ ହେବ। ଯଦି ଆମେ ଟ୍ରଫି ଜିତିପାରିଲୁ ଏହା ତାଙ୍କ ପାଇଁ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ହେବ। ମୁଁ ଆଉ ଅଧିକ କିଛି କହିବାକୁ ଚାହୁନି। ଫାଇନାଲ୍ ଖେଳିବା ଲାଗି ଆମେ ବେଶ୍ ଉତ୍ସାହିତ ଅଛୁ। ଏକ ଲକ୍ଷ ଲୋକଙ୍କ ସମ୍ମୁଖରେ ଫାଇନାଲ୍ ଖେଳିବା ଆମ ସମସ୍ତଙ୍କ ପାଇଁ ଏକ ଅପୂର୍ବ ଅନୁଭୂତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe