ଫିଫା ବିଶ୍ବକପ୍‌: ଆଜି ଇଂଲଣ୍ଡ-ଫ୍ରାନ୍ସ, ପର୍ତୁଗାଲ-ମରକ୍କୋ

Advertisment
ଫିଫା ବିଶ୍ବକପ୍‌: ଆଜି ଇଂଲଣ୍ଡ-ଫ୍ରାନ୍ସ, ପର୍ତୁଗାଲ-ମରକ୍କୋ

Sporting News

ଦୋହା : ଚଳିତ ଫିଫା ବିଶ୍ବକପ୍‌ରେ ଶନିବାର ଶେଷ ଦୁଇ କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଅଲ୍ ଥୁମାମା ଷ୍ଟାଡିୟମ୍‌ରେ ମରକ୍କୋ ଓ ପର୍ତୁଗାଲ୍‌ ମୁହାଁମୁହିଁ ହେବାକୁ ଯାଉଥିଲା ବେଳେ ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଦୁଇ ପଡ଼ୋଶୀ ଫ୍ରାନ୍ସ ଓ ଇଂଲଣ୍ଡ ମୁକାବିଲାରେ ଅବତୀର୍ଣ୍ଣ ହେବେ। ୧୯୮୬ ସଂସ୍କରଣ ପରେ ମରକ୍କୋ ରାଉଣ୍ଡ ୧୬ରେ ସ୍ପେନ୍‌କୁ ସୁଟ୍‌ଆଉଟ୍‌ରେ ବିଦା କରି ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା ବେଳେ ବେଲ୍‌ଜିୟମ୍‌ (୨-୦) ଓ କ୍ରୋଏସିଆ (୦-୦) ଭଳି ବଡ଼ ଦଳଙ୍କ ବିପକ୍ଷ‌ରେ ବାଧା ପାର୍‌ କରିସାରିଛି। ତେଣୁ ପର୍ତୁଗାଲ୍‌ ବିପକ୍ଷରେ କ୍ବାର୍ଟର ମୁକାବିଲାକୁ ଜିତିବା ବଡ଼ ଆହ୍ବାନ ହେବ। ଅନ୍ୟପକ୍ଷରେ ଟ୍ରଫି ଦାବିଦାର ପର୍ତୁଗାଲ୍‌ ପ୍ରିକ୍ବାର୍ଟରରେ ସ୍ବିଜରଲାଣ୍ଡକୁ ୬-୧ ଗୋଲ୍‌ରେ ହରାଇଥିବାରୁ ଖେଳାଳିଙ୍କ ମନୋବଳ ଦୃଢ ରହିଛି। ରୋନାଲ୍ଡୋଙ୍କ ଅନୁପସ୍ଥିତିରେ ପଦାର୍ପଣକାରୀ ଗଙ୍କାଲୋ ରାମୋସ୍‌ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇଥିବାରୁ ପ୍ରତିପକ୍ଷଙ୍କ ପାଇଁ ଏହା ଅନ୍ୟତମ ବିପଦ ସଙ୍କେତ ଭାବେ ଉଭା ହୋଇଛି। ପୂର୍ବରୁ ଏହି ଦୁଇ ଦଳ ବିଶ୍ବକପ୍‌ରେ ଦୁଇଥର ସାମ୍ନାସାମ୍ନି ହୋଇଛନ୍ତି। ୧୯୮୬ ଓ ୨୦୧୮ରେ ଗ୍ରୁପ୍‌ ପର୍ଯ୍ୟାୟରେ ପର୍ତୁଗାଲ୍‌ ଯଥାକ୍ରମେ ୩-୧ ଓ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା।

ଅନ୍ୟପକ୍ଷରେ ବିଳମ୍ବିତ ରାତିରେ ଦୁଇ ଗ୍ରୁପ୍‌ ବିଜେତା ଭେଟଭେଟି ହେବାକୁ ଯାଉଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ଇରାନ୍‌ (୬-୨), ୱେଲ୍ସ (୩-୦) ଏବଂ ପ୍ରିକ୍ବାର୍ଟରରେ ସେନେଗାଲ୍‌ (୩-୦)କୁ ହରାଇ ଇଂଲଣ୍ଡ କ୍ବାର୍ଟର ଫାଇନାଲ୍‌ ଲ‌ଢେଇରେ ଅବତୀର୍ଣ୍ଣ ହୋଇଛି। ସେହିପରି ଫ୍ରାନ୍ସ ଗ୍ରୁପ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ (୪-୧), ଡେନମାର୍କ (୨-୧) ଓ ପ୍ରିକ୍ବାର୍ଟରରେ ପୋଲାଣ୍ଡ (୩-୧)କୁ ମାତ୍‌ ଦେଇଥିଲା। ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଥିବା କିଲିଆନ୍‌ ଏମ୍‌ବାପେ (୫) ଏହି ମ୍ୟାଚ୍‌ର ବଡ଼ ଆକର୍ଷଣ ରହିବେ। ତେବେ ପୂର୍ବରୁ ଦୁଇ ପଡ଼ୋଶୀ ୩୧ ଥର ପରସ୍ପର ସହିତ ଖେଳିଥିଲା‌ ବେଳେ ଇଂଲଣ୍ଡ ୧୭ ମ୍ୟାଚ୍‌ରେ ବିଜୟୀ ଏବଂ ୫ ମ୍ୟାଚ୍‌ ଅମୀମାଂସିତ ରଖିଛି। ତେବେ ଶେଷ ଥର ପାଇଁ ୨୦୧୭ରେ ଦୁଇଦଳ ଖେଳିଥିବା ମ୍ୟାଚ୍‌ରେ ଫ୍ରାନ୍ସ ୩-୨ରେ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe