ସତ କହି ଦଳରୁ ବାଦ୍‌ ପଡ଼ିଥିଲି: ଗମ୍ଭୀର

Advertisment

ଏକମାତ୍ର ସ୍ବପ୍ନ ଥିଲା ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ହେବା, ୨୦୦୭ ଓ ୨୦୧୧ ବିଶ୍ବକପ୍‌ ମୋ ଜୀବନର ସ୍ମରଣୀୟ ମୁହୂର୍ତ୍ତ

ଏକମାତ୍ର ସ୍ବପ୍ନ ଥିଲା ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ହେବା, ୨୦୦୭ ଓ ୨୦୧୧ ବିଶ୍ବକପ୍‌ ମୋ ଜୀବନର ସ୍ମରଣୀୟ ମୁହୂର୍ତ୍ତ

ସତ କହି ଦଳରୁ ବାଦ୍‌ ପଡ଼ିଥିଲି: ଗମ୍ଭୀର

ଭୁବନେଶ୍ବର: ‘‘ସତ କହିଲେ ଅପ୍ରିୟ ହେବା ନିଶ୍ଚିତ। ଆଉ ମୁଁ ସତ କହି ଭାରତୀୟ କ୍ରିକେଟ୍‌ ଦଳରୁ ବାଦ୍‌ ପଡ଼ିଥିଲି। ତା’ପରେ ବି ସତ କଥା ନିଶ୍ଚିତ କହିବି। ଅନ୍ୟାୟ ବିରୋଧରେ ନିଶ୍ଚିତ ଛିଡ଼ା ହେବି। ଯଦି କେହି ଏହାକୁ ଆଟିଟ୍ୟୁଡ୍‌ ପ୍ରୋବ୍ଲେମ (ମନୋବୃତ୍ତି ସମସ୍ୟା) କହିବେ, ତେବେ ଠିକ୍ ଅଛି। ଏଥିପାଇଁ ଘରେ ହେଉ କି ବାହାରେ, ସବୁଠି ମୋ ବିରୋଧରେ ଅଭିଯୋଗ ଲାଗି ରହିଥାଏ। ଏହା ମୋର ସ୍ବଭାବ, ଅହଂକାର ନୁହେଁ’’ ବୋଲି ଓଟିଭି ଫୋରସାଇଟ୍-୨୦୨୧ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ସାଂସଦ ତଥା ଭାରତର ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର। କ୍ରିକେଟ୍‌ ପରେ ରାଜନୀତିକୁ ପ୍ରବେଶ କରିବା ସହଜ ନ ଥିଲା ବୋଲି ଦର୍ଶାଇ ଗମ୍ଭୀର କହିଥିଲେ ଯେ ମୋ ବାପାଙ୍କୁ ଛାଡ଼ିଦେଲେ ପରିବାରର ଆଉ କେହି ବି ମୋର ରାଜନୀତିକୁ ଆସିବା ନେଇ ଖୁସି ନଥିଲେ। ମୋ ସଂସଦୀୟ କ୍ଷେତ୍ରରେ ଅନେକ ସମସ୍ୟା ରହିଥିବାରୁ ଏବେ ତାହାର ସମାଧାନ ଲାଗି ଅନେକ ପଦକ୍ଷେପ ନେଉଛି।

ନିଜର ସ୍ବପ୍ନ ସଂପର୍କରେ କହିବାକୁ ଯାଇ ଗମ୍ଭୀର ଆହୁରି କହିଥିଲେ; ପ୍ରଥମେ ମୋର କ୍ରୀଡ଼ାଯାତ୍ରା ଉତ୍‌ଥାନ ପତନ ଭରା ରହିଥିଲା। ତେବେ ଏକମାତ୍ର ସ୍ୱପ୍ନ ଥିଲା ଯେ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ହେବା। ବହୁତ କମ୍ ଖେଳାଳିଙ୍କୁ ଦୁଇଟି ବିଶ୍ୱକପ୍ ଜିତିବାର ସୁଯୋଗ ମିଳିଛି। ଦଳ ପାଇଁ ତ ସମସ୍ତେ ଯୋଗଦାନ କରନ୍ତି। ୨୦୦୭ ପୂର୍ବରୁ ଗୋଟିଏ ବି ବିଶ୍ୱକପ୍ ଖେଳି ନ ଥିଲି। ୧୪ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ବିଶ୍ୱକପ୍ ମିସ୍ କରିଥିଲି। ଯେତେବେଳେ ୨୦୦୭ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହେଲି, ମୋତେ ଲାଗିଲା ଯେ ମୋର ପିଲାଦିନର ସ୍ୱପ୍ନ ଶେଷ ହୋଇଗଲା। ତା’ପରେ ମୋତେ ଯେତେବେଳେ ସେହି ବର୍ଷ ଟି-୨୦ ବିଶ୍ୱକପ୍‌ରେ ସୁଯୋଗ ମିଳିଲା, ସେଥିରେ ଶୂନରୁ ଆରମ୍ଭ କରିଥିଲି। ପରେ ମୁଁ ନିୟମିତ ଭଲ ପ୍ରଦର୍ଶନ କରିଥିଲି ଏବଂ ୨୦୧୧ ବିଶ୍ବକପ୍‌ରେ ଭାରତୀୟ ଦଳର ସଦସ୍ୟ ହେବାର ଗୌରବ ଅର୍ଜନ କରିଥିଲି। ୨୦୦୭ ଓ ୨୦୧୧ ବିଶ୍ବକପ୍‌ କ୍ରିକେଟ୍ ମୋ ଜୀବନର ସ୍ମରଣୀୟ ମୁହୂର୍ତ୍ତ ଥିଲା।

୨୦୦୯ରେ ନ୍ୟୁଜିଲାଣ୍ଡର ନାପିଏର ଟେଷ୍ଟ୍ ଶତକ କଥା ମନେ ପକାଇ ଗମ୍ଭୀର କହିଥିଲେ; ଏହି ଟେଷ୍ଟ୍‌ରେ ଅଢ଼େଇ ଦିନ ବ୍ୟାଟିଂ କରିବା ମୋ ପାଇଁ ଅବିଶ୍ୱସନୀୟ ଥିଲା। ଫଲୋଅନ୍ ପରେ ଆମେ ଅଢ଼େଇ ଦିନ ବ୍ୟାଟିଂ କଲୁ। ସେତେବେଳେ ମୁଁ ଭାବିଲି ଯେ ମଣିଷର ମସ୍ତିଷ୍କ କେତେ କ’ଣ ହାସଲ କରି ନପାରେ। ତେଣୁ ଯେପର୍ଯ୍ୟନ୍ତ ଆପଣ ମଇଦାନକୁ ନ ଓହ୍ଲାଇବେ ଓ ନିଜକୁ ଚ୍ୟାଲେଞ୍ଜ୍‌ ନ କରିବେ, ସେ ଯାଏ କିଛି ହାସଲ କରିପାରିବେ ନାହିଁ। ସେହି ଟେଷ୍ଟ୍‌ର ପଞ୍ଚମ ଦିନର ପ୍ରଥମ ସେସନ୍‌ରେ ମୁଁ ପଦେ ବି କଥା ହୋଇ ନଥିଲି। ଏକଥା ପରେ ମୋତେ ଭିଭିଏସ୍ ଲକ୍ଷ୍ମଣ କହିଥିଲେ।

କୋଲକାତା ନାଇଟ୍ ରାଇଡର୍ସ ଦୁଇଥର ଆଇପିଏଲ୍ ଟ୍ରଫି ଜିତିବା ସମ୍ପର୍କରେ ଗମ୍ଭୀର କହିଥିଲେ; କେକେଆର୍‌ ଦଳରେ ସାମିଲ୍‌ ହେବି ବୋଲି କେବେ ବି ଭାବିନଥିଲି। କାରଣ ପୂର୍ବରୁ ୩ଟି ଋତୁ ଦିଲ୍ଲୀ ପକ୍ଷରୁ ଖେଳିଥିଲି। ଚୟନ ହେବା ପରେ ଶାହରୁଖ ଖାନ୍‌ଙ୍କୁ କହିଥିଲି ମୁଁ ଯେତେବେଳେ ଦଳ ଛାଡ଼ିବି, ସେତେବେଳେ ଉନ୍ନତ ସ୍ଥିତିରେ ଛାଡ଼ିକି ଯିବି। ସଚ୍ଚୋଟତା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଥିଲେ ଆପଣଙ୍କୁ କେହି ବି ଦୋହଲାଇ ପାରି‌େବନି। ଜଣେ କ୍ରିକେଟ୍ ଅଧିନାୟକ ମ୍ୟାଚ୍‌ରେ ୩ ଘଣ୍ଟା ନେତୃତ୍ବ ନିଏ। ଆଉ ନେତା ୨୪ ଘଣ୍ଟା ଏହି କାମ କରିଥାଏ। ଜଣେ ଅଧିନାୟକ ଯେବେ ନେତା ହୋଇଯିବ ସେତେବେଳେ ଦଳ ଅଧିକ ସଙ୍ଗଠିତ ହେବ।

‘ମମତା ବାହାର ଲୋକ କହିବା ଦୁଃଖ ଦେଇଥିଲା’
କୋଲକାତା ଗସ୍ତ ବେଳେ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାର ଲୋକ କହିବା ମନ୍ତବ୍ୟ ମୋତେ ଦୁଃଖ ଦେଇଥିଲା ବୋଲି ଦର୍ଶାଇ ଗାମ୍ଭୀର କହିଥିଲେ ଯେ ତେବେ କୋଲକାତାର ଲୋକେ ମୋତେ ବହୁତ ଭଲ ପାଉଥିଲେ। ଏହି ଦେଶ ସମସ୍ତଙ୍କର। ଏଠାରେ କିଏ କେଉଁଠିକି ବି ଯାଇପାରିବେ। ତେଣୁ ବାହାର ଲୋକ କହି ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ। କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଏଭଳି ମନ୍ତବ୍ୟ ଦେବା କଥା ନୁହେଁ। ମହିଳାଙ୍କୁ ସମ୍ମାନ ଦେବା ଗୁରୁତ୍ୱପୂର୍ଣ୍ଣ। କେବଳ ସିସିଟିଭି ଲଗାଇଦେଲେ ପରିବର୍ତ୍ତନ ହେବ ନାହିଁ। ସିସିଟିଭି କେବଳ ମାଧ୍ୟମ। ଏହା ସମାଧାନ ନୁହେଁ। ମହିଳାମାନେ ରାଫେଲ୍‌ ଚଳାଇବା ସହ ଅନେକ ଦାୟିତ୍ୱ ସଫଳତାର ସହ କରୁଛନ୍ତି। ଏଥିପାଇଁ ବ୍ୟବହାରରେ ପରିବର୍ତ୍ତନ ହେବା ଦରକାର। ଯେପର୍ଯ୍ୟନ୍ତ ମହିଳାଙ୍କୁ ସମ୍ମାନ ନ ମିଳିଛି ସେପର୍ଯ୍ୟନ୍ତ କିଛି ବଦଳିବ ନାହିଁ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe