ଆଜି ଫ୍ରାନ୍ସ-କ୍ରୋଏସିଆ ଫାଇନାଲ୍‌ ଯୁଦ୍ଧ

Advertisment
ଆଜି ଫ୍ରାନ୍ସ-କ୍ରୋଏସିଆ ଫାଇନାଲ୍‌ ଯୁଦ୍ଧ

ମସ୍କୋ: ୩୦ ଦିନ ଏବଂ ୬୩ ମ୍ୟାଚ୍‌ର ନାଟକୀୟ, ରୋମାଞ୍ଚଭରା ତଥା କୌତୁହଳ ପୂର୍ଣ୍ଣ ଲଢ଼େଇ ସହ ଫ୍ରି-କିକ୍‌ ଗୋଲ୍‌ର ବର୍ଷା ଏବଂ କେତେକ ଅପ୍ରତ୍ୟାଶିତ ଫଳାଫଳ ପରେ ’ଫାଇନାଲ’ ଦିନ ପହଞ୍ଚି ଯାଇଛି। ଚଳିତ ଫିଫା ଫୁଟବଲ୍‌ ବିଶ୍ୱକପ୍‌ର ଶେଷ ଲଢ଼େଇ ଆର୍ଥାତ୍‌ ଫାଇନାଲ୍‌ ରବିବାର ରାତିରେ ଖେଳାଯିବାକୁ ଯାଉଛି। ରୁଷିଆ ଫୁଟବଲ୍‌ ବିଶ୍ୱଯୁଦ୍ଧର ଅନ୍ତିମ ମୁକାବିଲାରେ ଦୁଇ ୟୁରୋପୀୟ ଶକ୍ତି ଫ୍ରାନ୍ସ ଏବଂ କ୍ରୋଏସିଆ ମୁହାଁମୁହିଁ ହେବେ। ଏଥିରେ ଫ୍ରାନ୍ସ ଦ୍ୱିତୀୟ ଥର ବିଶ୍ୱବିଜେତା ହେବା ଲକ୍ଷ୍ୟରେ ରହିବ। ଅନ୍ୟ ପକ୍ଷରେ କ୍ରୋଏସିଆ ପ୍ରଥମ ଫାଇନାଲ୍‌ ପଦାର୍ପଣରେ ବିଶ୍ୱକପ୍‌ ଜିତିନେବାକୁ ଚେଷ୍ଟା କରିବ। ଫ୍ରାନ୍ସ ପାଖରେ ବିଶ୍ୱକପ୍‌ର ଦ୍ୱିତୀୟ ଶ୍ରେଷ୍ଠ ଯୁବଦଳ ଥିଲା ବେଳେ ପଛୁଆ ରହିବା ସତ୍ତ୍ୱେ ଲଗାତାର ତିନିଟି ନକଆଉଟ୍‌ ମୁକାବିଲା ଜିତି କ୍ରୋଏସିଆ ତା’ର ଏକାଗ୍ରତା ଏବଂ ବିଜୟ ଭୋକର ପ୍ରମାଣ ଦେଇ ସାରିଛି। ଫ୍ରାନ୍ସ ଓ କ୍ରୋଏସିଆ ପୂର୍ବରୁ ୧୯୯୮ ବିଶ୍ୱକପ୍‌ର ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ। ସେହି ମୁକାବିଲାକୁ ଫ୍ରାନ୍ସ ୨-୧ରେ ଜିତି ନେଇଥିଲା। ଏଣୁ ରବିବାର କ୍ରୋଏସିଆ ପାଖରେ ଉଭୟ ପ୍ରତିଶୋଧ ଏବଂ ଇତିହାସର ସୁଯୋଗ ରହିବ। ରବିବାର ଲଢ଼େଇ ଉଭୟ ଫ୍ରାନ୍ସ ଏବଂ କ୍ରୋଏସିଆ ପ୍ରଶଂସକଙ୍କର ୨୦ ବର୍ଷ ତଳର ସେହି ସ୍ମୃତିକୁ ବି ସତେଜ କରିଦେବ। ଫ୍ରାନ୍ସ ଜିତିଲେ ମାରିଓ ଜଗାଲୋ ଏବଂ ଫ୍ରାଙ୍କ୍‌ ବେକେନବରଙ୍କ ପରେ ଦିଦିଏର ଦେଶ୍ଚାମ୍ପ୍ସ ଉଭୟ ଖେଳାଳି ଓ ପ୍ରଶିକ୍ଷକ ଭାବେ ବିଶ୍ୱକପ୍‌ ଜିତିବାର ତୃତୀୟ ବ୍ୟକ୍ତି ହେବେ। ୧୯୯୮ ମସିହାର ସେମିଫାଇନାଲରେ କ୍ରୋଏସିଆକୁ ହରାଇବା ପରେ ଫାଇନାଲରେ ବ୍ରାଜିଲକୁ ମାତ୍‌ ଦେଇ ପ୍ରଥମ ଥର ପାଇଁ ବିଶ୍ୱ ବିଜେତା ହୋଇଥିବା ଫ୍ରାନ୍ସ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ।

ଫ୍ରାନ୍ସ ମଙ୍ଗଳବାରର ସେମିଫାଇନାଲରେ ବେଲଜିୟମକୁ ନିର୍ଧାରିତ ୯୦ ମିନିଟ୍‌ ଖେଳରେ ହରାଇ ଫାଇନାଲ୍‌ ଯାଇଥିଲା। କ୍ରୋଏସିଆକୁ କିନ୍ତୁ ଅତିରିକ୍ତ ସମୟ ପର୍ଯ୍ୟନ୍ତ ଲଢ଼ିବାକୁ ପଡ଼ିଥିଲା। ରବିବାର ଫାଇନାଲରେ ଅଭିଜ୍ଞତା ଓ ଦକ୍ଷତା ଦୃଷ୍ଟିରୁ ଫ୍ରାନ୍ସ ପଲ୍ଲା ଟିକିଏ ଭାରି ରହିବ। ହେଲେ କଠିନ ପରିସ୍ଥିତିରୁ ମୁକୁଳିବାର କଳା ଭଲ ଭାବରେ ଜାଣିଥିବା କ୍ରୋଏସିଆ ତାକୁ ସହଜରେ ବାଟ ଛାଡ଼ିବ ନାହିଁ ବୋଲି ଫୁଟବଲ୍‌ ପଣ୍ଡିତମାନେ ଭବିଷ୍ୟବାଣୀ କରି ସାରିଲେଣି। ବିଶ୍ୱକପ୍‌ ଜିତି ୨୦୧୬ ୟୁରୋକପ୍‌ ପରାଜୟର ଦୁଃଖକୁ ଭୁଲାଇବାର ସଂକଳ୍ପ ନେଇ ଫ୍ରାନ୍ସ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ କ୍ରୋଏସିଆ ତାର ନକଆଉଟ୍‌ କମାଲ ଦୋହରାଇବା ଆଶାରେ ରହିବ। ମଜାଦାର କଥା ହେଲା କ୍ରୋଏସିଆ ଅତିରିକ୍ତ ସମୟର ମହାରାଜା ଭାବେ ଉଭା ହୋଇଥିଲା ବେଳେ ଗତ ଦୁଇଟିି ବିଶ୍ୱକପ୍‌ର ଫାଇନାଲ୍‌ ଫଳାଫଳ ସେହି ଅତିରିକ୍ତ ସମୟ ଓ ପେନାଲ୍ଟି ସୁଟଆଉଟରେ ମିଳିଛି। ଶେଷ ଥର ପାଇଁ ୨୦୦୬ରେ ବିଶ୍ୱକପ୍‌ର ବିଜେତା ନିର୍ଧାରିତ ସମୟରେ ବଛା ହୋଇଥିଲା। ସେହି ବିଶ୍ୱକପ୍‌ରେ ମାର୍କୋ ମାର୍ତେରାଜିଙ୍କ ଗୋଲ୍‌ ବଳରେ ଇଟାଲି ନିର୍ଧାରିତ ସମୟ ମଧ୍ୟରେ ବିଜୟୀ ହୋଇଥିଲା।

ସମ୍ଭାବ୍ୟ ଫ୍ରାନ୍ସ: ହୁଗୋ ଲୋରିସ୍‌, ବେଞ୍ଜାମିନ ପଭାର୍ଡ, ରାଫେଲ ଭରାନେ, ସାମୁଏଲ ଉମତିତି, ଲୁକାସ ହର୍ନାଣ୍ଡେଜ୍‌, ପଲ୍‌ ପଗବା, ଏନ୍‌ଗୋଲୋ କାଣ୍ଟେ, କିଲିଆନ୍‌ ଏମବାପେ, ଆଣ୍ଟୋନି ଗ୍ରିଜମ୍ୟାନ୍‌, ବ୍ଲାଇସ୍‌ ମତଉଦି, ଅଲିଭର ଜିରାଡ।

ସମ୍ଭାବ୍ୟ କ୍ରୋଏସିଆ: ଡାନିଜେଲ୍‌ ସୁବାସିକ, ସିମେ ଭର୍ସାଲଜିକୋ, ଦିଜାନ ଲଭରେନ୍‌, ଦୋମାଗୋଜ ଭିଦା, ଇଭାନ ଷ୍ଟ୍ରିନିକ, ଇଭାନ ରାକିଟିକ୍‌, ମାର୍ସେଲୋ ବ୍ରାଜୋଭିକ, ଆଣ୍ଟେ ରେବିକ, ଲୁକା ମୋଡ୍ରିକ, ଇଭାନ ପେରିସିକ, ମାରିଓ ମଣ୍ଡଜୁକିକ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe